ନୂଆଦିଲ୍ଲୀ: ଉଜବେକିସ୍ତାନ ରାଷ୍ଟ୍ରପତି ଶାଭକତ ମିର୍ଜିୟୋୟେଭଙ୍କ ସହ ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବାର୍ତ୍ତାଳାପରେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ପ୍ରମୁଖ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନାକୁ ମୋଦି ଫଳପ୍ରଦ ଆଲୋଚନା ବୋଲି କହିଥିବା ବେଳେ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ପାରସ୍ପରିକ ପ୍ରତିବଦ୍ଧତା ଦର୍ଶାଇଥିଲେ।
ଏନେଇ ମୋଦୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ଆମେ ଆମର ଦ୍ୱିପାକ୍ଷିକ ସହଯୋଗର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ହାସଲ ହୋଇଥିବା ପ୍ରଗତି ସମୀକ୍ଷା କଲୁ ଏବଂ ଭାରତ-ଉଜବେକିସ୍ତାନ ରଣନୈତିକ ସହଭାଗୀତାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଆମର ମିଳିତ ସଂକଳ୍ପକୁ ପୁନଃଦୋହରାଇଛୁ।”
ଆଲୋଚନା ସମୟରେ, ଦୁଇ ନେତା ବାଣିଜ୍ୟ, କନେକ୍ଟିଭିଟି, ସ୍ୱାସ୍ଥ୍ୟ, ଟେକ୍ନୋଲୋଜୀ ଏବଂ ଲୋକ-ଲୋକ ମଧ୍ୟରେ ଆଦାନପ୍ରଦାନ ଭଳି କ୍ଷେତ୍ରଗୁଡ଼ିକରେ ରଣନୈତିକ ସହଭାଗୀତାକୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ। ଆଞ୍ଚଳିକ ଏବଂ ବିଶ୍ୱ ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭାରତ-ଉଜବେକିସ୍ତାନ ସମ୍ପର୍କକୁ ଆଗକୁ ବଢାଇବାରେ ନିରନ୍ତର ଗତି ସୁନିଶ୍ଚିତ କରିବା ପାଇଁ ନିୟମିତ ଯୋଗାଯୋଗ ବଜାୟ ରଖିବା ପାଇଁ ଉଭୟ ନେତା ସେମାନଙ୍କର ଉଦ୍ଦେଶ୍ୟକୁ ଦୋହରାଇଥିଲେ।