କେରଳ ୦୪/୦୮: ବିଦାୟ 'ଦୁଇ ଟଙ୍କିଆ ଡାକ୍ତର' । ସେ ଥିଲେ କେରଳ କନ୍ନୁରର ଦ୍ୱିତୀୟ ଭଗବାନ । ‘ଜନତା ଡାକ୍ତର’ ଭାବେ ଥିଲେ ପରିଚିତ । ୮୦ ବର୍ଷ ବୟସରେ ଏକେ ରାଇରୁ ଗୋପାଳଙ୍କର ପରଲୋକ ହୋଇଛି । ଦୀର୍ଘ ପ୍ରାୟ ୫ ଦଶନ୍ଧିରୁ ଅଧିକ ସମୟ ଧରି ସେ କନ୍ନୁରସ୍ଥିତ ନିଜ ଘରେ ଏକ ଛୋଟ କ୍ଲିନିକ୍ ଚଳାଉଥିଲେ ।
ସେଠାରେ ଗରିବ, ଅବହେଳିତ ଲୋକଙ୍କର ଚିକିତ୍ସା କରୁଥିଲେ । ସେମାନଙ୍କଠାରୁ ରୋଗୀଦେଖା ବାବଦକୁ ମାତ୍ର ୨ ଟଙ୍କା ନେଉଥିଲେ । ସେଥିଯୋଗୁ ସ୍ଥାନୀୟ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘୨ ଟଙ୍କିଆ ଡାକ୍ତର’, ‘ଜନତାଙ୍କ ଡାକ୍ତର’ ଭାବେ ସମ୍ବୋଧନ କରୁଥିଲେ ।
ଗତ କିଛି ବର୍ଷ ହେଲା ସେ ତାଙ୍କର ଫି’କୁ ବଢ଼ାଇ ୪୦-୫୦ ଟଙ୍କା କରିଥିଲେ ତେବେ ତାହା ଅନ୍ୟ କ୍ଲିନିକ୍ ତୁଳନାରେ ଉଲ୍ଲେଖନୀୟ ଭାବେ କମ୍ ଥିଲା । ସକାଳୁ କାମକୁ ଯିବାକୁ ଥିବା ଦିନ ମଜୁରିଆ, ଛାତ୍ରଛାତ୍ରୀମାନଙ୍କର ସୁବିଧା ଲାଗି ଡାକ୍ତର ଗୋପାଳ ଭୋର୍ ୩ଟାରୁ ରୋଗୀ ଦେଖା ଆରମ୍ଭ କରୁଥିଲେ ।
ଖାସ୍ ସେଥିପାଇଁ ସକାଳ ହେବା ପୂର୍ବରୁ ତାଙ୍କ କ୍ଲିନିକ୍ ବାହାରେ ରୋଗୀଙ୍କର ଲାଇନ୍ ଲାଗି ଯାଉଥିଲା । ଦିନସାରା ସେ ୩୦୦ରୁ ଅଧିକ ରୋଗୀଙ୍କୁ ଦେଖୁଥିଲେ । ଏପରିକି ଅର୍ଥାଭାବରୁ ଔଷଧ କିଣିବାରେ ଅକ୍ଷମ ଥିବା ଲୋକଙ୍କୁ ମାଗଣାରେ ଔଷଧ ବି ଦେଉଥିଲେ । ତାଙ୍କର ଏହି କର୍ତ୍ତବ୍ୟ ନିଷ୍ଠା ଲାଗି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ମେ ୨୦୨୪ରେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯୋଗୁଁ ତାଙ୍କୁ ତାଙ୍କର କ୍ଲିନିକ୍ ବନ୍ଦ କରିବାକୁ ପଡିଥିଲା । ଯାହା ଅଞ୍ଚଳର ଗରିବ ରୋଗୀଙ୍କ ପାଇଁ ଏକ ବଡ଼ ଆଘାତ ଥିଲା ।
ସେପଟେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଡାକ୍ତର ରାଇରୁ ଗୋପାଳଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, 'ଗତ ୫୦ ବର୍ଷ ଧରି ସେ ମାତ୍ର ଦୁଇ ଟଙ୍କାରେ ଲୋକଙ୍କ ଚିକିତ୍ସା କରୁଥିଲେ। ଲୋକଙ୍କ ସେବା ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଗରିବ ରୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଥିଲା।'