ଭୁବନେଶ୍ୱର ୧୯।୦୪ : ଶନିବାରଠୁ ରାଜ୍ୟରେ କାଳବୈଶାଖୀ ବର୍ଷା କମିବ । ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଆସନ୍ତା ୨ ଦିନ ପାଇଁ ଯାଏ ବର୍ଷା ସମ୍ଭାବନା ରହିଛି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳରେ ତାପମାତ୍ରା ବଢ଼ିବ। ବଲାଙ୍ଗିରର ସୋନପୁର ଓ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ। ୨୩ ତାରିଖରେ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ୨୮ ତାରିଖରୁ ପ୍ରାୟ ୩ରୁ ୪ ଡିଗ୍ରୀ କମିବ। ୨୮ରୁ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ସାରା ଓଡ଼ିଶାରେ ବହିବ ।
ସମସ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଅଞ୍ଚଳରେ ସାମୁଦ୍ରିକ ପବନ ବହିବା ଯୋଗୁ ତାପମାତ୍ରା କମ୍ ରହିବ। ଭୁବନେଶ୍ୱରରେ ଶନିବାରରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢ଼ିବ। ଏହା ପରେ ୨୭ ଯାଏ ୩୬ରୁ ୩୮ ଡିଗ୍ରୀ ସେଲ୍ସିୟସ୍ ଓ ୨୮ରେ ତାପମାତ୍ରା କମି ୩୪ରୁ ୩୫ ଡିଗ୍ରୀ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ଡ. ପଶୁପାଳକ ।
ସେହିପରି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି, ୨୦ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନାଗିରି, କୋରାପୁଟ, ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ରହିଛି । ୨୧ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା, ୫୦ରୁ ୬୦ କିଲୋମିଟର ବେଗରେ ପବନ ସହ ବିଜୁଳି, ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜର କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବ । କାଳବୈଶାଖୀ ବର୍ଷା ହେବ। ୨୨ ତାରିଖରେ ମାଲାକାନାଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, ନୟାଗଡ଼, କନ୍ଧମାଳରେ କାଳବୈଶାଖୀର ପୂର୍ବାନୁମାନ କରାଯାଇଛି । ୨୩ ଓ ୨୪ ତାରିଖରେ ମାଲକାନାଗିରିର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରାଯାଇଛି ।