'ବିଜୟ ମୋର ନୁହେଁ ଗେରୁଆର ବିଜୟ', ମାଲେଗାଓଁ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ପରେ କାନ୍ଦି କାନ୍ଦି ଏମିତି କହିଲେ ସାଧ୍ୱୀ ପ୍ରଜ୍ଞା

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ ୩୧/୦୭: ମହାରାଷ୍ଟ୍ରର ମାଲେଗାଓଁ ବିସ୍ପୋରଣ ମାମଲାରେ ଆସିଛି ରାୟ । ୧୭ ବର୍ଷ ପୁରୁଣା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି । ଏନଆଇଏ ସ୍ୱତନ୍ତ୍ର କୋର୍ଟ ରାୟ ଦେବା ସମୟରେ ସମସ୍ତ ୭ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଭୋପାଳର ପୂର୍ବତନ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କରାଯାଇଥିଲା। ତେବେ ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଆଉ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଖୁସି ପ୍ରକଟ କରିଛନ୍ତି ପ୍ରଜ୍ଞା । କାନ୍ଦି କାନ୍ଦି କହିଛନ୍ତି ଏହି ବିଜୟ ମୋର ନୁହେଁ ଗେରୁଆ ରଙ୍ଗର  ବିଜୟ । 

୨୯ ସେପ୍ଟେମ୍ବର ୨୦୦୮ରେ ମହାରାଷ୍ଟ୍ରର ମାଲେଗାଓଁରେ ବିସ୍ଫୋରଣ ଘଟିଥିଲା। କୋର୍ଟ ତାଙ୍କ ରାୟରେ ସ୍ୱୀକାର କରିଛନ୍ତି ଯେ ଏନଆଇଏ ସମସ୍ତ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଛି। କୋର୍ଟ ଏହା ମଧ୍ୟ କହିଛନ୍ତି, ଆତଙ୍କବାଦର କୌଣସି ରଙ୍ଗ କିମ୍ବା ଧର୍ମ ନାହିଁ। 

ମାମଲାରୁ ନିର୍ଦ୍ଦୋଷ ପାଇବା ପରେ ସାଧ୍ୱୀ ପ୍ରଜ୍ଞା କୋର୍ଟରେ କାନ୍ଦି କାନ୍ଦି କହିଥିଲେ, ମୋତେ ୧୩ ଦିନ ପାଇଁ ନିର୍ଯାତନା ଦିଆଯାଇଥିଲା । 


ମୋର ୧୭ ବର୍ଷ ବର୍ବାଦ ହୋଇଯାଇଛି । ମୋତେ ମୁଁ ଏତେ ଅପମାନ ସହିଥିଲି। ମୁଁ ଏକ ସନ୍ୟାସୀ ଜୀବନ ବଞ୍ଚୁଥିଲି । ହେଲେ ମୋତେ ଆତଙ୍କବାଦୀ ସଜାଇଦିଆଗଲା । ଆଇନ ଭିତରେ ରହି ଯେଉଁମାନେ ଆମ ସହିତ ଅନ୍ୟାୟ କରିଥିଲେ ସେମାନଙ୍କ ବିରୋଧରେ ମୁଁ କହିପାରୁନାହିଁ । ମୁଁ ୧୭ ବର୍ଷ ଧରି ସଂଘର୍ଷ କରୁଛି, ଗେରୁଆ ରଙ୍ଗ କଳଙ୍କିତ ହୋଇଥିଲା।

ସାଧ୍ୱୀ ପ୍ରଜ୍ଞା ଆହୁରି କହିଛନ୍ତି, ମୁଁ ନିଷ୍ପତ୍ତିରେ ଖୁସି । କାରଣ ଡେରିରେ ହେଉ ପଛେ ମୋର ଯନ୍ତ୍ରଣା ବୁଝିପାରିଛ । ମୁଁ ଏହି ମାମଲାରେ ଜିତିନି ବରଂ ଏହା ଗେରୁଆ ରଙ୍ଗର ବିଜୟ। ହିନ୍ଦୁତ୍ୱ ଜିତିଛି । ମୋର ଜୀବନ ଅର୍ଥପୂର୍ଣ୍ଣ ହୋଇଛି। ସେ ଏହା ମଧ୍ୟ କହିଥିଲେ, ଯେଉଁମାନେ ହିନ୍ଦୁ ଆତଙ୍କବାଦ କହୁଥିଲେ । ସେମାନଙ୍କୁ ଦଣ୍ଡ ଦିଆଯିବ।

କର୍ଣ୍ଣେଲ ପ୍ରସାଦ ପୁରୋହିତ ବି ଥିଲେ ଅଭିଯୁକ୍ତ:

କୋର୍ଟ ଏହି ମାମଲାରେ ୭ ଜଣଙ୍କୁ ଅଭିଯୁକ୍ତ କରିଥିଲା। ସାଧ୍ୱୀ ପ୍ରଜ୍ଞାଙ୍କ ବ୍ୟତୀତ କର୍ଣ୍ଣେଲ ପ୍ରସାଦ ପୁରୋହିତ, ରମେଶ ଉପାଧ୍ୟାୟ, ଅଜୟ ରାହିଲକର, ସୁଧାକର ଚତୁର୍ବେଦୀ, ସମୀର କୁଲକର୍ଣ୍ଣୀ ଏବଂ ସୁଧାକରଧର ଦ୍ୱିବେଦୀଙ୍କୁ ଅଭିଯୁକ୍ତ କରାଯାଇଥିଲା। କୋର୍ଟ କହିଛନ୍ତି, ପୁରୋହିତଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ, କିଏ ଗାଡ଼ି ପାର୍କ କରିଥିଲା, କିଏ ବୋମା ରଖିଥିଲା, କିଏ ରେକି କରିଥିଲା ତାହାର କୌଣସି ପ୍ରମାଣ ନାହିଁ।

ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ କ’ଣ କହିଥିଲେ ପୁରୋହିତ?

ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ କର୍ଣ୍ଣେଲ ପୁରୋହିତ କହିଥିଲେ, ମୋତେ ଏହି ରାୟ ଦେବା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସେନା ପାଇଁ କାମ କରୁଛି ଏବଂ କରିଚାଲିବି। ଆମ ସହିତ ଯାହା ବି ଘଟିଲା, ମୁଁ କାହାକୁ ଦୋଷ ଦେଉନାହିଁ। ଦେଶ ମଜବୁତ ହେବା ଉଚିତ। ମୂଳଦୁଆ ମଜବୁତ ହେବା ଉଚିତ। ଏହି ମାମଲାରେ ସାଧ୍ୱୀ ପ୍ରଜ୍ଞାଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଥିଲା। ତାଙ୍କ ଉପରେ ସମ୍ପୂର୍ଣ୍ଣ ବିସ୍ଫୋରଣ ଯୋଜନା କରିବାର ଅଭିଯୋଗ ଥିଲା। ହେଲେ ସେ ଥିଲେ ନିର୍ଦ୍ଦୋଷ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.