ନୂଆଦିଲ୍ଲୀ: ଗତକାଲି କାର୍ଗିଲ ବିଜୟ ଦିବସ ଅବସରରେ ଏଲ୍ଓସି ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଦେଇଥିବା ବୟାନ୍ରେ ପ୍ରତିକ୍ରିୟାଶୀଳ ହୋଇଛି ପାକିସ୍ତାନ। ବିଜୟ ଦିବସରେ ରାଜନାଥ କହିଥିଲେ ଯେ ଦରକାର ପଡ଼ିଲେ ଆମେ ଭବିଷ୍ୟତରେ ଏଲ୍ଓସି ପାର୍ କରିବୁ। ଆଉ ଆଜି ଏହି ଘଟଣାରେ କଡ଼ା ପ୍ରତିକ୍ରିୟା ଦେଇଛି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ।
ରାଜନାଥଙ୍କ ବୟାନ ଉସ୍କାଇବା ଭଳି। ଏହା ଆଞ୍ଚଳିକ ଶାନ୍ତି ଭଙ୍ଗ କରିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟର ପ୍ରବକ୍ତା ମୁମତାଜ ଜହ୍ରା ବଲୋଚ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି “ ଆମେ ଭାରତକୁ ସତର୍କତାର ସହ କଥା କହିବାକୁ ପରାମର୍ଶ ଦେଉଛୁ। କାରଣ ତାଙ୍କର ଏଭଳି ଆକ୍ରମଣାତ୍ମକ ବୟାନବାଜୀ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠା ଓ ସ୍ଥିରତା ପାଇଁ କ୍ଷତି ସୃଷ୍ଟି କରିବ।
ମନ୍ତ୍ରଣାଳୟ ଆହୁରି କହିଛି ଯେ ଭାରତର ଏଭଳି ବୟାନ ଦକ୍ଷିଣ ଏସିଆରେ ରଣନୈତିକ ସ୍ତରରେ ପରିବେଶକୁ ଅସ୍ଥିର କରୁଛି। ଏଭଳି ଅନ୍ଧରାଷ୍ଟ୍ରବାଦର ପ୍ରତିକ୍ରିୟା ନିହାତି ବନ୍ଦ ହେବା ଦରକାର। ଭାରତର ନେତୃତ୍ୱକୁ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ କୌଣସି ପ୍ରକାର ଆକ୍ରମଣକୁ ଜବାବ ଦେବାକୁ ପାକିସ୍ତାନ ନିଜର ସୁରକ୍ଷା କରିବାର ସମ୍ପୂର୍ଣ୍ଣ ସମର୍ଥ ବୋଲି ଜହ୍ରା ବଲୋଚ କହିଛନ୍ତି।
ସୂଚନା ଥାଉକି ଗତକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗତକାଲି କାର୍ଗିଲ ନିକଟର ଡ୍ରାସ୍ରେ ଯୋଗ ଦେଇ ଏଲ୍ଓସି ପାର୍ କରିବା ନେଇ ବୟାନ ଦେଇଥିଲେ। ସେ କହିଥିଲେ ଯେ ଦେଶର ସାର୍ବଭୌମତ୍ୱ,ଏକତା ଓ ଅଖଣ୍ଡତା ରକ୍ଷା କରିବାରେ କୌଣସି ସାଲିସ୍ କରାଯିବ ନାହିଁ। ଦେଶର ଶତ୍ରୁମାନଙ୍କୁ ହଟାଇବା ପାଇଁ ଆମେ ସଶସ୍ତ୍ର ବାହିନୀକୁ ଏକ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛୁ।
ଦେଶର ସମ୍ମାନ ବଜାୟ ରଖିବା ପାଇଁ ଆମେ ଯେକୌଣସି ଚରମ ନେଇପାରିବୁ। ଯଦି LoC ଅତିକ୍ରମ କରିବା ଦରକାର ପଡ଼େ ତେବେ ଏଥିପାଇଁ ବି ଆମେ ପ୍ରସ୍ତୁତ। ଯଦି ଆମକୁ ରାମ୍ବାର ଉସ୍କାଯାଏ ତେବେ ତେବେ ଆମେ LoC ପାର୍ କରିବୁ।