ନୂଆଦିଲ୍ଲୀ – ଗାଜାରେ ସଂପୂର୍ଣ୍ଣ ଦଖଲ ଯୋଜନା ଓ ଆକ୍ରମଣ ଯୋଗୁଁ ଇସ୍ରାଏଲ ପୂର୍ବରୁ ହିଁ ଏକୁଟିଆ ହୋଇ ଯାଇଛି। ଅନେକ ଦେଶ ପାଲେଷ୍ଟାଇନକୁ ସ୍ୱତନ୍ତ୍ର ଦେଶର ଦାବିକୁ ଜୋରଦାର କରି ଦେଇଛନ୍ତି। ଏହିସବୁ ମଧ୍ୟରେ ବିଦେଶରେ ନିଜର ଦୂତାବାସ ଉପରେ ଆକ୍ରମଣ ଇସ୍ରାଏଲର ଚିନ୍ତାକୁ ଦ୍ୱିଗୁଣିତ କରିଛି। ନେଦରଲ୍ୟାଣ୍ଡର ରାଜଧାନୀ ହେଗ୍ ସ୍ଥିତ ଇସ୍ରାଏଲୀୟ ଦୂତାବାସରେ ଆଜି ( ୧୨ ଅଗଷ୍ଟ) ତିନି ଜଣ ଲୋକ ଆକ୍ରମଣ କରିଛନ୍ତି। ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟର ବୟାନ ମୁତାବକ , ଆକ୍ରମଣକାରୀ ଦୂତାବାସର ମୁଖ୍ୟ ପ୍ରବେଶ ଦ୍ୱାରରେ ନାଲି ରଙ୍ଗର ଲେପ ଫିଙ୍ଗି ଥିଲେ ଏବଂ ମୁଖ୍ୟ ଦ୍ୱାର ଭାଙ୍ଗି ଦେଇ ଥିଲେ।
ମନ୍ତ୍ରଣାଳୟ ଦ୍ୱାରା ଜାରି ଫଟୋରେ ଦୂତାବାସର ପ୍ରବେଶ ଦ୍ୱାର ନାଲି ରଙ୍ଗର ଲେପ ଦିଆଯାଇ ଥିଲା ଏବଂ କବାଟ ଭାଙ୍ଗି ଯାଇଥିବା ଦେଖା ଯାଉଛି। ସ୍ଥାନୀୟ ସୁରକ୍ଷା ବାହିନୀମାନେ ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି ଏବଂ ଡଚ୍ ପୁଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଘଟଣା ସ୍ଥଳରୁ ହିଁ ଗିରଫ କରି ନେଇଛନ୍ତି।
ହେଲେ , ମନ୍ତ୍ରଣାଳୟ ଏହି ଆକ୍ରମଣ ପଛର ଉଦ୍ଦେଶ୍ୟକୁ ନେଇ କୌଣସି ଟିପ୍ପଣୀ କରିନାହିଁ , କିନ୍ତୁ ଏହି ଘଟଣା ଏହି ସମୟରେ ହୋଇଛି , ଯେତେବେଳେ ଏହି ସପ୍ତାହର ପୂର୍ବରୁ ପ୍ୟାରିସ୍ରେ ଇସ୍ରାଏଲୀୟ ଏୟରାଲାଇନ୍ ‘ଏଲ୍ ଅଲ୍’ର ଅଫିସରେ ମଧ୍ୟ ନାଲି ରଙ୍ଗର ଲେପ ଫିଙ୍ଗା ଯାଇଥିଲା ଏବଂ କାନ୍ଥରେ ଫ୍ରି ପାଲେଷ୍ଟାଇନ୍ ତଥା “ EI AI genocide airline ” ଲେଖାଯାଇ ଥିଲା।
ନିକଟବର୍ତ୍ତୀ ମାସ ଗୁଡ଼ିକରେ ଗାଜାରେ ହମାସ ବିରୋଧରେ ଜାରି ଯୁଦ୍ଧ ମଧ୍ୟରେ ଅନେକ ଇହୁଦୀ ଓ ଇସ୍ରାଏଲୀୟ କେନ୍ଦ୍ରରେ ବିଦେଶରେ ଭଙ୍ଗାରୁଜା ଘଟଣା ବୃଦ୍ଧି ପାଇଛି। ଏହି ସବୁ ଆକ୍ରମଣକୁ ଇସ୍ରାଏଲ ବିରୋଧୀ ଓ ପାଲେଷ୍ଟାଇନ ସମର୍ଥକ ପ୍ରତିବାଦକାରୀଙ୍କ ସହ ଯୋଡ଼ା ଯାଉଛି।
ଇସ୍ରାଏଲର ସୁରକ୍ଷା ମନ୍ତ୍ରୀମଣ୍ଡଳ ନିକଟରେ ଗାଜା ସିଟିରେ ସେନା ନିୟନ୍ତ୍ରଣର ଯୋଜନାକୁ ଅନୁମୋଦନ ଦେଇଛି। ଏହାର ଉଦ୍ଦେଶ୍ୟ ହମାସକୁ ନିପାତ କରିବା , ବନ୍ଧକମାନଙ୍କୁ ମୁକ୍ତ କରିବା ଓ ଗାଜା ଉପରେ ସ୍ଥାୟୀ ନିୟନ୍ତ୍ରଣ ସ୍ଥାପନ କରିବା। ହେଲେ , ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଦୋହରାଇଛନ୍ତି ଯେ, ଏହି କବଜା ସବୁଦିନ ପାଇଁ ନୁହେଁ। ପରେ ପ୍ରଶାସନକୁ ସମ୍ଭାଳିବା ପାଇଁ ଏମିତି ଆରବ ବାହିନୀ ଗୁଡ଼ିକୁ ଦାୟିତ୍ୱ ଦିଆଯାଇ ପାରେ , ଯିଏ ଏହାକୁ ସଠିକ୍ ଭାବେ ପରିଚାଳନା କରି ପାରିବେ।
ଗାଜା ସିଟି ଓ ଅନ୍ୟ ସବୁ ଅନିୟନ୍ତ୍ରିତ ଅଞ୍ଚଳରେ ଆକ୍ରମଣର ପ୍ରସ୍ତୁତି ଅନୁସାରେ , ନାଗରିକଙ୍କୁ ସୁରକ୍ଷା ନାମରେ ହଟେଇବାର ଯୋଜନା କରାଯାଉଛି। ଏହି ପ୍ରକ୍ରିୟା ପାଇଁ ସୁରକ୍ଷା ଜୋନ୍ ନିର୍ଦ୍ଧାରିତ କରାଯାଇଛି, ଯାହା ଅକ୍ଟୋବର ଯାଏ ଚାଲିପାରେ।