ପ୍ରଶ୍ନୋତ୍ତର ବେଳେ ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି, ତାରା କହିଲେ- ‘ସେ ପ୍ରଥମେ ମୋ କଲର୍ ଧରିଲେ’

Published By : Prameya-News7 Bureau | March 11, 2025 IST

ଭୁବନେଶ୍ବର : ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ । ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଶାସକ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ହାତାହାତି ହୋଇଛନ୍ତି । 

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । କଂଗ୍ରେସ ବିଧାୟତ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ତାରା ବାହିନୀପତି, ସାଗର ଦାସ, ରୋମାଞ୍ଚ ରଂଜନ ବିଶ୍ଵାଳ, ଯୋଗେଶ ସିଂହ, ଦେବୀ ରଞ୍ଜନ ତ୍ରିପାଠୀ, ମାଧବ ଧଡା, ନବ ମଲ୍ଲିକ, ଅଭିମନ୍ୟୁ ସେଠୀ, ଚକ୍ରମଣି କହଁର ବିଧାନସଭା ରିପୋର୍ଟର ଟେବୁଲ ଉପରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । ତାରା ବାହିନୀପତି, ସାଗର ଦାସ ଚପଲ ପିନ୍ଧି ରିପୋର୍ଟର ଟେବୁଲ ଉପରେ ଚଢିଥିଲେ । ରିପୋର୍ଟିଂ ଟେବୁଲର ହେଡ୍‌ଫୋନ୍ ଉପାଡିଦେଲେ ବିରୋଧୀ ସଦସ୍ୟ । ହଟ୍ଟଗୋଳ ମଧ୍ୟରେ ଜାରି ରହିଥିଲା ପ୍ରଶ୍ନକାଳ ।

ଗୃହରେ ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଶାସକ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ହାତାହାତି ହୋଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀପତି । ସେ କହିଛନ୍ତି, ପ୍ରଥମେ ମୋ କଲର୍ ଧରିଲେ ଜୟନାରାୟଣ ।

ସେପଟେ ଗୃହରେ ପ୍ରବଳ ହଙ୍ଗାମା ଯୋଗୁଁ ଚାଲିପାରିଲାନି ଗୃହ । ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହଙ୍ଗାମାରୁ ଚାଲିପାରିଲାନି ଗୃହ । ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ ବସିଲେ କଂଗ୍ରେସ ବିଧାୟକ ।


You Can Read:

ବିରୋଧୀଙ୍କ ହୋ ହାଲ୍ଲା ଭିତରେ ଚାଲୁଛି ପ୍ରଶ୍ନକାଳ, ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ତାରା

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.