ପୁରୀ ୧।୭: ଗୁଣ୍ଡିଚା ମନ୍ଦିରରେ ଛଦ୍ମବେଶୀ ସେବାୟତ । ସିଂହଦ୍ଵାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଥିବା ବେଳେ ଅଟକାଇଲେ ସୁରକ୍ଷାକର୍ମୀ । ମଙ୍ଗଳ ଆଳତୀ ସମୟରେ ନକଲି ସେବାୟତ ଜଣକ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ସେହି ସମୟରେ ତାଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲେ । ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ସେପଟେ, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍ । ରଥଯାତ୍ରା ବେଳର ଭିଜୁଆଲ ହେଲା ଭାଇରାଲ୍ । ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିର ଭିତରର ଦୃଶ୍ୟ ଭାଇରାଲ୍ ହୋଇଛି । ତେବେ ଡ୍ରୋନ୍ ଉଡାଇଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ସିଙ୍ଗୁରର ଶୁଭଦୀପ ଆଦକ । ନିଜ ଫେସବୁକ୍ ଆଇଡିରେ ଏହି ଭିଡିଓ ଭାଇରାଲ୍ କରିଛନ୍ତି ଶୁଭଦୀପ । ଭିଡିଓରେ ଶ୍ରୀମନ୍ଦିରର ପୂର୍ବ ପଟୁ ଭିତର ବାଇଶି ପାହାଚ, ଭିତର କୁରୁମ ପ୍ରାଚୀର, କାଶୀବିଶ୍ୱନାଥ ମନ୍ଦିର, ଚାହାଣି ମଣ୍ଡପ, ଅଗ୍ନିକୋଣ ରୋଶଶାଳା, ଆନନ୍ଦ ବଜାର ସ୍ପଷ୍ଟ ଦେଖାଯାଉଛି । ଆଉ ଏକ ଭିଜୁଆଲରେ ପଶ୍ଚିମ ଦ୍ୱାର ପଟରୁ ଭିତର କୁରୁମ ବେଢାର ଭିତର ପାର୍ଶ୍ଵର ସମସ୍ତ ଅଂଶ ତଥା ବିମଳା ମନ୍ଦିର, ଏକାଦଶୀ ମା’ଙ୍କ ମନ୍ଦିର, ସାକ୍ଷୀ ଗୋପୀନାଥ ମନ୍ଦିର, ନୃସିଂହ ନାଥ ମନ୍ଦିର ଦେଖାଯାଉଛି । ଉତ୍ତର ପାର୍ଶ୍ଵରେ ଥିବା ସୂର୍ଯ୍ୟ ମନ୍ଦିର ଓ ପାତାଳେଶ୍ୱର ମହାଦେବ ମନ୍ଦିର ସମ୍ପୂର୍ଣ୍ଣ ଦେଖାଯାଉଛି । ଦକ୍ଷିଣରେ ରୋହିଣୀ କୁଣ୍ଡ, ଆଦି ନୃସିଂହ ମନ୍ଦିର, ମୁକ୍ତିମଣ୍ଡପର କିଛି ଅଂଶ ବେହରଣ ଦ୍ୱାର ସ୍ପଷ୍ଟ ଦେଖାଯାଉଛି ।
କେବଳ ସେତିକି ନୁହେଁ ଶ୍ରୀମନ୍ଦିର ସହିତ ତିନି ରଥର ଭିଡିଓ ଭାଇରାଲ କରି ବିପଦ ସୃଷ୍ଟି କରାଯାଉଥିବା ଅଭିଯୋଗ ହେଉଛି । ଯାହା ଡ୍ରୋନ୍ ମାଧ୍ୟମରେ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ତେବେ ପୁରୀ ପୋଲିସ ପକ୍ଷରୁ ଆଣ୍ଟି ଡ୍ରୋନ୍ ସିଷ୍ଟମ ଇନଷ୍ଟଲ ହୋଇଥିବା ଦାବି କରୁଥିବା ବେଳେ ଏହା କିଭଳି ସମ୍ଭବ ହେଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କିଛି ଦିନ ତଳେ ଶ୍ରୀମନ୍ଦିର ଉପରେ ଉଡୁଥିବା ଗୋଟିଏ ଡ୍ରୋନ୍କୁ ଆକାଶ ମାର୍ଗରୁ ନଷ୍ଟ କରାଯାଇଥିଲା । ତେବେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଦାବି ହୋଇଛି ।
You Can Read:
ବାରଣ ସତ୍ତ୍ବେ ପୁରୀରେ ଉଡ଼ିଲା ଡ୍ରୋନ୍, ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ସହ ରଥଯାତ୍ରା ବେଳର ଦୃଶ୍ୟ