ନୂଆଦିଲ୍ଲୀ ୨୨।୦୩: ନିକଟରେ ସରିଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଟିମ୍ ଇଣ୍ଡିଆ ହାତେଇଥିଲା ଟ୍ରଫି । ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା ପାକିସ୍ତାନ । କିନ୍ତୁ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ପାଇଁ ହୋଇଛି କାଳ । ଦିନକୁ ଦିନକୁ ବିଗୁଡୁଛି ପାକ୍ର ଆର୍ଥିକ ସ୍ଥିତି । ଖାସ୍ କରି ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପରଠାରୁ । ଏଥିପାଇଁ ଏବେ ବଳି ପଡିଛନ୍ତି ପାକିସ୍ତାନ କ୍ରିକେଟର । କାରଣ ପ୍ଲେୟରଙ୍କ ଦରମା କାଟୁଛି ପାକିସ୍ତାନ କ୍ରିକେଟ ବୋର୍ଡ ।
ନିକଟରେ ସାମ୍ନାକୁ ଆସିଥିଲା ପାକିସ୍ତାନର ଘରୋଇ କ୍ରିକେଟ ଖେଳାଳିଙ୍କ ମ୍ୟାଚ୍ ଫି ହ୍ରାସ ପ୍ରସଙ୍ଗ । ଏବେ କୁହାଯାଉଛି କି ପାକିସ୍ତାନ ବୋର୍ଡ ମହିଳା ଖେଳାଳିଙ୍କ ଦରମା ମଧ୍ୟ ହ୍ରାସ କରିଛି । କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଘରୋଇ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ୨୫,୦୦୦- ୨୦,୦୦୦ ପାକିସ୍ତାନୀ ଟଙ୍କାକୁ ହ୍ରାସ କରିଛି । ଯାହା ଭାରତୀୟ ମୂଲ୍ୟରେ ମାତ୍ର ୬୦୦୦ ଟଙ୍କା । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଘରୋଇ ମହିଳା କ୍ରିକେଟରଙ୍କ ମାସିକ ଦରମା ପାକିସ୍ତାନୀ ଶ୍ରମିକଙ୍କ ତୁଳନାରେ କମ୍।
ତେବେ କେବଳ ଖେଳାଳିଙ୍କ ମ୍ୟାଚ୍ ଫି ହ୍ରାସ ହୋଇନି ବରଂ ପିସିବି ଆଉ ଏକ ଗଡବଡ କରିଛି । PCB ଦାବି କରିଥିଲା ଯେ “୧୨ ମାସର ରିଟେନର ଘୋଷଣା ସହିତ PCB ତୃଣମୂଳ ସ୍ତରରେ ମହିଳା କ୍ରିକେଟରେ ପ୍ରତିଭାକୁ ବିସ୍ତାର କରିବା ଏବଂ ଯୁବ ଖେଳାଳିମାନଙ୍କୁ କ୍ରିକେଟକୁ ଏକ ବୃତ୍ତିଗତ ଖେଳ ଭାବରେ ଗ୍ରହଣ କରିବାକୁ ପ୍ରେରଣା ଦେବ ।”
କିନ୍ତୁ ଆର୍ଥିକ ସଂଖ୍ୟା ଏହି ଦାବିର ସମ୍ପୂର୍ଣ୍ଣ ବିପରୀତ । ପିସିବି ଚୁକ୍ତି ସଂଖ୍ୟା ବୃଦ୍ଧି କରିଛି, କିନ୍ତୁ ଖେଳାଳିଙ୍କ ହାତକୁ ଆସୁଥିବା ଟଙ୍କା ହ୍ରାସ ପାଇଛି। ଖେଳ ମାଧ୍ୟମରେ ରୋଜଗାର ସୁଯୋଗର ଅଭାବ ହେତୁ ଖେଳାଳିମାନେ ପ୍ରାୟତଃ ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଘରୋଇ ସେଟଅପ୍ ଛାଡି ଦେଉଛନ୍ତି।
ଚଳିତ ସିଜିନ୍ ପାଇଁ ଘରୋଇ ଚୁକ୍ତି ତାଲିକାରେ ୧୦ ଜଣ କ୍ୟାପ୍ଡ ପାକିସ୍ତାନୀ ଖେଳାଳି, ୬୨ ଜଣ ଉଦୀୟମାନ ଖେଳାଳି ଏବଂ ୧୮ ଜଣ ୧୯ ବର୍ଷରୁ କମ୍ ଖେଳାଳି ସାମିଲ ଅଛନ୍ତି । କ୍ୟାପ୍ଡ ଖେଳାଳିଙ୍କ ତାଲିକାରେ ନିଦା ଦାର ଏବଂ ଆଲିଆ ରିଆଜ୍ ମଧ୍ୟ ଅଛନ୍ତି, ଯେଉଁମାନେ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ନାହାନ୍ତି । ଏହି ନିଷ୍ପତ୍ତି ମଧ୍ୟ ରହିଥିଲା ବିବାଦୀୟ । କାରଣ ଏହି ଖେଳାଳିମାନେ ପୁରା ସିଜିନରେ ପାକିସ୍ତାନୀ ଟିମ୍ ପାଇଁ ନିୟମିତ ଭାବରେ ଖେଳୁଥିଲେ।
ଏହାବ୍ୟତୀତ ଘରୋଇ ଚୁକ୍ତିନାମା ପ୍ରାୟ ୯ ମାସ ବିଳମ୍ବ ହୋଇଛି । ତେବେ ଖେଳାଳିମାନଙ୍କୁ ମାସିକ ୩୫,୦୦୦ ପାକିସ୍ତାନୀ ପିକେଆର୍ ଅର୍ଥାତ୍ ୧୦ ହଜାର ଟଙ୍କା ଦିଆଯାଇଛି । ଯାହା ପାକିସ୍ତାନରେ ଶ୍ରମିକଙ୍କ ପାଇଁ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ଠାରୁ କମ୍। ପାକିସ୍ତାନ କ୍ରିକେଟ ବୋର୍ଡର ଏହି ନିଷ୍ପତ୍ତି ମହିଳା କ୍ରିକେଟରଙ୍କ ପାଇଁ କଷ୍ଟ ବଢ଼ାଇଛି। କମ ଦରମା ଏବଂ କମ ସୁଯୋଗ ଯୋଗୁଁ, ଅନେକ ପ୍ରତିଭାବାନ ଖେଳାଳି କ୍ରିକେଟ ଛାଡିବାକୁ ହୋଇପାରନ୍ତି ବାଧ୍ୟ ।