କ୍ଷମା ମାଗିବାକୁ ମନା କଲେ କମଲ ହାସନ, କର୍ଣ୍ଣାଟକରେ ରିଲିଜ୍ କରିବେ ନାହିଁ ନିଜ ଫିଲ୍ମ ‘ଠଗ୍ ଲାଇଫ’

Published By : Prameya-News7 Bureau | June 03, 2025 IST

ଚେନ୍ନାଇ: କନ୍ନଡ଼-ତାମିଲ ଭାଷା ବିବାଦରେ ଫସିଥିବା ଅଭିନେତା କମଲ ହାସନ କର୍ଣ୍ଣାଟକ ହାଇକୋର୍ଟ କଡ଼ା ଶବ୍ଦରେ ଭର୍ତ୍ସନା କରିବା ପରେ ବି କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଏଥିସହ ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ ଲାଇଫ’ ଜୁନ ୫ରେ କର୍ଣ୍ଣାଟକରେ ରିଲିଜ୍ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତାଙ୍କର ବୟାନକୁ ନେଇ କର୍ଣ୍ଣାଟକରେ ଜୋରଦାର ବିରୋଧ ଜାରି ରହିଛି। କମଲ ହାସନ କହିଥିଲେ ଯେ, କନ୍ନଡ ଭାଷା ତାମିଲ ଭାଷାରୁ ସୃଷ୍ଟି ହୋଇଛି। ଏହି କାରଣରୁ କର୍ଣ୍ଣାଟକରେ ତାଙ୍କ ଫିଲ୍ମର ରିଲିଜ୍‌କୁ ବିରୋଧ କରାଯାଉଛି ଏବଂ ରାଜ୍ୟରେ କମଲଙ୍କ ଫିଲ୍ମ ଉପରେ କଟକଣା ଲଗାଇବାକୁ ଦାବି ଉଠିଛି।

ଅଭିନେତାଙ୍କ ଓକିଲ ଅଦାଲତରେ କହିଛନ୍ତି ଯେ, କମଲ ହାସନ କନ୍ନଡ଼ର ବହୁତ ସମ୍ମାନ କରନ୍ତି ଏବଂ ଏହି ବିଷୟରେ କିଛି କହିବାର ଆଉ କୌଣସି ଆବଶ୍ୟକତା ନାହିଁ। ଅଭିନେତା କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଏହା ଉପରେ ଅଦାଲତ କହିଛନ୍ତି, ଏହା ଆପଣଙ୍କ ଅହଙ୍କାର ହିଁ କଥା କହୁଛି। ଓକିଲ ଏହା ମଧ୍ୟ କହିଛନ୍ତି ଯେ, ଏବେ ଆମକୁ ଆଉ ସୁରକ୍ଷାର ଆବଶ୍ୟକତା ନାହିଁ, କାରଣ ଆମେ କର୍ଣ୍ଣାଟକରେ ଫିଲ୍ମ ରିଲିଜ୍ କରୁନାହୁଁ। ଜୁନ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। 

Also read: ପାକିସ୍ତାନର ମୁଖା ଖୋଲିଲେ ଅଦନାନ ସାମୀ, ମାଆଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଦେଇନଥିଲେ ଭିସା

କମଲ ହାସନ କହିଛନ୍ତି, ମୋର ଶବ୍ଦର ଉଦ୍ଦେଶ୍ୟ କେବଳ  ଏହା ଜଣାଇବାର ଥିଲା ଯେ, ଆମେ ସମସ୍ତେ ଗୋଟିଏ ପରିବାରର। ମୁଁ କଦାପି କନ୍ନଡ଼କୁ ଦୁର୍ବଳ ଭାବେ ଚିତ୍ରଣ କରିବାକୁ ଚାହିଁନି। କନ୍ନଡ ଭାଷାର ସମୃଦ୍ଧ ଐତିହ୍ୟ ଉପରେ କୌଣସି ବିବାଦ କିମ୍ବା ବିତର୍କ ନାହିଁ। ତାମିଲ ପରି କନ୍ନଡରେ ମଧ୍ୟ ଏକ ଗୌରବମୟ ସାହିତ୍ୟିକ ଏବଂ ସାଂସ୍କୃତିକ ପରମ୍ପରା ଅଛି ଯାହାକୁ ମୁଁ ବହୁତ ଦିନ ଧରି ପ୍ରଶଂସା କରିଆସୁଛି।

ପ୍ରଡକ୍ସନ ହାଉସ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ ଧ୍ୟାନ ଚିନ୍ନପା କହିଛନ୍ତି, କମଲ ହାସନ ସର୍ବଦା କନ୍ନଡ଼ର ପ୍ରଶଂସା କରିଛନ୍ତି ଏବଂ ତାଙ୍କ ବୟାନର ଉଦ୍ଦେଶ୍ୟ ଅପମାନ କରିବା ନ ଥିଲା। ହେଲେ ନ୍ୟାୟାଳୟ ଏଥିରେ ସହମତ ହୋଇ ନ ଥିଲେ। ଅଦାଲତ କହିଛନ୍ତି, ଆପଣ ନିଜର ବ୍ୟବସାୟିକ ହିତ ପାଇଁ ଏଠାକୁ ଆସିଛନ୍ତି। ଏଥିପାଇଁ ଆପଣଙ୍କ ଦ୍ଵାରା ଉତ୍ପନ ସ୍ଥିତି ସମୟରେ ଆପଣଙ୍କୁ ପୋଲିସର ସୁରକ୍ଷା ଦରକାର। ଗୋଟିଏ କ୍ଷମାରେ ସବୁ କିଛି ସମାଧାନ ହୋଇଯିବ। 

କୋର୍ଟ ରାଜକମଲ ଫିଲ୍ମ ଇଣ୍ଟରନ୍ୟାସନାଲ ଦ୍ଵାରା ଦାଖଲ ଯାଚିକା ଉପରେ ଶୁଣାଣି କରୁଥିଲେ। ଯାଚିକାରେ କର୍ଣ୍ଣାଟକରେ ଠଗ୍ ଲାଇଫର ସୂଚାରୁ ରୂପେ ସ୍କ୍ରିନିଂ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ଓ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା। ଏହି ଯାଚିକା କର୍ଣ୍ଣାଟକ ଫିଲ୍ମ ଚାମ୍ବର ଅଫ କମର୍ସ(କେଏଫସିସି) ଦ୍ଵାରା ଦାୟର କରାଯାଇଥିଲା। ଆବେଦନରେ ତର୍କ ଦିଆଯାଇଥିଲା ଯେ, ଅଭିନେତାଙ୍କ ଟିପ୍ପଣୀକୁ ଭୁଲ୍ ଭାବେ ଚିତ୍ରଣ କରାଯାଇଛି ଏବଂ ଏହାର ଭୁଲ୍ ଅର୍ଥ ବାହାର କରାଯାଇଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.