ଭୁବନେଶ୍ବର ୩୦।୧: ଓଡ଼ିଶା ଉଦ୍ୟୋଗ ଓ ସୃଜନଶୀଳତାର ଏକ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି । ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫’ରେ ଷ୍ଟାର୍ଟଅପ୍ ଓଡ଼ିଶା ଏହି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ପାରିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଓଡ଼ିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏବଂ କମଲଜିତ ଦାସ, ଓଏଏସ୍, ଯୁଗ୍ମ ସଚିବ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ (ସିଏଓ)ଙ୍କ ଉପସ୍ଥିତିରେ ପ୍ରମୁଖ କମ୍ପାନୀ ସହିତ ୯ଟି ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି । ଏହି ଅବସରରେ ଏକ କଫି ଟେବୁଲ ବୁକ୍ ଏବଂ ଏକ ନ୍ୟୁଜ ଲେଟର ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ୩ଟି ପୂର୍ଣ୍ଣାଙ୍ଗ ଅଧିବେଶନ ଆୟୋଜନ କରାଯାଇଥିଲା । ଏହି ଅଧିବେଶନରେ ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଭିବୃଦ୍ଧି ତଥା ବିକାଶର ଅଗ୍ରଗତି ପାଇଁ ରାଜ୍ୟ ଏବଂ ଏହାର ପ୍ରମୁଖ ଅଂଶୀଦାରମାନଙ୍କର ସାମୁହିକ ପ୍ରତିବଦ୍ଧତା ସ୍ପଷ୍ଟ ହୋଇଥିଲା ।
ଓଡ଼ିଶାରେ ଷ୍ଟାର୍ଟଅପର ବିକାଶ ଉପରେ ନିଜର ମତ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ଷ୍ଟାର୍ଟଅପର ହବ୍ ଭାବେ ନିଜକୁ ବିକଶିତ କରୁଛି । ଏହା ରାଜ୍ୟର ଉଦ୍ୟୋଗିକ ମନୋଭାବ ଏବଂ ସୃଜନଶୀଳତାର ପରିଚୟ ଦିଏ । ଆଇଆଇଟି ଭୁବନେଶ୍ୱରର ସହଯୋଗରେ ତଥା ସହାୟକ ନୀତିରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ସହ ସମନ୍ୱୟ ରଖି ଶିକ୍ଷା, କ୍ରୀଡ଼ା, ଆଇଟି, ସଂସ୍କୃତି ଆଦି କ୍ଷେତ୍ରକୁ ଗୁରୁତ୍ୱ ଦେଇ ଏହାର ବିକାଶ ଓ ଅଭିବୃଦ୍ଧି ପାଇଁ ଏକ ପରିବେଶ ଅନୁକୂଳ ବ୍ୟବସ୍ଥା ଗଠନକୁ ପ୍ରୋତ୍ସାହନ ଦେଉଛନ୍ତି । ରାଜ୍ୟ ତାହାର ଚିନ୍ତାଧାରାକୁ ପ୍ରଭାବଶାଳୀ ବ୍ୟବସାୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସମର୍ଥନ, ପରାମର୍ଶ ଏବଂ ଭିତ୍ତିଭୂମି ସହ ଯୁବଗୋଷ୍ଠୀଙ୍କୁ ସଶକ୍ତ କରୁଛି । ଓଡ଼ିଶା ଷ୍ଟାର୍ଟଅପ୍ ଦ୍ୱାରା ଏକ ଆଞ୍ଚାଳିତ ଭବିଷ୍ୟତ ନିର୍ମାଣ କରୁଛି ଯାହା କି ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ନିଜକୁ ସ୍ଥାନିତ କରିପାରଛି । ନବସୃଜନ ଏବଂ ପ୍ରଗତିର ଯାତ୍ରା ଏବେ ଆରମ୍ଭ ହେଉଛି ।
ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଅଭିଭାଷଣ ରଖି କହିଥିଲେ, ‘ରାଜ୍ୟର ଲକ୍ଷ୍ୟ, ଓଡ଼ିଶାକୁ ୧୦୦ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ୧୦୦ଟି ଷ୍ଟାର୍ଟଅପକୁ ଆକର୍ଷିତ କରିବା । ଓଡ଼ିଶାକୁ ନବସୃଜନ ଓ ଅଭିବୃଦ୍ଧିର କେନ୍ଦ୍ରରେ ପରିଣତ କରିବା । ଭୁବନେଶ୍ୱର ନେତୃତ୍ୱରେ ଷ୍ଟାର୍ଟଅପ ଓଡ଼ିଶା ପ୍ରଥମ ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦେଉଛି, ନିଯୁକ୍ତି ସୁଯୋଗ ଆଣି ଦେଇଛି, ଔଦ୍ୟୋଗିକ କ୍ଷେତ୍ରରେ ଓଡ଼ିଶାକୁ ଶୀର୍ଷ ଲକ୍ଷ୍ୟସ୍ଥଳରେ ସ୍ଥାନିତ କରିଛି । ରାଜ୍ୟର ଲକ୍ଷ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଆଇଟି, କ୍ରୀଡ଼ା ଏବଂ ସଂସ୍କୃତି ଆଦି କ୍ଷେତ୍ର ଉପରେ କେନ୍ଦ୍ରିତ । ଏଥିସହିତ ଆଇଆଇଟି ଭୁବନେଶ୍ୱର ସହଯୋଗରେ ଏକ କ୍ରୀଡ଼ା ଅର୍ଥନୈତିକ ଜୋନ ସ୍ଥାପନ କରିବା ତଥା ଷ୍ଟାର୍ଟଅପକୁ ସମର୍ଥନ କରିବାର ଯୋଜନା ରଖିଛି । ଉତ୍କର୍ଷତା ଏବଂ ସୃଜନଶୀଳତାରେ ନିଜର ଯୁବଶକ୍ତିକୁ ବିଶ୍ୱସ୍ତରୀୟ ନେତୃତ୍ୱ ଭାବେ ଗଢି ତୋଳିବାକୁ ଓଡ଼ିଶା ପ୍ରତିବଦ୍ଧ, ଯାହାର ଲକ୍ଷ୍ୟ ୨୦୩୬ ଅଲମ୍ପିକ ଆୟୋଜନ କରିବା ।
ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ତାଙ୍କ ଅଭିଭାଷଣରେ କହିଛନ୍ତି, ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ର ଆୟୋଜନ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ଯାହା କି ନବସୃଜନର ଉତ୍ସବ ପାଳନ କରିବା ପାଇଁ ଉଦ୍ୟୋଗୀ, ନିବେଷକ ଏବଂ ନୀତି ନିର୍ଦ୍ଧାରକଙ୍କୁ ଏକାଠି କରିଛି । ଓଡ଼ିଶା ଏକ ସମୃଦ୍ଧ ଷ୍ଟାର୍ଟଅପର ହବ୍ ବା କେନ୍ଦ୍ର ପାଲଟିଛି ଯାହା କି ଯୁବକ ଓ ମହିଳାଙ୍କୁ ସଶକ୍ତ କରିପାରିଛି ଏବଂ ସମସ୍ତ କ୍ଷେତ୍ରରେ ବିକାଶକୁ ଗୁରୁତ୍ୱ ଦେବା ପାଇଁ ମଜବୁତ ସମର୍ଥନ ଦେଉଛି । ଏହି ଆୟୋଜନ ଓଡ଼ିଶାକୁ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ର ଲକ୍ଷ୍ୟସ୍ଥଳ କରିବା, ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଭବିଷ୍ୟତ ଗଠନ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରୁଛି ।
