ଭୁବନେଶ୍ବର ୨୮/୦୫: ମାଡୁଛି ସଂକ୍ରମଣ। ବଢୁଛି ଭୟ । ଦେଶରେ ଚିନ୍ତା ବଢାଇଛି କରୋନା ସଂକ୍ରମଣ । ହଜାରେ ପାର୍ କଲାଣି ପଜିଟିଭଙ୍କ ସଂଖ୍ୟା । ଏପଟେ ରାଜ୍ୟକୁ ବି ମାଡିଲାଣି । ବୁଧବାର ଏକାଥରକେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଭୁବନେଶ୍ବରରୁ ୪ ଜଣ ଓ ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜଣଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି । ଆଣ୍ଟିଜେଟ୍ ଟେଷ୍ଟରୁ ସମସ୍ତେ କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ଏସବୁ ଭିତରେ ରାଜ୍ୟବାସୀଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କହିଛନ୍ତି କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି। କୋଭିଡରେ ଅସ୍ବାଭାବିକ ବୃଦ୍ଧି ଦେଖିବାକୁ ମିଳିନି । ବ୍ୟସ୍ତ ହେବାର କାରଣ ନାହିଁ। ଯଦି କେଉଁଠି ରିପୋର୍ଟ ଆସେ RTPCR କରିବୁ, ଦରକାର ହେଲେ ଜିନମ ସିକ୍ୱେନ୍ସିଂ କରାଯିବ। ପ୍ରଥମ ରୋଗୀର ସ୍ଵାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କର ଜିନମ୍ ସିକ୍ୱେନସିଂରୁ ଓମିକ୍ରନର ସବ୍ ଭାରିଆଣ୍ଟ JN 1 ଚିହ୍ନଟ ହୋଇଛି । ଏଯାଏଁ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ନୂଆ ଗାଇଡ ଲାଇନ୍ ଆସିନି ।
ପୂର୍ବରୁ ଥିବା ୨୦୨୨ ମସିହା ଗାଇଡ ଲାଇନ୍ ଅନୁସାରେ ହସ୍ପିଟାଲମାନେ କାମ କରୁଛନ୍ତି । ଏବେ କୋଭିଡକୁ ନେଇ ଭୟଭୀତ ହେବା ଭଳି ସ୍ଥିତି ନାହିଁ, କେହି ବ୍ୟସ୍ତ ହେବାର ଆବଶ୍ୟକତା ନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସୂଚନା ମୁତାବକ ମେ ୨୨ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଆକ୍ରାନ୍ତ ଜଣକ ପୁରୁଷ । ରାଜଧାନୀ ଭୁବନେଶ୍ବରର ବୋଲି ଜଣାପଡିଥିଲା । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । କରୋନା ପଜିଟିଭ ହେବା ପରେ ସେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।