ନୂଆଦିଲ୍ଲୀ: ଦିଲ୍ଲୀ NCERTର ନୂଆ ପାଠ୍ୟପୁସ୍ତକ ସପ୍ତମ ଶ୍ରେଣୀ ବହିରୁ ମୋଗଲ ସମ୍ରାଟ ଓ ଦିଲ୍ଲୀ ସୁଲତନ ବିଷୟକୁ ହଟାଇ ଦିଆଯାଇଛି । ଏହା ବଦଳରେ ଛାତ୍ରଛାତ୍ରୀମାନେ ଭାରତୀୟ ରାଜବଂଶ, ପବିତ୍ର ଭୂଗୋଳ, ମହାକୁମ୍ଭ ଓ ସରକାରୀ ଯୋଜନା ବିଷୟରେ ପଢ଼ିବେ । ଏହି ସବୁ ବିଷୟ ବସ୍ତୁକୁ ସାମିଲ୍ କରାଯିବା ନେଇ ଜୋର୍ ଦିଆଯାଉଛି । ଏହି ପଦକ୍ଷେପ ଜାତୀୟ ଶିକ୍ଷାନୀତି ‘ଏନଇପି’ ଓ ପାଠ୍ୟଚର୍ଚ୍ଚା ଢାଞ୍ଚା ୨୦୨୩ର ଅନୁରୂପ । ଯାହା ଭାରତର ପରମ୍ପରା, ଦର୍ଶନ, ଶିକ୍ଷା ପଲିସି ଓ ସ୍ଥାନୀୟ ଦର୍ଶନ ଉପରେ ଜୋର୍ ଦେଉଛି ।
NCERT ଅଧିକାରୀଙ୍କ ମୁତାବକ, ଏହା ପାଠ୍ୟପୁସ୍ତକର ପ୍ରଥମ ଅଂଶ ଅଟେ ଓ ଦ୍ବିତୀୟ ଅଂଶ ଆସନ୍ତା ମାସରେ ଜାରି ହେବ । ହେଲେ ଏହା ସ୍ପଷ୍ଟ ହୋଇନାହିଁ କି ପ୍ରଥମେ ବହିରୁ ହଟିଥିବା ଅଂଶକୁ ପୁଣି ଥରେ ସାମିଲ୍ କରାଯିବ କି ନାହିଁ ।
ମୋଗଲ ଓ ଦିଲ୍ଲୀ ସୁଲତନ ବିଷୟ ଗାଏବ:
କୋଭିଡ-୧୯ ମହାମାରୀ ସମୟରେ ୨୦୨୨-୨୩ରେ NCERT ପ୍ରଥମେ ମୋଗଲ ସମ୍ରାଟ ଓ ଦିଲ୍ଲୀ ସୁଲତନ ଉପରେ ଆଧାରିତ କିଛି ଅଂଶକୁ କମ୍ କରାଯାଇଥିଲା । ମାତ୍ର ନୂଆ ପାଠ୍ୟପୁସ୍ତକରେ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । 'Exploring Society: India and Beyond’ ନାଁରେ ସାମାଜିକ ବିଜ୍ଞାନର ପାଠ୍ୟପୁସ୍ତକରେ ନୂଆ ଅଧ୍ୟୟନକୁ ସାମିଲ୍ କରାଯାଇଛି । ଯାହା ପ୍ରାଚୀନ ଭାରତୀୟ ରାଜବଂଶ ଯଥା ମଗଧ, ମୌର୍ଯ୍ୟ, ଶୁଙ୍ଗ ଓ ସାତବାହନକୁ ସାମିଲ୍ କରାଯାଇଛି ।
ମହାକୁମ୍ଭକୁ ସାମିଲ୍ କରାଯାଇଛି:
ନୂଆ ପାଠ୍ୟପୁସ୍ତକରେ ପବିତ୍ର ଭୂଗୋଳ ନାଁରେ ବହିରେ ଏକ ବିଷୟ ସାମିଲ୍ କରାଯାଇଛି । ଯେଉଁଥିରେ ଭାରତର ପବିତ୍ର ସ୍ଥାନ ଓ ତୀର୍ଥଯାତ୍ରୀଙ୍କ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି । ଏଥିରେ ଦେଶର ୧୨ ଜ୍ୟୋର୍ତିଲିଙ୍ଗ, ଚାରି ଧାମ ଓ ଶକ୍ତି ପୀଠ ବିଷୟରେ ବର୍ଣ୍ଣିତ ରହିଛି ।
ସେହିପରି ମହାକୁମ୍ଭ ମେଳାକୁ ସାମିଲ୍ କରାଯାଇଛି, ଯାହା ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜ ଆୟୋଜିତ ହୋଇଥିଲା । ଏହାକୁ ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ରଖାଯାଇଛି । ଏଥିରେ ଉଲ୍ଲେଖ, ଚଳିତ ମହାକୁମ୍ଭ ମେଳାରେ ପ୍ରାୟ ୬୬ କୋଟି ଶ୍ରଦ୍ଧାଳୁ ସାମିଲ୍ ହୋଇଥିଲେ । ମାତ୍ର ପ୍ରୟାଗରାଜରେ ହୋଇଥିବା ଦଳାଚକଟା ଘଟଣାକୁ ବିଷୟ ବସ୍ତୁରେ ବାଦ୍ ଦିଆଯାଇଛି ।
ସରକାରୀ ଯୋଜନା ମଧ୍ୟ ବହିରେ ସାମିଲ:
ପାଠ୍ୟପୁସ୍ତକରେ ସରକାରