ବିଶ୍ୱର ସବୁଠୁ ଖତରନାକ୍ ଗୁଇନ୍ଦା ଏଜେନ୍ସି, ଇରାନ୍‌ ପାଇଁ କଣ୍ଟା ଇସ୍ରାଏଲ ମୋସାଦ୍‌ ‘ଭୂତସେନା’

Published By : Prameya-News7 Bureau | June 20, 2025 IST

ନୂଆଦିଲ୍ଲୀ ୨୦/୦୬: ଦଶନ୍ଧି ଦଶନ୍ଧି ଧରି କରୁଛି ରାଜ୍ । ମୋସାଦ୍‌ ପାଇଁ ‘କ୍ରୀଡ଼ାଭୂଇଁ’ ପାଲଟିଛି ଇରାନ୍‌ । ବିଶ୍ୱରେ ସବୁଠୁ ପ୍ରଭାବୀ ଗୁଇନ୍ଦା ଏଜେନ୍ସି । ମାନବ ଗୁଇନ୍ଦା, ସାଇବର ଅପରାଧ, ହାଇଟେକ୍‌ ହତ୍ୟା ଓ ମନସ୍ତତ୍ତ୍ୱିବିତ୍ ୱାରଫେୟାର । ଅନେକ ଘଟଣାରେ ଜଡ଼ିତ ରହି ଇରାନ୍‌ରେ ଚଳାଇଛି ଛାୟା ଯୁଦ୍ଧ । 

ଏମିତିକି ଫିକା ପଡିଯାଉଛି ଇରାନ୍‌ର ଆଣବିକ ଉଦ୍ଦେଶ୍ୟ । ଇରାନ୍‌ରେ ମୋସାଦ୍‌ର ଉପସ୍ଥିତି ଶତ୍ରୁ ହେଉଛି ଥରହର । ଗତ ୧୦- ୧୫ ବର୍ଷ ହେଲା ଏହାର ପ୍ରଭାବ ଢେର୍ ବଢ଼ିଯାଇଛି । ୨୦୧୦ରେ ଇରାନ୍‌ ୟୁରାନିୟମ୍‌ ହାସଲକୁ ଫଳପ୍ରସୂ କରିବା ବେଳକୁ ବେଶ୍‌ ସକ୍ରିୟ ହୋଇଯାଇଥିଲା ମୋସାଦ୍‌ । ଇସ୍ରାଏଲ୍‌ର ନୂଆ ରଣନୀତି ଭାବେ ଇରାନ୍‌ରେ ଥିବା ସଂଖ୍ୟାଲଘୁ, ବିଚ୍ଛିନ୍ନତାବାଦୀ, ବିଦ୍ରୋହୀଙ୍କୁ କରାଯାଇଥିଲା ଟାର୍ଗେଟ୍‌ ।

ଇସ୍ରାଏଲ ବିରୋଧରେ ଦେବାକୁ ପଡେ ରକ୍ତର ମୂଲ୍ୟ । ବିଶ୍ୱ ଜାଣିଥିଲା ଏହାର ପ୍ରଚ୍ଚଦପଟ ନାୟକ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ।୧୩ ଡିସେମ୍ବର ୧୯୪୯ ରେ ଗଠିତ ହୋଇଥିଲା ମୋସାଦ୍। ଗୁପ୍ତ ଅପରେସନ୍, ଗୁପ୍ତ ସୂଚନା ସଂଗ୍ରହ ଓ ଆତଙ୍କବାଦ ବିରୋଧରେ ଲଢ଼ିବାରେ ଯାହାର ନାହିଁ କୌଣସି ତୁଳନା । 

ବର୍ଷ ବର୍ଷ ଧରି ଏଠାରେ ସ୍ଲିପର୍‌ସେଲ୍‌ ଆକ୍ଟିଭ ରହି ଲଜିଷ୍ଟିକ୍ସ, ସର୍ଭେଲାନ୍ସ ନେଟ୍‌ୱର୍କ ଏବଂ ଯୋଗାଯୋଗ ହବ୍‌କୁ ଆକ୍ସେସ କରିଥିଲା । କୌଶଳକ୍ରମେ ଇରାନ୍‌ର ଗୁଇନ୍ଦା ଓ ସାମରିକ ସେବା ବିଭାଗରେ ନିଜ ଅପରେଟିଭ୍‌ଙ୍କୁ ସାମିଲ କରାଇଥିଲା ମୋସାଦ୍‌ । ମୋସାଦ ଏତେ ସତର୍କତାର ସହ କାମ କରେ ଯାହାର ଟେର୍ ପାଇବା ବି ଅସମ୍ଭବ । 


୨୦୧୮ରେ, ମୋସାଦ୍‌ କରିଥିଲା ଗୁରୁତ୍ୱପୂର୍ଣ୍ଣ ଅପରେସନ । ଏଜେଣ୍ଟମାନେ ତେହରାନ୍‌ସ୍ଥିତ ୱେରହାଉସ୍‌କୁ ଟାର୍ଗେଟ୍‌ କରି ଇରାନ୍‌ର ‘ଏଏମ୍‌ଏଡି’ ପ୍ରକଳ୍ପ ସଂକ୍ରାନ୍ତ ୧ ଲକ୍ଷ ଦସ୍ତାବିଜ ଚୋରାଇ ନେଇଥିଲେ । ୨୦୨୧ରେ ଇରାନ୍‌ର ନତାଞ୍ଜ୍‌ ଆଣବିକ ଘାଟିରେ କରାଯାଇଥିଲା ବିସ୍ଫୋରଣ । କୁହାଯାଏ ମୋସାଦ୍‌ ଏଠାରେ ଅନେକ ମାସ ଧରି ବିସ୍ଫୋରକ ଡିଭାଇସ୍‌ ଖଞ୍ଜିଥିଲା ଏବଂ ସେଗୁଡ଼ିକୁ ରିମୋଟ୍‌ ସହାୟତାରେ ସକ୍ରିୟ କରି ବିସ୍ଫୋରଣ ଘଟାଇଥିଲା । ମୋସାଦ୍‌ର ଏଭଳି ଶକ୍ତି ବଳରେ ଇସ୍ରାଏଲ୍‌ ଏବେ ଇରାନ୍‌ ଉପରେ ଭାରୀ ପଡ଼ିବାରେ ଲାଗିଛି । ମୋସାଦ୍‌ ହିଁ ଇରାନ୍‌ର ପରାଜୟର ପ୍ରମୁଖ କାରଣ ସାଜିବ ବୋଲି କୁହାଯାଉଛି ।

୧୯୭୨ରେ ଅଲିମ୍ପିକ୍ ରେ ବି ଦେଖିବାକୁ ମିଳିଥିଲା ମୋସାଦର ଦବ୍‌ଦବା । ଜର୍ମାନୀର ମ୍ୟୁନିଚ୍ ଅଲିମ୍ପିକ୍‌ରେ ୧୧ ଇସ୍ରାଏଲୀ ଖେଳାଳିଙ୍କ ମୃତ୍ୟୁ ହୋଇଥିଲା। ଯାହାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଆରମ୍ଭ କରିଥିଲା  ଅପରେସନ୍ ରାଥ୍ ଅଫ୍ ଗଡ୍ । ବର୍ବର କାଣ୍ଡ ପଛରେ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲା ମୋସାଦ ବାହିନୀ । 

ସେହିଭଳି ୧୯୭୬ରେ, ପପୁଲାର ଫ୍ରଣ୍ଟ୍ ଫର୍ ଲିବରେସନ୍ ଅଫ୍ ପାଲେଷ୍ଟାଇନର ସଦସ୍ୟଙ୍କୁ ନେଇ ପ୍ୟାରିସ୍ ଯାଉଥିବା ବିମାନକୁ କରାଯାଇଥିଲା ଅପହରଣ । ଆଉ ଏହାକୁ ଅତି ସହଜରେ ମୁକୁଳାଇଥିଲେ ମୋସାଦ ଇସ୍ରାଏଲୀ କମାଣ୍ଡୋ । ବିମାନବନ୍ଦର ଉପରେ ଆକ୍ରମଣ କରି ୧୦୦ ଜଣ ଇସ୍ରାଏଲୀ ଓ ଯିହୂଦୀ ବନ୍ଧକଙ୍କୁ ରକ୍ଷା କରିଥିଲେ। 

ସବୁଠୁ ବହୁତ ସଫଳ ଅପରେସନ ଥିଲା ଗତ ବର୍ଷ ପେଜର ବ୍ଲାଷ୍ଟ । ଲେବାନନର ହିଜବୋଲା ଦ୍ୱାରା ବ୍ୟବହୃତ ହଜାର ହଜାର ୱାକି-ଟକି ଓ ପେଜରଗୁଡ଼ିକୁ ବିସ୍ଫୋରଣ କରି ସାରା ବିଶ୍ୱକୁ ଚକିତ କରିଥିଲା ଇସ୍ରାଏଲ । ୧୭ ସେପ୍ଟେମ୍ବର ୨୦୨୪ରେ ହଜାର ହଜାର ପେଜର ବିସ୍ଫୋରଣ ହୋଇଥିଲା। ଆକ୍ରମଣରେ ଅତି କମରେ ୪୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୫୦୦ ରୁ ଅଧିକ ଆହତ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.