ଏହି କନକ୍ଲେଭରେ ପ୍ରମୁଖ ବକ୍ତାମାନଙ୍କ ମଧ୍ୟରେ ଏସ୍ ଭେଞ୍ଚର୍ସର ସିଇଓ, ଫାଉଣ୍ଡର ତଥା ସ୍ନାପଡିଲର ସହ ପ୍ରତିଷ୍ଠାତା କୁନାଲ ବହଲ, ୟୁନିକର୍ଣ୍ଣ ଇଣ୍ଡିଆ ଭେଞ୍ଚର୍ସର ସହ ପ୍ରତିଷ୍ଠାତା ଏବଂ ପରିଚାଳନା ସହଯୋଗୀ ଭାସ୍କର ମଜୁମଦାର, ୟୁନିକର୍ଣ୍ଣ ଇଣ୍ଡିଆ ଭେଞ୍ଚର୍ସର ବରିଷ୍ଠ ପରାମର୍ଶଦାତା ରତୁନ ଲାହିରୀ ଏବଂ ଇସ୍ରାଏଲ ଦୂତାବାସର ଇନୋଭେସନ୍ ଆଟାଚି ମାୟା ଶେରମାନ୍ ସାମିଲ ହୋଇଥିଲେ । ଏହି ବିଶିଷ୍ଟ ବ୍ୟକ୍ତିମାନେ ନିଜ ନିଜ ଦକ୍ଷତାର ଅନୁଭୂତି ବାଣ୍ଟିବା ସହ ଷ୍ଟାର୍ଟଅପ୍ ଇକୋସିଷ୍ଟମ ବିଷୟରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ ।
ଏହି ସମ୍ମିଳନୀ ବିଭିନ୍ନ ପରିବର୍ତ୍ତନକାରୀ ବିଷୟଗୁଡ଼ିକ ଉପରେ ଆକର୍ଷଣୀୟ ପ୍ୟାନେଲ ଆଲୋଚନା ସହିତ ଏକ ଜ୍ଞାନବର୍ଦ୍ଧକ ଅନୁଭବ ପ୍ରଦାନ କରିଥିଲା । ପ୍ରଥମ ପ୍ୟାନେଲ ‘‘ଓଡ଼ିଶା: ସୁଯୋଗର ଭୂମି’ରେ ଉଦ୍ୟୋଗ ଜଗତର ବରିଷ୍ଠ ବ୍ୟକ୍ତିତ୍ୱମାନେ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରେ ଷ୍ଟାର୍ଟଅପ ସେଣ୍ଟର ଆଇଆଇଟି ଭୁବନେଶ୍ୱରର ସିଇଓ ତଥା ପ୍ରଫେସର ଇନଚାର୍ଜ ଶ୍ରୀଯୁକ୍ତ ଶୁଭଙ୍କର ପତି, ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ସ୍ୱଦେଶ ଇନ୍ଫା ମାର୍କେଟିଂ ପ୍ରାଇଭେଟ ଲିମିଟେଡର ସ୍ୱୟଂ ପ୍ରକାଶ ବରାଳ, ଅର୍ଥ99 ଇନଭେଷ୍ଟମେଣ୍ଟସ ଟାଇମ୍ ଆକ୍ଟିଭିଟିର ଅଂଶୀଦାର ଗଣେଶ ସତ୍ୟମୂର୍ତ୍ତି, ଷ୍ଟେଟ୍ ସିଷ୍ଟମ୍ସ ଆଣ୍ଡ ପାର୍ଟନରସିପ୍ସ, ଗେଟ୍ସ ଫାଉଣ୍ଡେସନର ଡ.ସନ୍ତୋଷ ମାଥ୍ୟୁ, ଟ୍ରାଞ୍ଜିସନ ଭିସି ଉପାଧ୍ୟକ୍ଷ (ନିବେଶ) ଶାନ୍ତନୁ ଚତୁର୍ବେଦୀ ଏବଂ ଏସଏମଏଫଜି ଇଣ୍ଡିଆ କ୍ରେଡିଟର ଚିଫ ମାର୍କେଟିଂ ଅଫିସର କୁମାର ଗୌରବ ପ୍ରମୁଖ ଯୋଗ ଦେଇଥିଲେ । ଔଦ୍ୟୋଗିକ କ୍ଷେତ୍ରଗୁଡିକ ପାଇଁ ଓଡ଼ିଶା କିପରି ପ୍ରମୁଖ ଲକ୍ଷ୍ୟସ୍ଥଳରେ ପରିଣତ ହୋଇଛି ତାହା ଏହି ଅଧିବେଶନରୁ ସ୍ପଷ୍ଟ ହୋଇଥିଲା ।
ଆଉ ଏକ ବିଚାରଶୀଳ ଅଧିବେଶନ ଥିଲା ‘ନବସୃଜନରେ ମହିଳା: ଓଡ଼ିଶାରେ ଷ୍ଟାର୍ଟଅପ୍ ବିକାଶର ଭବିଷ୍ୟତ’ । ଏହି ଅଧିବେଶନ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଉପରେ କେନ୍ଦ୍ରିତ କରିଥିଲା । ଏହି ଅଧିବେଶନରେ ଓବେନ୍ ଇଲେକ୍ଟ୍ରିକ୍ ର ପ୍ରତିଷ୍ଠାତା ମଧୁମିତା ଅଗ୍ରୱାଲ୍, ଇଣ୍ଡିଆନ୍ ଏଞ୍ଜେଲ ନେଟୱାର୍କର ପରିଚାଳନା ସହଯୋଗୀ ସାରିକା ସାକ୍ସେନା, ସଷ୍ଟେନେବଲ୍ ଆଉଟରିଚ୍ ଏବଂ ୟୁନିଭର୍ସାଲ୍ ଲିଡରସିପ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ପ୍ରଫେସର ସସ୍ମିତା ସାମନ୍ତ, ଇନୋକ୍ରେଷ୍ଟା କନସଲ୍ଟିଂର ସହ-ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଦୀପ୍ତି ପଣ୍ଡା ଏବଂ ଜୀବଦା ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସେମାନଙ୍କର ଅଭିଜ୍ଞତା ଓ ଅନ୍ତର୍ଦୃଷ୍ଟି ବାଣ୍ଟିଥିଲେ ।
