ଭୁବନେଶ୍ୱର ୨୭।୦୪ : ତାତିରେ ଲାଗିବ ବ୍ରେକ । ଆଜିଠୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ। ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ଅଛି। ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ବର୍ଷା ଯୋଗୁ ତାତିରେ ସାମୟିକ ବିରତି ଲାଗିପାରେ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।
ରବିବାର ମୟୂରଭଞ୍ଜ, ବାଲେଶ୍ୱର,କେନ୍ଦୁଝର, କୋରାପୁଟ ଓ ଗଞ୍ଜାମରେ କୁଆପଥର ବର୍ଷା ଓ ଘଡ଼ଘଡ଼ି ସହ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରିରେ ବର୍ଷା ଓ ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି। ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ବି କାଳବୈଶାଖୀ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୮ ତାରିଖ (ସୋମବାର) ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ କୁଆପଥର ସହିତ ପ୍ରବଳ ବର୍ଷା ହୋଇପାରେ । ଏହି ୩ ଜିଲ୍ଲାରେ ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କେନ୍ଦୁଝର ଓ ଜଗତ୍ସିଂହପୁରରେ ଘଡ଼ଘଡି ସହିତ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।
୨୯ ଓ ୩୦ ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ୧ ଓ ୨ ତାରିଖରେ ମଧ୍ୟ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ଦୁଇ ଦିନ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୫ ଡିଗ୍ରୀ ଯାଏ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ରବିବାର ଅପରାହ୍ନରେ କଟକ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ ଓ ଅନୁଗୁଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ଝାରସୁଗୁଡ଼ାର ଦିନ ତାପମାତ୍ରା ସବୁଠୁ ଅଧିକ ୪୪.୭ ଡିଗ୍ରୀ ସେଲସିୟସ୍ ଥିଲା । ବୌଦ୍ଧରେ ୪୪.୫, ସମ୍ବଲପୁରରେ ୪୩, ବଲାଙ୍ଗୀର ଓ ସୋନପୁରରେ ୪୨.୨, ରାଉରରେଲାରେ ୪୨.୧, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ୪୨ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।