ନୂଆଦିଲ୍ଲୀ ୦୯।୦୭: ଟେକ୍ କ୍ଷେତ୍ରର ଦିଗ୍ଗଜ କମ୍ପାନୀ ଆପଲ୍ । ନେତୃତ୍ୱ ସ୍ତରରେ କରିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ । ଏବେ କମ୍ପାନୀର COO ହେବ ପରିବର୍ତ୍ତନ । ୬୨ ବର୍ଷୀୟ ଜେଫ୍ ୱିଲିୟମ୍ସ ତାଙ୍କ ପଦରୁ ଦେବେ ଇସ୍ତଫା । ୱିଲିୟମ୍ସ ୨୦୧୫ରୁ ଏହି ପଦବୀରେ ଅଛନ୍ତି । ଏବେ ଏହି ପଦରେ ବସିବେ ଭାରତୀୟ ବଂଶୋଦ୍ଭବ । ପରବର୍ତ୍ତୀ COO ହେବେ ସବିହ ଖାନ । ଦୀର୍ଘକାଳୀନ ଯୋଜନା ପରେ ସବିହଙ୍କୁ COO ପଦବୀରେ ନିଯୁକ୍ତ କରିବାର ନିଆଯାଇଛି ନିଷ୍ପତ୍ତି । ବିଗତ ୩୦ ବର୍ଷ ଧରି ଆପଲ୍ ସହିତ ଜଡିତ ସବିହ ଖାନ । ସେ ବର୍ତ୍ତମାନ ଅପରେସନରେ ବରିଷ୍ଠ ଉପାଧ୍ୟକ୍ଷ ଭୂମିକା ନିର୍ବାହ କରୁଛନ୍ତି । ତେବ କିଏ ଏହି ସବିହ ଖାନ ? ଆପଲ୍ ସହିତ ତାଙ୍କର ଯାତ୍ରା କେବେ ହୋଇଥିଲା ଆରମ୍ଭ ?
୧୯୬୬ ମସିହାରେ ୟୁପିର ମୋରାଦାବାଦରେ ଜନ୍ମଗ୍ରହଣ କରିଥିଲେ ସବିହ ଖାନ । ସେ ମୋରାଦାବାଦର ପିତ୍ତଳ ରପ୍ତାନିକାରୀ ଏବଂ ଜଣାଶୁଣା ବ୍ୟବସାୟୀ ୟାର ମହମ୍ମଦ ଖାନଙ୍କ ପରିବାରର ସଦସ୍ୟ। ସବିହ ଖାନ ସେଣ୍ଟ ମେରୀ ସ୍କୁଲ, ମୋରାଦାବାଦରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢିଛନ୍ତି । ତାଙ୍କ ପିତା ସଇଦ ୟୁ ଖାନ ମୂଳତଃ ରାମପୁରର ଥିଲେ । ସବିହଙ୍କ ଜନ୍ମର କିଛି ସମୟ ପରେ ତାଙ୍କ ପରିବାର ସିଙ୍ଗାପୁର ସ୍ଥାନାନ୍ତରିତ ହୋଇଥିଲେ । ଆଉ ତାପରେ ସେ ଆମେରିକା ଚାଲିଯାଇଥିଲେ । ଟଫ୍ଟସ୍ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ଏବଂ ମେକାନିକାଲ୍ ଇଞ୍ଜିନିୟରିଂରେ ଡବଲ୍ ସ୍ନାତକ କରିବା ପରେ ସେ ନ୍ୟୁୟର୍କର ରେନସେଲାର ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍ରୁ ମେକାନିକାଲ୍ ଇଞ୍ଜିନିୟରିଂରେ ହାସଲ କରିଥିଲେ ମାଷ୍ଟର ଡିଗ୍ରୀ ।
ସବିହ ଖାନ୍ ୧୯୯୫ରେ GE ପ୍ଲାଷ୍ଟିକ୍ସରେ ଜଣେ ଆପ୍ଲିକେସନ୍ ଡେଭଲପମେଣ୍ଟ ଇଞ୍ଜିନିୟର ଏବଂ ପ୍ରମୁଖ ଆକାଉଣ୍ଟ୍ ଟେକ୍ନିକାଲ୍ ଲିଡର ଭାବରେ କାମ କରିଥିଲେ । ଏହାପରେ ସେ ଆପଲରେ ଯୋଗ ଦେଇଥିଲେ । ଧୀରେ ଧୀରେ ସେ ପ୍ରଡକ୍ଟ କ୍ବାଲିଟି ଏବଂ ସପ୍ଲାଇ ଚେନ୍ର ଦାୟିତ୍ୱ ନେବା ଆରମ୍ଭ କରିଥିଲେ । ୨୦୧୯ରେ ଅପରେସନ୍ସରେ ତାଙ୍କୁ ଭାଇସ୍ ପ୍ରେସିଡେଣ୍ଟ ଭାବରେ ନିଯୁକ୍ତ କରାଯାଇଥିଲା । ଗତ କିଛି ବର୍ଷ ଧରି ସେ ଆପଲରସବୁଠାରୁ ଅଭିନବ ଉତ୍ପାଦଗୁଡ଼ିକୁ ବଜାରକୁ ଆଣିବା ଏବଂ କମ୍ପାନୀର ବିଶ୍ୱସ୍ତରୀୟ କାର୍ଯ୍ୟ ରଣନୀତି ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ସାବିହ ଖାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଟିମ୍ କୁକ୍ । ଟିମ୍ କୁକ୍ କହିଛନ୍ତି ଯେ ସାବିହ ଖାନଙ୍କ ନେତୃତ୍ୱରେ ପାଖାପାଖି ୬୦ କାର୍ବନ ଫୁଟପ୍ରିଣ୍ଟ ହ୍ରାସ ପାଇଛି। ସାବିହ ଖାନ ଜଣେ ଚମତ୍କାର ରଣନୀତିଜ୍ଞ । ସେ ଆପଲର ସପ୍ଲାଇ ଚେନର ତଦାରଖ କରୁଛନ୍ତି ଏବଂ ଆଡଭାନ୍ସ ମାନ୍ୟୁଫ୍ୟାକ୍ଚରିଙ୍ଗରେ ନୂତନ ଟେକନୋଲୋଜିକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି ।