ଭାରତର ପ୍ରଥମ ଓ ଏକମାତ୍ର ମହିଳା ପାଇଲଟ୍, ଯିଏ ଉଡାଉଛନ୍ତି ଲଢୁଆ ରାଫେଲ ବିମାନ

Published By : Prameya-News7 Bureau | May 12, 2025 IST

ନୂଆଦିଲ୍ଲୀ୧୨/୦୫:ପହଲଗାମ୍‌ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଭାରତର ପ୍ରଚଣ୍ଡ ପ୍ରହାରରେ ଥରହର ଶତ୍ରୁଦେଶ । ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ସ୍ଥାନ ଧ୍ବସଂବିଧ୍ବସଂ ହୋଇଯାଇଛି । ଆତଙ୍କବାଦୀଙ୍କ ଶିବିର ଉପରେ ରାଫେଲ ଜେଟ୍‌ରୁ ହୋଇଥିଲା କ୍ଷେପଣାସ୍ତ୍ର ମାଡ । ଆଉ ଏବେ ରାଫେଲ ବିମାନକୁ ନେଇ ଚର୍ଚ୍ଚା ଜୋର । ହେଲେ ଆପଣ ଜାଣିଛନ୍ତି ଲଢୁଆ ବିମାନ ରାଫେଲ ଚଲାଉଥିବା  ଭାରତର ପ୍ରଥମ ଓ ଏକମାତ୍ର ମହିଳା ପାଇଲଟ କିଏ ।


ୟେ କାହାଣୀ ପ୍ରାୟ ୨ ଦଶନ୍ଧି ତଳର । ଦିଲ୍ଲୀର ବାୟୁସେନା ସଂଗ୍ରହାଳୟକୁ ପରିବାର ସହ ବୁଲି ଆସିଥିଲା ୯ ବର୍ଷର ଛୋଟ ଝିଅଟି । ପ୍ରଥମ ଥର ପାଇଁ ଏଠି ସେ ବିମାନକୁ ଛୁଇଁଥିଲା ଏହି ବିମାନ ତାକୁ ଏତେ ଭଲ ଲାଗିଥିଲା ଯେ ସେ ମନେ ମନେ ଭାବିନେଇଥିଲା ବଡ ହେଲେ ପାଇଲଟ ହେବି ।  ସେହି ସମୟରେ କାହାକୁ ଜଣାନଥିଲା ଏହି କୁନି ଝିଅଟି ଦିନେ ଭାରତର ଲଢୁଆ ବିମାନ ରାଫେଲର ଏକମାତ୍ର ମହିଳା ପାଇଲଟ୍‌ ହୋଇଯିବ । ଏହି ଝିଅର ନାଁ ଶିବାଙ୍ଗୀ ସିଂ । ଯିଏ ଆଜି ଭାରତର ଶକ୍ତିଶାଳୀ ବାୟୁସେନାର ଏକ ଚେହେରା ହୋଇସାରିଛନ୍ତି । 


30 ବର୍ଷୀୟ ଶିବାଙ୍ଗୀ ଉତ୍ତରପ୍ରଦେଶର ବାରାଣାସୀ ବାସିନ୍ଦା । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସାରି ହାଇଦ୍ରାବାଦର ଭାରତୀୟ ବାୟୁସେନା ଏକାଡେମୀରୁ ନେଇଥିଲେ ଟ୍ରେନିଂ । ଏହା ପରେ ୨୦୧୭ରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ । ୨୦୨୦ରେ ରାଫେଲ ପାଇଲଟ ଭାବରେ ତାଙ୍କୁ ଚୟନ କରାଯାଇଥିଲା ସେହିଦିନ ସେ ରାଫେଲ ଉଡାଇବାରେ ପ୍ରଥମ ମହିଳା ପାଇଲଟ୍‌ ହୋଇଥିଲେ ।ପୂର୍ବରୁ ଶିବାଙ୍ଗୀ ମିଗ୍‌-୨୧ ବିମାନ ବି ଉଡାଇସାରିଛନ୍ତି । ଶିବାଙ୍ଗୀଙ୍କ ସ୍ବାମୀ ମଧ୍ୟ ଭାରତୀୟ ବାୟୁସେନାର ଫାଇଟର ପାଇଲଟ । 


ଶିବାଙ୍ଗୀ ସେଦିନର କଥାକୁ ମନେ ପକାଇ କୁହନ୍ତି ମୁଁ ଯେତେବେଳେ ପ୍ରଥମ ଥର ପାଇଁ ବିମାନ ଉଡାଇଥିଲି ବେଶ ନର୍ଭସ ଓ ଚିନ୍ତିତ ଥିଲି । ହେଲେ ତାଙ୍କର କିଛି କରି ଦେଖାଇବାର ଆତ୍ମବିଶ୍ବାସ ତାଙ୍କୁ ପଛକୁ ଫେରିବାକୁ ଦେଇନଥିଲା । ଶିବାଙ୍ଗୀ ଫରାସୀ ପ୍ରଶିକ୍ଷକଙ୍କ ଠାରୁ ସିମୁଲେଟର ତାଲିମ ମଧ୍ୟ ନେଇଛନ୍ତି। ଶିବାଙ୍ଗୀ ଏକ ଇଣ୍ଟରଭିୟୁରେ କହିଥିଲେ  ମୋ ମାଆ ମୋର ପ୍ରେରଣା । ତାଙ୍କ ସ୍ବପ୍ନ ଥିଲା ମୁଁ ଶିକ୍ଷିତ ହେବା ସହ ଆତ୍ମନିର୍ଭରଶୀଳ ହୁଏ । ସେ ଚାହୁଁଥିଲେ ଯେ ମୁଁ କେବଳ ଶିକ୍ଷିତ ହେଲେ ହେବନି ବରଂ ଆତ୍ମନିର୍ଭରଶୀଳ ମଧ୍ୟ ହୁଏ। ଏତିକିରେ ଶିବାଙ୍ଗୀଙ୍କ ସଫଳତାର ଯାତ୍ରା ସରିନି । ଆଉ ପାଦେ ଆଗେଇ ମହାକାଶଚାରୀ ହେବାକୁ ଚାହୁଁଛନ୍ତି ସେ । ପାଇଲଟ୍ ତାଲିମ ପାଇଁ ସେ ଆବେଦନ କରିସାରିଛନ୍ତି ।କାରଣ ସେ ଭାରତର ମାନବଯୁକ୍ତ ମହାକାଶ ମିଶନର ଅଂଶ ହେବାକୁ ଚାହୁଁଛନ୍ତି।


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.