ବେଙ୍ଗାଲୁରୁ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ହମଲାକୁ ନେଇ ଗୋଟିଏ ପଟେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମରେ ରହିଛି। ଅନ୍ୟପଟେ ଏହାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଏମିତି ସମ୍ବେଦନଶୀଳ ପ୍ରସଙ୍ଗରେ ଦେଶର କିଛି ନେତା ସମ୍ବେଦନହୀନ ବୟାନ ଦେଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ ଯେ, ସେ ପାକିସ୍ତାନ ସହ ଯୁଦ୍ଧ ପକ୍ଷରେ ନାହାନ୍ତି। ଏବେ ତାଙ୍କର ଜଣେ ମନ୍ତ୍ରୀ କହିଛନ୍ତି, ଆତଙ୍କବାଦୀମାନେ ଧର୍ମ ପଚାରି ଗୁଳି କରି ନାହାନ୍ତି। ସିଦ୍ଧରମୈୟାଙ୍କ ବୟାନ ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।
ସିଦ୍ଧରମୈୟା ସରକାରର ମନ୍ତ୍ରୀ ବିବାଦୀୟ ବୟାନ ଦେଇ କହିଛନ୍ତି, ଆତଙ୍କବାଦି ନିଜର ଟାର୍ଗେଟ୍କୁ ହତ୍ୟା କରିବା ପୂର୍ବରୁ ଧର୍ମ ପଚାରି ନାହାନ୍ତି। ଅବକାରୀ ମନ୍ତ୍ରୀ ଆରବି ତିମ୍ମାପୁର କହିଛନ୍ତି, ତାଙ୍କୁ ଲାଗୁନି ଯେ, ହତ୍ୟା କରିବା ପୂର୍ବରୁ ଆତଙ୍କବାଦୀମାନେ ଧର୍ମ ପଚାରି ଥିବେ। ଯେଉଁ ବ୍ୟକ୍ତି ଗୁଳି ଚଳାଉଛି ସେ କଣ ଜାତି ଓ ଧର୍ମ ପଚାରିବ ? ବାସ୍ ସେମାନେ ଗୁଳି ଚଳାଇ ଚାଲି ଯାଇଥିବେ। ସେଠାରେ ସେମାନେ ଛିଡ଼ା ହୋଇ ପଚାରିବେ ନ ଥିବେ।
Also read: ଭାରତର ଆକ୍ସନରେ ଔକାତକୁ ଆସିଲେ ବିଲାଓ୍ଵଲ ଭୁଟ୍ଟୋ, ଏବେ କହୁଛନ୍ତି ଆଲୋଚନାରେ ବାହାରିବ ସମାଧାନର ରାସ୍ତା
ମନ୍ତ୍ରୀ କହିଛନ୍ତି, ଦେଶ ଏହି ଜଘନ୍ୟ ହମଲାରେ ଦୁଃଖିତ ଓ ମର୍ମାହତ। କିନ୍ତୁ ଏହାକୁ ଧାର୍ମିକ ପ୍ରସଙ୍ଗ ଭାବେ ଉପସ୍ଥାପନ କରିବାକୁ ଷଡ଼ଯନ୍ତ୍ର ରଚା ଯାଉଛି। କଂଗ୍ରେସ ସରକାରର ମନ୍ତ୍ରୀ କହିଛନ୍ତି, ମୋତେ ଲାଗୁଛି ଯେବେ ଆତଙ୍କବାଦୀ ହମଲା କରିଥିଲେ, ସେହି ସମୟରେ ସେମାନେ ଧର୍ମ ପଚାରି ନାହାନ୍ତି। ତେଣୁ ଧର୍ମକୁ ନେଇ ରାଜନୀତି କରା ନ ଯାଉ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ ମଧ୍ୟ ପହଲଗାମ ଆତଙ୍କବାଦୀ ହମଲାକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ, ଏତେ ଲୋକ ମଲେ ସେତିକି ସମୟରେ କାହାରି ଧର୍ମ ପଚାରି ହେବନି ଆଜ୍ଞା। ସେ ଏହା ମଧ୍ୟ କହିଥିଲେ ଯେ, କୌଣସି ଆତଙ୍କବାଦୀର ଧର୍ମ କି ଜାତି ନ ଥାଏ। ତାଙ୍କର ଏମିତି ସମ୍ବେଦନହୀନ ବୟାନକୁ ନେଇ ଓଡ଼ିଶାରେ ରାଜନୀତି ଜେତିଥିଲା। ସୁଲତାଙ୍କ ଏହି ବୟାନକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି।