ଅଫିସ୍‌ର ନାଁ ପରିବର୍ତ୍ତନ ପାଇଁ ହୋଇପାରିଲାନି ସଂପତ୍ତି ଆଟାଚ୍, ଆସବାବପତ୍ର ଗାୟବ କରିଦେଲେ କର୍ତ୍ତୃପକ୍ଷ

Published By : Prameya-News7 Bureau | April 04, 2025 IST

ସମ୍ବଲପୁର ୦୪/୪:   ଠିକା ସଂସ୍ଥାର ବିଲ୍‌ ବାକି ରଖିଥିଲେ । ପ୍ରାୟ ୨କୋଟି ପାଖାପାଖି ଫେରସ୍ତ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଠିକା ସଂସ୍ଥା । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶୁକ୍ରବାର କୋର୍ଟ କର୍ମଚାରୀ ଓ ଠିକା କଂପାନୀ କର୍ତ୍ତୃପକ୍ଷ  ବୁର୍ଲାସ୍ଥିତ ଉପର ମହାନଦୀ ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ହୀରାକୁଡ ଡ୍ୟାମ ସର୍କଲର ସୁପରିଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ଓ ସମ୍ବଲପୁର ଇରିଗେସନ ଡିଭିଜନର ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଅଫିସର ପହଞ୍ଚିଥିଲେ । ସେଠାରେ ଅନେକ ସମୟ ଧରି ଛାନ୍‌ଭିନ୍‌ କରିବା ସହ ଆସବାବପତ୍ର ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସମସ୍ତ ସଂପତ୍ତି ମଧ୍ୟ ଆଟାଚ୍‌ ପାଇଁ କୁହାଯାଇଥିଲା । 

କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଆଟାଚ୍‌ ହୋଇପାରିଲାନି ସଂପତ୍ତି । କାହିଁକି ନା ଅଫିସ୍‌ର ନାଁ ପରିବର୍ତ୍ତନ ହୋଇଯାଇଛି । ଅପର ମହାନଦୀ ବେସିନ ମ୍ୟାନେଜର ପରିବର୍ତ୍ତନ ହୋଇ ମହାନଦୀ ବେସିନ ମ୍ୟାନେଜର ହୋଇଥିବାରୁ କାନମୁଣ୍ଡା ଆଉଁସି ଫେରିଯାଇଛନ୍ତି କୋର୍ଟ କର୍ମଚାରୀ ଓ ଠିକା କଂପାନୀ କର୍ତ୍ତୃପକ୍ଷ । ହେଲେ ତା ପୂର୍ବରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଅଫିସ୍‌ର ସମସ୍ତ ଆସବାବପତ୍ର ଏସି, ଷ୍ଟେବିଲାଇଜର,ସୋଫା,ଟିଭି ଚେୟାର ସବୁ ଗାୟବ କରିଦେଇଛନ୍ତି କର୍ତ୍ତୃପକ୍ଷ । 


ସୂଚନା ଅନୁସାରେ  ୨୦୦୦ ମସିହାରେ ସମ୍ବଲପୁର ରିଂ ରୋଡର  କାମ କରିଥିଲା ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ | ୨୦୦୫ ମସିହାରେ ରିଙ୍ଗ ରୋଡ କାମ ବାବଦକୁ ୫୨ ଲକ୍ଷ ଟଙ୍କା ବକେୟା ଥିଲା | ଟଙ୍କା ଫେରି ପାଇବାକୁ ୨୦୦୯ ମସିହାରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଠିକା ସଂସ୍ଥା । ୨୦୦୯ରେ ସୁଧ ମୂଳ ମିଶି ୧କୋଟି ୩୬ କୋଟି ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।  ଟଙ୍କା ପଇଠ ନହେବାରୁ ୬ ପ୍ରତିଶତ ସୁଧ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ବକେୟା ଟଙ୍କା ମିଳିନଥିଲା । । ଏହି ବକେୟା ଟଙ୍କା ବଢି ବଢି  ଅଗଷ୍ଟ ୨୦୨୪ ଯାଏ ୧କୋଟି ୮୮ ଲକ୍ଷ ହୋଇଯାଇଛି । 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.