ବରଗଡ଼: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ ପ୍ରଚାର । ଶନିବାର ଫୁଲବାଣୀ, ବଲାଙ୍ଗୀର ପରେ ବରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସମାବେଶରେ ଓଡ଼ିଶାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନିଜ ଉଦବୋଧନ ଆରମ୍ଭ କରିଥିଲେ । ବରଗଡ଼ର ଧନୁ ଯାତ୍ରା କଥା ଉଲ୍ଲେଖ କରି ଅଞ୍ଚଳର ପ୍ରଶଂସା କରିଛନ୍ତି ।
ଭାଷଣ ଆରମ୍ଭରୁ ହିଁ ପ୍ରଧାନମନ୍ତ୍ରୀ ମୋଦୀ ଶାଣିତ ସ୍ୱରରେ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି,'୨୫ ବର୍ଷରେ ଗୋଟିଏ ପିଢି ଯୁବ ହୋଇଯାଏ, ସେମାନେ ନିଜର ନୂଆ ଜୀବନ ଆରମ୍ଭ କରିଦିଅନ୍ତି । କିନ୍ତୁ ବିଜେଡି ସରକାର ଏଇ ୨୫ ବର୍ଷରେ ଓଡ଼ିଶାକୁ ଗରିବୀରୁ ବାହାର କରିପାରିନାହିଁ । ଆଜି ସାରା ଓଡ଼ିଶାରେ ବିଜେଡି ନେତାଙ୍କ ବିରୋଧରେ ଅନେକ ରାଗ ରହିଛି । ଲୋକେ ଗୋଟିଏ କଥା କହୁଛନ୍ତି, କେତେ ଦିନ ସହିବ ଓଡ଼ିଶା ।'
ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆଜି ମୁଁ ଏଠାରୁ ଆପଣଙ୍କଠାରୁ ଡବଲ ଆଶୀର୍ବାଦ ମାଗିବାକୁ ଆସିଛି । ବରଗଡ଼ରୁ ପ୍ରଦୀପ ପୁରୋହିତ ଏବଂ ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିତାଇ ସଂସଦକୁ ପଠାଇବେ । ଏହାସହ ବିଧାୟକଙ୍କୁ ଜିତାଇ ଭୁବନେଶ୍ୱରରେ ମଧ୍ୟ ସରକାର ଗଢିବା । ଆପଣ ଏମାନଙ୍କୁ ବିଜୟୀ କରାଇଲେ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେବ । ଦେଶର ଅନେକ ଭାଗରେ ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇଛି । ଆଜି ମୁଁ ବଡ଼ ଦାୟିତ୍ୱ ଏବଂ ବିଶ୍ୱାସ ଏବଂ ଜନତାଙ୍କ ଆଶୀର୍ବାଦ ଭରସାରେ ମୁଁ ଦେଖିଛୁ ଯେ ଏନଡିଏର ୪୦୦ ପାର୍ ହେବା ନିଶ୍ଚିତ ହୋଇଛି । କେବେଳ ଏତିକି ନୁହେଁ କଂଗ୍ରେସ ପାର୍ଟି ବିରୋଧୀ ମାନ୍ୟତା ମଧ୍ୟ ହରାଇବ ।'
ପ୍ରଧାନମନ୍ତ୍ରୀ କହିଛନ୍ତି, 'ରାଜ୍ୟର ବିଜେଡି ସରକାର ବିକାଶ କାର୍ଯ୍ୟରେ ବିଫଳ ହୋଇଛି । ବିଜେଡି ସରକାରକୁ କିଏ ଚଲାଉଛି ? ପୂରା ସରକାର ଆଉଟସୋର୍ସ । ଏଠାରେ ନିର୍ବାଚିତ ବିଧାୟକ ଏବଂ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍ ଅଛନ୍ତି । ଯିଏ ଓଡ଼ିଶାକୁ ଜାଣିନି, ସେହିପରି ଲୋକଙ୍କ ହାତରେ ଓଡ଼ିଶାକୁ ଯିବା ଦରକାର କି ? ମୁଁ ଆପଣଙ୍କ ପାଖକୁ ବିଜେପିର ସରକାର ଗଠନ ପାଇଁ ଆସିନି, ମୁଁ ହାତ ଯୋଡ଼ି ପ୍ରାର୍ଥନା କରୁଛି ଯେ ଓଡ଼ିଶାକୁ ବଞ୍ଚାନ୍ତୁ । ଓଡ଼ିଶା ବରବାଦ ହେଉଛି । ଏତେ ମହାନ ରାଜ୍ୟ, ମହାନ ସଂସ୍କୃତି, ମହାନ ପରମ୍ପରା, ୨୫ ବର୍ଷ ବରବାଦ ହୋଇଗଲା । ଗତ ପାଞ୍ଚ ବର୍ଷରେ ଓଡ଼ିଶାକୁ ବାହାର ଲୋକମାନେ କବଜା କରିଛନ୍ତି । ଓଡ଼ିଶାର ପୁଅ-ଝିଅ ଓଡ଼ିଶାର ନେତୃତ୍ୱ କରିବା ପାଇଁ ଯୋଗ୍ୟ କି ନୁହନ୍ତି ? ଓଡ଼ିଶାର ମାଟିରେ ଜନ୍ମିତ ଲୋକ ଓଡ଼ିଶାର ଭଲ କରିପାରିବେ କି ନାହିଁ ?'
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ମୁଁ ଗୁଜରାଟର, ସେଠାରେ ଅନେକ ଓଡ଼ିଆଙ୍କୁ ଦେଖିଛି । ସେମାନଙ୍କ ସାମର୍ଥ୍ୟ, ପ୍ରତିଭା ଏବଂ କ୍ଷମତା ଦେଖିଛି । ମୁଁ ଭାବେ ଏପରି ପ୍ରତୀଭାବାନ ଲୋକ ଯେଉଁ ଓଡ଼ିଶା ପାଖରେ ଅଛନ୍ତି, ଯେଉଁଠି ଧନ ସମ୍ପତ୍ତି ଭରପୁର ଅଛି, ପ୍ରାକୃତିକ ସମ୍ପଦ ଭରପୁର ଅଛି ସିଏ ଗରିବ କାହିଁକି । ଏଠାକାର ଲୋକ ସାମାନ୍ୟ ସୁବିଧାରୁ କାହିଁକି ବଞ୍ଚିତ । ଏହାର ଗୋଟିଏ କାରଣ ନିର୍ବାଚିତ ଲୋକ ଏଠାରେ ସରକାର ଚଲାଉନାହାନ୍ତି । ଆଜି ଆଉଟସୋର୍ସ ଲୋକ ସରକାର ଚଲାଉଛନ୍ତି । ଏଠି ଆଇନ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ଦିନ ଦ୍ୱିପହରେ ମନ୍ତ୍ରୀଙ୍କ ହତ୍ୟା ହୋଇଯାଉଛି । ନିଶା ବେପାରୀ ଆମ ଯୁବ ପିଢିଙ୍କୁ ବରଦାବ କରିଛନ୍ତି । ଓଡ଼ିଶାକୁ ବରବାଦ କରିଥିବା ବିଜେଡି ସରକାରକୁ ହଟାଇବା ଦରକାର । ଓଡ଼ିଶାର ଲୋକ ଏଥର ସଂକଳ୍ପ ନେଇସାରିଛନ୍ତି, ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଆସିସାରିଛି ।'