ଲାଉଡସ୍ପିକର ବ୍ୟବହାର କରିବା କୌଣସି ଧର୍ମରେ ଅନିବାର୍ଯ୍ୟ ନୁହେଁ: ବମ୍ବେ ହାଇକୋର୍ଟ

Published By : Prameya-News7 Bureau | January 24, 2025 IST

indiatoday

ମୁମ୍ବାଇ: ଲାଉଡସ୍ପିକର ବ୍ୟବହାର କରିବା କୌଣସି ଧର୍ମରେ ଅନିବାର୍ଯ୍ୟ ନୁହେଁ। ଏକଥାକୁ ପୁଣିଥରେ ଦୋହରାଇଛନ୍ତି ବମ୍ବେ ହାଇକୋର୍ଟ। ଗୁରୁବାର ଏ ସମ୍ପର୍କିତ ଏକ ମାମଲାରେ ରାୟ ଶୁଣାଇ କୋର୍ଟ କହିଛନ୍ତି ଯେ ଯେଉଁ ଧାର୍ମିକ ସ୍ଥାନଗୁଡ଼ିକରେ ଲାଉଡସ୍ପିକର ଦେଇ ଶବ୍ଦ ପ୍ରଦୂଷଣ କରାଯାଉଛି, ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ମୁମ୍ବାଇ ଓ ମହାରାଷ୍ଟ୍ର ପୁଲିସ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାର ଶକ୍ତି ପୁଲିସ ପାଖରେ ରହିଛି। ଏବଂ ସେ ଏହାର ଉପଯୋଗ କରିବା ଦରକାର ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। 

ବିଚାରପତି ଏ.ଏସ୍. ଗଡକରୀ ଏବଂ ଏସ୍.ସି. ଚାଣ୍ଡକଙ୍କ ଖଣ୍ଡପୀଠ ଏନେଇ ପଦକ୍ଷେପ ନେବାକୁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସଂସ୍ଥାମାନେ ଲାଉଡସ୍ପିକର ବ୍ୟବହାର କରୁଛନ୍ତି ସେମାନେ ସେଥିରେ ଡେସିବଲ ସ୍ତର ନିୟନ୍ତ୍ରଣ କରିବାକୁ ଉପକରଣ ଲଗାନ୍ତୁ। ସେ ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି ସାର୍ବଜନିକ ସମ୍ବୋଧନ କିମ୍ବା ଧାର୍ମିକ ସ୍ଥଳଗୁଡ଼ିକରେ ଏଭଳି ବ୍ୟବସ୍ଥା କରିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି କୋର୍ଟ କହିଛନ୍ତି। 

ଯେପର୍ଯ୍ୟନ୍ତ ଅସହ୍ୟ ନ ହୋଇଛି ସେ ପର୍ଯ୍ୟନ୍ତ ଲୋକେ ଅଭିଯୋଗ କରନ୍ତି ନାହିଁ। ତେଣୁ ଯିଏ ଅଭିଯୋଗ କରୁଛନ୍ତି ତାଙ୍କର ପରିଚୟ ଉଜାଗର ନ କରି, କିଏ ଅଭିଯୋଗ କରିଛି ସେ ସବୁ ନଦେଖି ଏଭଳି ଅଭିଯୋଗ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବା ଦରକାର। ତା ସହିତ ରାଜ୍ୟରେ ପୁଲିସ ଶବ୍ଦ ଡେସିବଲ ମାପିବାକୁ ଏକ ଆପ୍‌ ବ୍ୟବହାର କରିବାକୁ ରାଜ୍ୟ ସରକାର ପୁଲିସକୁ ନିର୍ଦ୍ଦେଶ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି। 

ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଏଭଳି ଅଭିଯୋଗ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ। ଯେଉଁମାନେ ବାରମ୍ବାର ଧ୍ୱନୀ ପ୍ରଦୂଷଣ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଠାରୁ ଲାଉଡସ୍ପିକର ଅନୁମତି ରଦ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଜାଗୋ ନେହେରୁ ନଗର ରେସିଡେଣ୍ଟସ୍ ୱେଲଫେୟାର ଆସୋସିଏସନ ପକ୍ଷରୁ ଓକିଲ କୌଶିକ ମହାତ୍ରେ ଏନେଇ କୋର୍ଟରେ ଆବେଦନ କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ଚୁନାଭଟ୍ଟି ଏବଂ ନେହେରୁ ନଗର, କୁର୍ଲା (ପୂର୍ବ)ରେ ଅନେକ ମସଜିଦ୍ ଏବଂ ମାଦ୍ରାସା ରହିଛି। ଏହି ମସଜିଦଗୁଡ଼ିକରେ ଲାଉଡସ୍ପିକର୍, ମାଇକ୍ରୋଫୋନ୍ ଏବଂ/ଅଥବା ଆମ୍ପ୍ଲିଫାୟାର ରଖାଯାଇ ତୀବ୍ର ବେଗରେ ଶବ୍ଦ ସୃଷ୍ଟି କରାଯାଉଛି। ଏହା ଖୁବ୍ ଅସହ୍ୟ ବୋଲି ମହାତ୍ରେ କହିଥିଲେ। 

ତା ଛଡ଼ା ସକାଳ ୫ଟା ଓ ପର୍ବପର୍ବାଣୀ ସମୟରେ ରାତି ଦଢ଼େଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ଲଗା ଯାଉଛି। ଯାହା ନିୟମ ବିରୁଦ୍ଧ ବୋଲି ମହାତ୍ରେ ତାଙ୍କ ଆବେଦନରେ ଦର୍ଶାଇଥିଲେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.