ଭୁବନେଶ୍ୱର ୨୫।୧୧ : ରାଜ୍ୟରୁ ଗଞ୍ଜେଇ ଚାଷ ଶେଷ ପାଇଁ ଆକ୍ସନରେ ପୋଲିସ । ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ ନେଇ ସୂଚନା ଦେଲେ ଡିଜିପି ଓ୍ୱାଇ. ବି. ଖୁରାନିଆ।ସେ କହିଛନ୍ତି ଯେ, ମୋଟ ୫୪ଟି ଗଞ୍ଜେଇ ଚାଲାଣ ଓ ଚାଷ ନେଇ ମାମଲା ରୁଜୁ ହୋଇଛି। ୫୩୦୦ କେଜି ଗଞ୍ଜେଇ ଜବତ କରାଯିବା ସହ ୮୦ ଜଣଙ୍କୁ ଗିରଫ କରାଯାଇଛି। ନଗଦ ୧୫ ଲକ୍ଷରୁ ଅଧିକ ଟଙ୍କା ସହ ୨୦ଟି ଗାଡି ଜବତ ହୋଇଛି। ରାଜ୍ୟରେ ୮ଟି ଜିଲ୍ଲାରେ ସର୍ବାଧିକ ଗଞ୍ଜେଇ ଚାଷ ହେଉଛି। ଡ୍ରୋନ୍ ଏବଂ ସାଟେଲାଇଟ୍ ଜରିଆରେ ନଜର ରଖାଯାଇଛି।
ଡିଜିପି ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର କେତେକ ଜିଲ୍ଲାରେ ବଡ଼ ବଡ଼ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ରହିଛି। କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାଗୁଡ଼ିକ ଗଞ୍ଜେଇ ଚାଷର କେନ୍ଦ୍ରସ୍ଥଳୀ ପାଲଟିଛନ୍ତି। ଏହି ଅଭିଯାନର ପ୍ରଥମ ୨୪ ଦିନ ମଧ୍ୟରେ, ଏହି ସବୁ ଜିଲ୍ଲା ଗୁଡ଼ିକରେ ପ୍ରାୟ ୨୩୭୫ ଏକର ଗଞ୍ଜେଇ ଚାଷ ହୋଇଥିବା ଜମିକୁ ନଷ୍ଟ କରିବାରେ ସକ୍ଷମ ହୋଇଛୁ। ଏପର୍ଯ୍ୟନ୍ତ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗତ ବର୍ଷ ଓଡ଼ିଶା ପୋଲିସ ପ୍ରାୟ ୧୦,୫୦୦ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ବେଳେ, ଚଳିତ ବର୍ଷ ଆମେ ପୂର୍ବ ବର୍ଷକୁ ଅତିକ୍ରମ କରିବା ପାଇଁ ପ୍ରୟାସ ଜାରି ରଖିବୁ। ଗଞ୍ଜେଇ ଚାଷ ବ୍ୟତୀତ ଓଡ଼ିଶା ପୋଲିସ ଗଞ୍ଜେଇ ବ୍ୟବସାୟୀଙ୍କ ଉପରେ ମଧ୍ୟ ଚଢାଉ କରୁଛି। ମାସକ ମଧ୍ୟରେ ଏପର୍ଯ୍ୟନ୍ତ ୫୪ଟି ମାମଲାରେ ୫୩୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ପରିବହନ ସମୟରେ ଏହି ସବୁ ଜବତ କରାଯାଇଛି। ଟ୍ରକ୍, ପିକ୍ଅପ୍ ଭ୍ୟାନ୍, ଇନୋଭା କାର୍ ଇତ୍ୟାଦି ବିଭିନ୍ନ ପ୍ରକାରର ପ୍ରାୟ ୨୦ଟି ଯାନ ଜବତ କରାଯାଇଛି। ଏହା ସହ ୧୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏପର୍ଯ୍ୟନ୍ତ ୮୦ ଜଣ ଗଞ୍ଜେଇ ବେପାରୀଙ୍କୁ ମଧ୍ୟରେ ଗିରଫ କରାଯାଇଛି। ଆମ ଯୁବପିଢୀଙ୍କ ଭବିଷ୍ୟତକୁ ବଞ୍ଚାଇବା ପାଇଁ ଓଡ଼ିଶା ପୋଲିସ ଏହି ବିପଦକୁ ଦୂରକରିବାକୁ ପ୍ରତିଶୃତିବଦ୍ଧ। ଓଡ଼ିଶା ପୋଲିସ ନଭେମ୍ବର ପ୍ରଥମରୁ ଏକ ବିଶାଳ ଅଭିଯାନ ଆରମ୍ଭ କରିଛି। ଯାହା ଅମଳ ଋତୁ ଯଥା ନଭେମ୍ବର ମାସରୁ ଆରମ୍ଭ କରି ମାର୍ଚ୍ଚ-୨୦୨୫ ପର୍ଯ୍ୟନ୍ତ ଜାରି ରହିବ।