ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା, ୨୯ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା

Published By : Prameya-News7 Bureau | May 27, 2025 IST

ଭୁବନେଶ୍ୱର ୨୭/୦୫: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଆଗକୁ ଅଗ୍ରସର ହେଉଛି । ସୋମବାର ଏହା ମୁମ୍ବାଇ ସମେତ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ,  କର୍ଣ୍ଣାଟକ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳ,  ତ୍ରିପୁରା, ମଣିପୁର, ନାଗାଲାଣ୍ଡ ଓ ଆସାମର କିଛି ଅଞ୍ଚଳରେ ପହଞ୍ଚିଛି । ୨୮ ବା ୨୯ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚିପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି । 

ମଙ୍ଗଳବାର ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର  ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର  ସମ୍ଭାବନା ଅଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ  ଉତ୍ତର ଓଡ଼ିଶା, ସୁନ୍ଦରଗଡ଼ ଓ ଦେବଗଡ଼ରେ ଭଲ ବର୍ଷା  ହେବ । ଆଗକୁ ବର୍ଷା ହେବାର ଥିବାରୁ ୨୯ ତାରିଖ ସୁଦ୍ଧା ଓଡ଼ିଶାରେ ମୌସୁମୀ ପହଞ୍ଚିଯିବ ବୋଲି ପାଣିପାଗ ବିଭାଗ  ଆକଳନ କରିଛି ।

ମଙ୍ଗଳବାର ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା  ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର,  ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ଭାରି  ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ,  ସୋନପୁର, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀରେ  ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦କିମି ବେଗରେ ପବନ  ବହିବ ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି ।  

ଗତ ୨୪ ଘଣ୍ଟାରେ ସମ୍ବଲପୁରର ବୁର୍ଲାରେ  ୬୪.୨ମିମି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ୬୨, ବରଗଡ଼  ଜିଲ୍ଲା ବରପାଲ୍ଲିରେ ୫୨, ରାୟଗଡ଼ା ଜିଲ୍ଲା କୋଲନରାରେ  ୪୯.୪, ପୁରୀ ଜିଲ୍ଲା କାକଟପୁରରେ ୪୩, କେନ୍ଦ୍ରାପଡ଼ା  ଜିଲ୍ଲା ପଟ୍ଟାମୁଣ୍ଡାଇରେ ୩୭, ଜଗତସିଂହପୁର ଜିଲ୍ଲା  ପାରାଦୀପରେ ୩୫.୪, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ  ୩୪, ରାୟଗଡ଼ାରେ ୩୩.୪, ଜଗତସିଂହପୁର ବାଲିକୁଦାରେ  ୩୦ମିମି ବର୍ଷା ରେକର୍ଡ ହୋଇଛି । ସୋମବାର ସକାଳୁ ସନ୍ଧ୍ୟା  ପର୍ଯ୍ୟନ୍ତ ରାୟଗଡ଼ାରେ ୪୭.୬ ମିମି, ପାରଳାଖେମୁଣ୍ଡିରେ  ୨୮, କୋରାପୁଟରେ ୨୦.୬ମିମି ବର୍ଷା ହୋଇଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.