ସାଲେପୁର ୧୩।୬: ମଝି ରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ସୋସିଆଲ ମେଡିଆରେ ଭାଇରାଲ୍ ହେଲା ଭିଡିଓ । ସାଲେପୁର ପାଗା ଛକ ନିକଟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଗ୍ରାମର ଧ୍ରୁବଚରଣ ପଣ୍ଡାଙ୍କ ବଡ଼ ପୁଅ ପ୍ରଦ୍ୟୁମ୍ନ ଓରଫ ଶିବୁଙ୍କ ଦେହ ଖରାପ ହେବାରୁ ତାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା । ସେହି ସମୟରେ ପାଗା ଛକ ନିକଟରେ ଆମ୍ବୁଲାନ୍ସଟି ଖରାପ ହୋଇଯାଇଥିଲା । ପ୍ରାୟ ଘଣ୍ଟାଏ ବିଳମ୍ବ ପରେ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା । ହେଲେ କଟକ ବଡ଼ ମେଡିକାଲରେ ଚିକିତ୍ସା ହେବା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଦାୟୀ କରିଛନ୍ତି । ଆମ୍ବୁଲାନ୍ସ ଖରାପ ହେବା ଯୋଗୁ ରୋଗୀଙ୍କ ଜୀବନ ଚାଲିଗଲା ବୋଲି ପରିବାର ଲୋକ କହିଛନ୍ତି । ଯେଉଁ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।
You Can Read:
ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