ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ଆସନ୍ତା ରଥଯାତ୍ରା ପାଇଁ ରଥକାଠର ଅନୁକୂଳ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା ସହ ରଥକାଠ ଅନୁକୂଳ ହୋଇଥିଲା। ସେପଟେ ଆଜି ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥକାଠ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ତ ୧୨ ଫୁଟିଆ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି। ଏହା ପୂର୍ବରୁ ଆଜି ସକାଳୁ ରଥ ତତ୍ତ୍ବାବଧାରକଙ୍କ ତତ୍ତ୍ଵାବଧାନରେ ଭୋଇ ସର୍ଦ୍ଦାରଙ୍କ ସହ ଭୋଇ ସେବକମାନେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜା କରାଯିବା ସ୍ଥାନରେ ଆଣି ରଖିଥିଲେ। ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମେ ବାଗଦେବୀ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିବା ତିନୋଟି ଧଉରା କାଠର ଚତୁଃପାର୍ଶ୍ଵରେ ଚୂନପାଣି ପକାଯାଇ ପବିତ୍ର କରାଯିବା ପରେ କାଠ ତିନୋଟିକୁ ମାଜଣା କରାଯାଇଥିଲା। ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠତ୍ରୟର ପୂଜାର୍ଚ୍ଚନା ହୋଇଥିଲା।
ତେବେ ଏହି ତିନୋଟି କାଠରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ଗୁଜ ଅନୁକୂଳ କରାଯିବ। ରଥନିର୍ମାଣ ପାଇଁ ମୋଟ ୮୬୫ ଖଣ୍ତ କାଠ ଆବଶ୍ୟକ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୮ ତାରିଖରେ ନୟାଗଡ଼ ବନଖଣ୍ତରୁ ୧୦୧ ଖଣ୍ତ ରଥକାଠ ପୁରୀ ଆସି ସାରିଛି। ପୂର୍ବ ବର୍ଷର ୫୧ ଖଣ୍ତ କାଠ ବଳକା ଥିବା ବେଳେ ଆଜି ରଥକାଠ ଅନୁକୂଳ ପରେ ବିଭିନ୍ନ ପର୍ଯ୍ୟାୟରେ ସର୍ବ ମୋଟ ୭୧୩ ଖଣ୍ତ ରଥକାଠ ଆସି ପହଞ୍ଚିବ।
ସେପଟେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବାର ମଧ୍ୟ ବିଧି ରହିଛି। ତେବେ ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ ବୋଲି ବରିଷ୍ଠ ରଥ ତତ୍ତ୍ୱାବଧାରକ ଏବଂ ସେବାୟତ କହିଛନ୍ତି। ଅନ୍ୟପଟେ ଆଜି ରବିବାର ସାଙ୍ଗକୁ ସରସ୍ବତୀ ପୂଜା ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଧାଡ଼ିରେ ଆସୁଥିବା ଭକ୍ତମାନଙ୍କୁ ଦହି ସର୍ବତ ବଣ୍ଟା ଯାଇଛି। ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଆହୁରି କିଭଳି ସୁଦୃଢ଼ ହୋଇପାରିବ ସେନେଇ ଭକ୍ତମାନଙ୍କୁ ପୁରୀ ଏସପି ପଚାରି ବୁଝିଛନ୍ତି।