ଶେଷ ପ୍ୟାନେଲ ଥିଲା ‘ତୃଣମୂଳରୁ ବିଶ୍ୱ’ ବା ‘ଗ୍ରାସରୁଟ୍ ଟୁ ଗ୍ଲୋବାଲ’ । ଏହି ଅଧିବେଶନରେ ଓଡ଼ିଶାର ତୃଣମୂଳ ସ୍ତରରେ ନବପ୍ରତିଭା କିପରି ବିଶ୍ୱସ୍ତରୀୟ ପ୍ରସିଦ୍ଧି ହାସଲ କରିଛନ୍ତି ତାହା ଉପରେ ବିଶେଷ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚାରେ ଲିଡ୍ ଏଞ୍ଜେଲସ୍ ସିଇଓ ତଥା ପ୍ରତିଷ୍ଠାତା ସୁଶାନ୍ତୋ ମିତ୍ର, ସୋନିକର୍ଣ୍ଣ ଭେଞ୍ଚର୍ସର ସିଇଓ ବିଜୟ ସିଂହ ରାଠୋର, ସିଫଣ୍ଡର ପରିଚାଳନା ସହଯୋଗୀ ମୟୂରେଶ ରାଉତ, ଫ୍ରିଫ୍ଲୋ ଭେଞ୍ଚର୍ସର ସହ-ପ୍ରତିଷ୍ଠାତା ଆକିବ୍ ହୁସେନ, ମେର୍ଷ୍ଟ୍ରା ଭିସିର ନିର୍ଦ୍ଦେଶକ ମିଟ୍ଟୁ ଟିଗି, ଫ୍ଲୁଇଡ୍ ଭେଞ୍ଚର୍ସର ପାର୍ଟନର ଅମିତ ସିଂଘଲ ଏବଂ ରିନ୍ୟୁର ପ୍ରତିଷ୍ଠାତା ସୁମନ୍ତ ସିହ୍ନାଙ୍କ ପରି ସମ୍ମାନିତ ବକ୍ତାମାନେ ଅଂଶଗ୍ରହଣ କରିଥିଲେ ।
ଏହି ଷ୍ଟାର୍ଟଅପ୍ ଓଡ଼ିଶା ମଞ୍ଚରେ ଏଚଡିଏଫସି ବ୍ୟାଙ୍କ, ହିରୋ ମୋଟୋକର୍ପ, ଭାରତୀୟ ଶିଳ୍ପ ସଂଘ (ସିଆଇଆଇ), ଦି ସର୍କଲ୍ ଫାଉଣ୍ଡର୍ସ କ୍ଲବ୍, ଓପ୍ଲସ୍ ଇଣ୍ଡିଆ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ (ଓପିପିଓ), ମେର୍ଷ୍ଟ୍ରା ଫାଉଣ୍ଡେସନ୍, ଟ୍ରାଞ୍ଜିସନ୍ ଭେଞ୍ଚର୍ କ୍ୟାପିଟାଲ୍ (ଟିଭିସି), ଏସିଆଇସି ଜିଆଇଇଟି ବିଶ୍ୱବିଦ୍ୟାଳୟ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ୟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ ସଂସ୍ଥା ସମେତ ପ୍ରମୁଖ ସଂଗଠନ ଗୁଡ଼ିକ ସହିତ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।
ଆଜିର ଏହି ଉତ୍କର୍ଷ ଓଡ଼ିଶା କନକ୍ଲେଭ ରାଜ୍ୟରେ ନବସୃଜନ ଏବଂ ଔଦ୍ୟୋଗିକ ପ୍ରଦର୍ଶନ ପାଇଁ ଏକ ଉତ୍ସର୍ଗୀକୃତ ପ୍ଲାଟଫର୍ମ ଥିଲା । ଏଥିରେ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା, ଫିନଟେକ୍, କୃଷି ବିଜ୍ଞାନ ସମେତ ବିବିଧ କ୍ଷେତ୍ରରେ ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ପରିଚାଳିତ ଏବଂ ସମର୍ଥିତ ୨୦ଟି ପ୍ରତିଶ୍ରୁତିବଦ୍ଧ ଷ୍ଟାର୍ଟଅପ୍ କମ୍ପାନୀ ଆକର୍ଷଣୀୟ ଷ୍ଟଲ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ।
You Can Read: