ଆଜିଠୁ ମୌସୁମୀ ଅଧିବେଶନ, ପହଲଗାମ ଓ ଯୁଦ୍ଧବିରତିକୁ ନେଇ କମ୍ପିବ ଗୃହ

Published By : Prameya-News7 Bureau | July 21, 2025 IST

ନୂଆଦିଲ୍ଲୀ ୨୧/୦୭: ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହା ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସରକାର  ୮ଟି ବିଲ୍‌ ଆଗତ କରିବେ । ତେବେ ତାହା ପୂର୍ବରୁ ରବିବାର ସଂସଦ ଭବନରେ ସର୍ବଦଳୀୟ ବୈଠକ  ଅନୁଷ୍ଠିତ ହୋଇଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ  କିରେନ୍‌ ରିଜିଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  କେନ୍ଦ୍ରମନ୍ତ୍ରୀ ଜେ ପି ନଡ୍ଡା, ଅର୍ଜୁନ ରାମ ମେଘୱାଲ, କଂଗ୍ରେସ ସାଂସଦ କେ ସୁରେଶ, ଗୌରବ ଗୋଗୋଇ  ଓ ଜୟରାମ ରମେଶ, ଶିବସେନା ସାଂସଦ ଶ୍ରୀକାନ୍ତ  ସିନ୍ଦେ, କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ଏନ୍‌ସିପି  (ଏସ୍‌ପି) ସାଂସଦ ସୁପ୍ରିୟା ସୁଲେ, ବିଜେପି ସାଂସଦ  ରବି କିଶନ ଏବଂ ଅନ୍ୟମାନେ ଯୋଗଦେଇଥିଲେ । 

ବୈଠକରେ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ସଂସଦରେ ତାହା ଉପରେ ଚର୍ଚ୍ଚା ପାଇଁ ଦାବି କରିଛନ୍ତି । ବିଶେଷକରି ସେମାନେ  ପହଲଗାମ୍‌ ଆତଙ୍କୀ ଆକ୍ରମଣ, ଯୁଦ୍ଧବିରତି ଏବଂ  ବିହାର ଭୋଟର ତାଲିକାର ‘ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ  (ଏସ୍‌ଆଇଆର୍‌)’ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କଠାରୁ ଜବାବ ମାଗିଛନ୍ତି । ତେଣୁ ସୋମବାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ସେମାନେ ଏହିସବୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ । 

କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଗୃହକୁ ଆସି ୩ଟି ପ୍ରମୁଖ ପ୍ରସଙ୍ଗ ଉପରେ ନିଜ ଜବାବ ରଖିବା ଆବଶ୍ୟକ । ପାକିସ୍ତାନ ସହ ହୋଇଥିବା ଯୁଦ୍ଧବିରତିରେ ଆମେରିକାର ଭୂମିକା ଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ଦାବି  କରୁଛନ୍ତି । ତାହା ଉପରେ ମୋଦି ସାମ୍ନାକୁ ଆସି ଜବାବ ଦେବା ଆବଶ୍ୟକ । ସେହିଭଳି ପହଲଗାମ୍‌ ଆକ୍ରମଣ ଓ  ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବୟାନ  ବାବଦରେ ମଧ୍ୟ ଆମେ ଜବାବ ମାଗୁଛୁ । 

ବୈଠକ ପରେ ଗଣମାଧ୍ୟମ ସହ କଥା ହୋଇ  ଗୋଗୋଇ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ  ବୟାନ ଭାରତର ମର୍ଯ୍ୟାଦା ଓ ସେନାର ପରାକ୍ରମ  ଉପରେ ପ୍ରଶ୍ନ ଉଠାଇଛି । ଟ୍ରମ୍ପ୍‌ ଯେଉଁ ଦାବି କରୁଛନ୍ତି,  ତାହାର ଜବାବ କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ  ଦେଇପାରିବେ । ଆମେ ଆଶା କରୁଛୁ ନୈତିକତା ଦୃଷ୍ଟିରୁ  ମୋଦିଜୀ ଏହିସବୁ ପ୍ରସଙ୍ଗରେ ଦେଶକୁ ସମ୍ବୋଧନ  କରିବେ ।

ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌  ଭାରତ-ପାକ୍‌ ମଧ୍ୟରେ ଯୁଦ୍ଧବିରତି କରାଇଥିବା ନେଇ  ୨୪ ଥର କହିସାରିଲେଣି । ଏମିତି କି ଯୁଦ୍ଧ ବେଳେ ୫ଟି  ଜେଟ୍‌ ଖସିଥିବା ନେଇ ଟ୍ରମ୍ପ୍‌ ନିଜର ସଦ୍ୟ ବୟାନରେ  କହିଥିଲେ । ତାହାକୁ ନେଇ ଭାରତରେ ରାଜନୀତି  ତେଜିବାରେ ଲାଗିଛି । ମୌସୁମୀ ଅଧିବେଶନରେ  ବିରୋଧୀମାନେ ଏହାକୁ ପ୍ରମୁଖ ଏଜେଣ୍ଡା କରିପାରନ୍ତି । 

ଅନ୍ୟପକ୍ଷରେ ସର୍ବଦଳୀୟ ବୈଠକରେ  କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଛନ୍ତି, ଗୃହ ଯେମିତି ସୁରୁଖୁରୁରେ ଚାଲିବ, ତାହା ସବୁ ଦଳର ଦାୟିତ୍ୱ । ସରକାର ସବୁ  ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି । ଏଥିସହ  ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଦାବିଗୁଡ଼ିକ ଉପରେ ମଧ୍ୟ  ଉଚିତ ଜବାବ ଦିଆଯିବ । ଆପ୍‌ ସାଂସଦ ସଞ୍ଜୟ ସିଂହ  ବିହାର ଭୋଟର ତାଲିକାର ଏସ୍‌ଆଇଆର୍‌କୁ ନେଇ  ଚିନ୍ତାବ୍ୟକ୍ତ କରିବା ସହ ଏହା ବନ୍ଦ ହେବା ଆବଶ୍ୟକ  ବୋଲି କହିଛନ୍ତି । ଏହାକୁ ସେ ସ୍କାମ୍‌ ଅଭିହିତ କରି  କହିଛନ୍ତି, ସରକାର ଯଦି ଏ ନେଇ ଜବାବ ନ ରଖନ୍ତି,  ତେବେ ଆମେ ଗୃହ ଭିତରେ ଓ ବାହାରେ ଏହି ପ୍ରଶ୍ନ  ଉଠାଇବୁ । ସେ ମଧ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ  ବୟାନ ଉପରେ କେନ୍ଦ୍ରଠାରୁ ଜବାବ ଚାହିଁଛନ୍ତି । 

ସୂଚନା ଥାଉ କି କେନ୍ଦ୍ର ସରକାର ଏଥର  ମୌସୁମୀ ଅଧିବେଶନରେ ୮ଟି ବିଧେୟକ  (ବିଲ୍‌) ଆଗତ କରିବାକୁ ଯାଉଛନ୍ତି । ଏଥିରେ  କ୍ରୀଡ଼ା ପ୍ରଶାସନ ବିଲ୍‌, ଭୂ-ଐତିହ୍ୟସ୍ଥଳ ଏବଂ ଭୂ- ଅବଶେଷ (ସଂରକ୍ଷଣ ତଥା ରକ୍ଷଣାବେକ୍ଷଣ), ଖଣି  ଓ ଖଣିଜ (ବିକାଶ ଓ ନିୟମ) ସଂଶୋଧନ ବିଲ୍‌  ଓ ରାଷ୍ଟ୍ରୀୟ ଆଣ୍ଟି-ଡୋପିଙ୍ଗ୍‌ (ସଂଶୋଧନ) ବିଲ୍‌  ଆଦି ଅନ୍ତର୍ଭୁକ୍ତ । ଏହାଛଡ଼ା ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କ  ମହାଭିଯୋଗ ପ୍ରସଙ୍ଗରେ ଚର୍ଚ୍ଚା ହେବାର ଅଛି । 

ସଂସଦୀୟ ମନ୍ତ୍ରୀ ରିଜିଜୁ କହିଛନ୍ତି, ଜଷ୍ଟିସ  ବର୍ମାଙ୍କ ବିରୋଧରେ ମହାଭିଯୋଗ ଚଳାଇବା  ଲାଗି ୧୦୦ରୁ ଅଧିକ ସାଂସଦ ଦସ୍ତଖତ କରିଛନ୍ତି। ବାସଭବନରୁ ବିପୁଳ ମାତ୍ରାର ପୋଡ଼ା ନୋଟ୍‌  ମିଳିବାକୁ ନେଇ ଜଷ୍ଟିସ ବର୍ମା ବିବାଦରେ ଫସିଛନ୍ତି ।  ମୌସୁମୀ ଅଧିବେଶନରେ ସରକାର ଏହା ଉପରେ  ବିଚାର କରିବେ । ଏ ସଂକ୍ରାନ୍ତରେ ସମସ୍ତ ପ୍ରକ୍ରିୟା  ସବୁ ଦଳର ସହମତିରେ ହେବ । ଏହା କେବଳ  ସରକାରଙ୍କ କାମ ନୁହେଁ ବୋଲି ରିଜିଜୁ ଦର୍ଶାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.