ପହଲଗାମ ଗୁଳିକାଣ୍ଡ ପରେ ଭାରତରେ ପାକିସ୍ତାନ ସରକାରଙ୍କ X ହ୍ୟାଣ୍ଡଲ ବନ୍ଦ

Published By : Prameya-News7 Bureau | April 24, 2025 IST

ନୂଆଦିଲ୍ଲୀ ୨୪।୪: ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡରେ ପାକିସ୍ତାନ ହାତ ଥିବାର ପ୍ରମାଣ ମିଳିବା ପରେ ଦେଶରେ ପାକିସ୍ତାନ ବିରୋଧରେ ଅସନ୍ତୋଷ ବଢୁଛି। ଏଥି ମଧ୍ୟରେ ଭାରତ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପାକିସ୍ତାନ ସରକାରଙ୍କ ହ୍ୟାଣ୍ଡେଲକୁ ନିଷିଦ୍ଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୨ ଏପ୍ରିଲ ମଙ୍ଗଳବାର କିଛି ଆତଙ୍କବାଦୀ ପହଲଗାମ ବେସାରନରେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି ମାରିଥିଲେ। ଫଳରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା। 

ଆତଙ୍କବାଦୀ ବାଛିବାଛି ହିନ୍ଦୁ ପର୍ଯ୍ୟଟକଙ୍କୁ ଗୁଳି କରିଥିଲେ। ଆତଙ୍କବାଦର ଏହି ଘଟଣାରେ ୨ ଜଣ ଆତଙ୍କବାଦୀ ପାକିସ୍ତାନୀ ହୋଇଥିବାର ପ୍ରମାଣ ମିଳିଛି। ଏଣୁ ଭାରତ ସରକାର ପାକିସ୍ତାନ ବିରୋଧରେ କଡ଼ା ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ସରକାର ସିନ୍ଧୁ ଜଳ ସନ୍ଧି ଉପରେ ତୁରନ୍ତ ରୋକ ଲଗାଇ ଦେଇଛନ୍ତି। ଏପଟେ ଭାରତରେ ପାକିସ୍ତାନ ସରକାରଙ୍କ ଏକ୍ସ ହ୍ୟାଣ୍ଡଲ ଉପରେ ରୋକ ଲଗାଇ ଦିଆଯାଇଛି। କେବଳ ଏତିକି ନୁହେଁ ପାକିସ୍ତାନୀ ଦୂତାବାସରୁ ଭାରତୀୟ ପରାମର୍ଶଦାତାଙ୍କୁ ମଧ୍ୟ ପ୍ରତ୍ୟାହାର କରିନେଇଛି। 

ତେବେ ସିନ୍ଧୁ ଜଳ ସନ୍ଧିକୁ ଭାରତ ଅସ୍ୱୀକାର କରିବା ଘଟଣାରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କହିଛି ସିନ୍ଧୁ ନଦୀର ଜଳ ୨୫କୋଟି ପାକିସ୍ତାନୀଙ୍କ ଲାଇଫ ଲାଇନ। ଏଥିରେ ଭାରତ ପାଣି ଅଟକାଇଦେବା ‘ଆକ୍ଟ ଅଫ ୱାର’ଭଳି। ଏଣୁ ଭାରତ ବିରୋଧରେ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନର ଅଭିଯୋଗ ଆଣିଛି। ପାକିସ୍ତାନ କହିଛି ଯେ ପହଲଗାମ ଗୁଳିକାଣ୍ଡରେ ପାକିସ୍ତାନର କୌଣସି ହାତ ନାହିଁ। ପାକିସ୍ତାନ ପିଏମଓ ପକ୍ଷରୁ କୁହାଯାଇଛି ଯେ ଏଥିରେ ଭାରତର ନିଷ୍ପତ୍ତି ଦୁଇ ଦେଶଙ୍କ ରାଜନୈତିକ ଅସନ୍ତୋଷକୁ ବଢାଇବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.