ପୁରୀ ମଙ୍ଗଳାଘାଟ ପାଟଣା ଗାଁରେ ମାନସ ମନ୍ଦିରର ଭୂମି ପୂଜନ କଲେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 04, 2025 IST

ପୁରୀ ୪।୭: ପୁରୀର ମଙ୍ଗଳାଘାଟ ଠାରେ ଆୟୋଜିତ ରାମ ଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ଜଗତ ଗୁରୁ ରାମଭଦ୍ରାଚାର୍ଯ୍ୟ ମହାରାଜ ଅଧ୍ୟକ୍ଷତା କରି ଏହି ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ । ରାଘବ ପରିବାର ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଓ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ପାଟଣା ଗ୍ରାମରେ ଭଗବାନ ଶ୍ରୀରାମ ଚରିତ ମାନସ ଭବ୍ୟ ମନ୍ଦିର ହେବା ଏକ ସୌଭାଗ୍ୟର ବିଷୟ ଏବଂ ଏହି ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବାକୁ ଜଗତ ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜଙ୍କ ଆଗମନ ଆମ ପାଇଁ ଆଶୀର୍ବାଦ । ଏଠାରେ ରାମ ଚରିତ ମାନସ ମନ୍ଦିର ପ୍ରତିଷ୍ଠା ହିନ୍ଦୁ ପରମ୍ପରାର ଏକ ଅନନ୍ୟ ନିଦର୍ଶନ ।

ଆଗାମୀ ୧୦ ବର୍ଷ ଅର୍ଥାତ୍ ୨୦୩୬ ମସିହା ପର୍ଯ୍ୟନ୍ତ ଆମର ଭିଜନ ଡକୁମେଣ୍ଟ "୩୬ ପାଇଁ ୩୬" ପ୍ରସ୍ତୁତ ଅଛି ଏବଂ ସରକାର ସେଇ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କର ସମାଜର ୪ଟି ବର୍ଗ- ଅନ୍ନଦାତା, ଗରିବ, ମହିଳା ଓ ଯୁବାଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ସମସ୍ତ ଯୋଜନାକୁ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ପୁଣି କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଭାବରେ ଏବଂ ୨୦୪୭ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ବିକଶିତ ଭାରତକୁ ସାକାର କରିବ । ରାଜ୍ୟରେ ସମସ୍ତ ଜନହିତକର ଯୋଜନା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚୁଛି ଏବଂ ଓଡ଼ିଶା ବିକାଶର ଶିଖର ଛୁଇଁବ ।

ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ସେହି ସ୍ଥାନରେ ଏକ ନିମ୍ବ ଗଛ ଲଗାଇଥିଲେ ଏବଂ ଭୂମି ପୂଜନ ଯଜ୍ଞରେ ନିର୍ମାଣ ପ୍ରସ୍ତରର ଶୁଭ ଦେଇଥିଲେ ।

ଏହି ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

You Can Read:

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ମହାନଗର ନିଗମ ହେବ ପୌରପାଳିକା, ପ୍ରତିଷ୍ଠା ହେବ ଜଗନ୍ନାଥ ମ୍ୟୁଜିୟମ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.