ଭାରତୀୟ ବୈଜ୍ଞାନିକଙ୍କ ସଫଳତା; ମହାକାଶରେ ପୃଥିବୀଠାରୁ ୫ଗୁଣ ବିଶାଳ ଗ୍ରହ ଆବିଷ୍କୃତ

Published By : Prameya-News7 Bureau | October 29, 2024 IST

ନୂଆଦିଲ୍ଲୀ ୨୯।୧୦: ଭାରତୀୟ ନକ୍ଷତ୍ରବିଜ୍ଞାନୀଙ୍କୁ ମିଳିଛି ବଡ଼ ସଫଳତା । ଆବିଷ୍କାର କଲେ ପୃଥିବାଠାରୁ ବିଶାଳ ଗ୍ରହ । ଏହି ଗ୍ରହକୁ ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ ବା ପିଆର୍‌ଏଲ୍‌ ର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି । ଏହା ବାହ୍ୟଗ୍ରହ ବିଜ୍ଞାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଆବିଷ୍କାର । ଗ୍ରହଟିର ନାଁ ରଖାଯାଇଛି ‘ଟିଓଆଇ-୬୬୫୧ବି’ । ଏହା ଶନି ଗ୍ରହ ଆକାର ବିଶିଷ୍ଟ ବାହ୍ୟଗ୍ରହ । ସୂର୍ଯ୍ୟ ଭଳି ଏକ ନକ୍ଷତ୍ର ଚତୁପାଶ୍ୱର୍ରେ ଏହା ପରିକ୍ରମା କରୁଛି । ପିଆର୍‌ଏଲ ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ଏହା ୪ର୍ଥ ବାହ୍ୟଗ୍ରହ । 

ଟିଓଆଇ-୬୬୫୧ବି ଏକ ଅନନ୍ୟ ବାହ୍ୟଗ୍ରହ । ପୃଥିବୀର ଓଜନଠୁ ଏହାର ପ୍ରାୟ ୬୦ ଗୁଣ ଅଧିକ । ପୃଥିବୀ ତୁଳନାରେ ଏହାର ବ୍ୟାସ ହାରାହାରି ୫ ଗୁଣ ବିଶାଳ । ନକ୍ଷତ୍ରବିଜ୍ଞାନୀ ସମ୍ବୋଧନ କରୁଥିବା ‘ନେପ୍‌ଚୁନିଆନ୍‌ ଡେଜର୍ଟ’ର ଧାରରେ ଏହା ଅବସ୍ଥାନ କରିଛି । ଏହି କ୍ଷେତ୍ରରେ ଏଭଳି ଆକାର ବିଶିଷ୍ଟ ଗ୍ରହ କ୍ୱଚିତ୍‌ ଦେଖାଯାଏ । ବାସ୍ତବରେ ନେପ୍‌ଚୁନିଆନ୍‌ ଡେଜର୍ଟ ଏକ ରହସ୍ୟମୟ କ୍ଷେତ୍ର । ସେଠାରେ ଏହି ଓଜନର ଖୁବ୍‌ କମ୍‌ ଗ୍ରହ ତିଷ୍ଠିଥାନ୍ତି । 

ଟିଓଆଇ-୬୬୫୧ବି ସୂର୍ଯ୍ୟ ଭଳି ନିଜର ସଂଚାଳକ ନକ୍ଷତ୍ର ଚତୁଃପାଶ୍ୱର୍ରେ ୫.୦୬ ଦିନ ଚକ୍ରରେ ପରିକ୍ରମା କରୁଛି । ଅର୍ଥାତ୍‌ ଏହାର ଗୋଟିଏ ବର୍ଷ ପୃଥିବୀର ଗୋଟିଏ ମାସର କେବଳ ଏକ ଅଂଶ । ଏହାର କକ୍ଷର ଆକୃତି ହାଲୁକା ଅଣ୍ଡାକୃତି । ଯାହା ତାକୁ ଆମ ସୌରମଣ୍ଡଳରେ ଶନି ଭଳି ବିଶାଳ ଗ୍ୟାସୀୟ ଗ୍ରହଠୁ ଭିନ୍ନ କରୁଛି । ଏହାର ସଂଚାଳକ ନକ୍ଷତ୍ର ଟିଓଆଇ-୬୬୫୧ ଏକ ଜି-ପ୍ରକାର ବିଶାଳ ନକ୍ଷତ୍ର । ଯାହା ଆମ ସୂର୍ଯ୍ୟଠୁ ଟିକିଏ ବଡ଼ ଓ ଅଧିକ ଉତ୍ତପ୍ତ । ଏହାର ପୃଷ୍ଠ ତାପମାତ୍ରା ପ୍ରାୟ ୫୯୪୦ କେଲ୍‌ଭିନ । ବାହ୍ୟଗ୍ରହର ଉଚ୍ଚ ଘନତ୍ୱ ଦର୍ଶାଉଛି ଯେ ଏହାର ପ୍ରାୟ ୮୭ ପ୍ରତିଶତ ଅଂଶ ପଥୁରିଆ ଓ ଲୌହ-ସମୃଦ୍ଧ ଉପାଦାନରେ ଗଠିତ । 

ବାକି ଅଂଶ ହାଇଡ୍ରୋଜେନ୍‌ ଓ ହିଲିୟମ୍‌ର ହାଲୁକା ଆସ୍ତରଣ ସୃଷ୍ଟି କରୁଛି । ଏହାର ସଘନ ଢାଞ୍ଚାରୁ ଜଣାପଡୁଛି, ଟିଓଆଇ୬୬୫୧ବି ଅନନ୍ୟ ବିକାଶ ପ୍ରକ୍ରିୟା ଦେଇ ଗତି କରିଥିବ । ଅନ୍ୟ ବସ୍ତୁ ସହିତ ଏହାର ବିଲୟ ହୋଇଥିବ କିମ୍ବା ଉତ୍ତାପର ପ୍ରଭାବ ଯୋଗୁ ନିଜର ମୂଳ ବାୟୁମଣ୍ଡଳକୁ ଏହା ହରାଇ ଦେଇଥିବ । ଏହି ଗ୍ରହର ଆବିଷ୍କାର ବର୍ତ୍ତମାନର ଗ୍ରହ ଉତ୍ପତ୍ତି ତଥ୍ୟକୁ ଚ୍ୟାଲେଞ୍ଜ୍‌ ଦେଇଛି । ଏଭଳି ବିଶାଳ ଓ ସଘନ ଗ୍ରହର ଉତ୍ପତ୍ତି ଓ ବିକାଶ କିଭଳି ହେଲା, ତା’ ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.