ନୂଆଦିଲ୍ଲୀ ୧୬/୦୮: ଆଲାସ୍କାରେ ଦୁଇ ମହାଶକ୍ତିଙ୍କ ବୈଠକ ଶେଷ । ସକାରାତ୍ମକ ଆଲୋଚନା ସତ୍ତ୍ୱେ ଯୁଦ୍ଧବିରତି ପାଇଁ ହୋଇପାରିଲାନି । ସହମତି ଭେଟଘାଟ ପରେ ବି ଯୁଦ୍ଧରେ ଲାଗିଲାନି ବ୍ରେକ୍ । ହାତ ମିଳାଇଲେ ପୁଟିନ୍, ହସି ସ୍ୱାଗତ କଲେ ଟ୍ରମ୍ପ୍ । ଆମେରିକାର ଆଲାସ୍କାରେ ପ୍ରାୟ ୩ ଘଣ୍ଟା ଧରି ଚାଲିଲା ଟ୍ରମ୍ପ୍-ପୁଟିନ୍ ବୈଠକ। ହେଲେ ୟୁକ୍ରେନ ଯୁଦ୍ଧରେ ବିରାମ ଲାଗି ହୋଇପାରିଲାନି ସହମତି।
ସୂଚନା ଥାଉକି, ଆଲାସ୍କାରେ ହୋଇଥିବା ବହୁ ଚର୍ଚ୍ଚିତ ସାକ୍ଷାତରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗର ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଦୁଇ ନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ମାତ୍ର ୧୨ ମିନିଟ୍ ଥିଲା । ଯେଉଁଥିରେ ସେମାନେ କେବଳ ପ୍ରେସକୁ ସମ୍ବୋଧିତ କରିଥିଲେ । କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ।
ତେବେ ସମ୍ମିଳନୀର ଶେଷରେ ଏକ ଆକର୍ଷଣୀୟ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା । ଯେତେବେଳେ ଟ୍ରମ୍ପ ପୁଟିନଙ୍କୁ କହିଥିଲେ ଯେ 'ଆମେ ଖୁବ୍ଶୀଘ୍ର ଭେଟିବୁ' ଯାହାର ଉତ୍ତରରେ ଋଷ ରାଷ୍ଟ୍ରପତି ଇଂରାଜୀରେ ଦେଇଥିଲେ । 'ନେକ୍ସଟ୍ ଟାଇମ୍ ଇନ୍ ମସ୍କୋ' ଅର୍ଥାତ୍ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ମସ୍କୋରେ ହେବ ବୋଲି ସେ କହିଥିଲେ । ଏହାର ଉତ୍ତରରେ ଟ୍ରମ୍ପ ହସି ହସି ଉତ୍ତର ଦେଇଥିଲେ -'ଓଃ, 'ୱାଓ, ଆକର୍ଷଣୀୟ ।
ପ୍ରେସକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ ଆଲାସ୍କା ରୁଷ ଏବଂ ଆମେରିକାର ସହଭାଗୀ ଇତିହାସର ଏକ ଅଂଶ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଉଭୟ ଦେଶ ଶତ୍ରୁମାନଙ୍କ ବିରୁଦ୍ଧରେ ଏକାଠି ଲଢ଼ିଥିଲେ। ସେ କହିଛନ୍ତି ଯେ ଆମେ ନିକଟ ପଡ଼ୋଶୀ। ପୁଟିନ ସ୍ୱୀକାର କରିଛନ୍ତି ଯେ ବିଗତ ବର୍ଷଗୁଡ଼ିକରେ ସମ୍ପର୍କରେ ଅସୁବିଧା ଥିଲା, କିନ୍ତୁ ଦୁଇ ନେତାଙ୍କ ଏହି ମୁହାଁମୁହିଁ ସାକ୍ଷାତ ବହୁ ଦିନ ପାଇଁ ଆବଶ୍ୟକ ଥିଲା।
ରୁଷ ରାଷ୍ଟ୍ରପତି କହିଛନ୍ତି ଯେ ଆଲୋଚନାର ଏକ ବଡ଼ ଅଂଶ ୟୁକ୍ରେନ ଉପରେ କେନ୍ଦ୍ରିତ ଥିଲା। ସେ କହିଛନ୍ତି ଯେ ପରିସ୍ଥିତିରେ ଉନ୍ନତି ଆଣିବା ଆବଶ୍ୟକ । ବିବାଦର ପ୍ରକୃତ କାରଣ ବୁଝିବା ପାଇଁ ଟ୍ରମ୍ପଙ୍କ ଇଚ୍ଛାକୁ ପ୍ରଶଂସା କରିଛନ୍ତି। ପୁଟିନ ଆଶା ପ୍ରକାଶ କରିଛନ୍ତି ଯେ ହୋଇଥିବା ଚୁକ୍ତିନାମା ୟୁକ୍ରେନରେ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ । ଏହାର ସୁରକ୍ଷା ସୁନିଶ୍ଚିତ କରିବ। ସେ ସ୍ପଷ୍ଟ କରିଛନ୍ତି ଯେ ଋଷ ଆନ୍ତରିକ ଭାବରେ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛି । ଆଶା କରିଛି ଯେ ୟୁରୋପ ଓ ୟୁକ୍ରେନ ଆଲୋଚନାକୁ ବାଧା ଦେବେ ନାହିଁ।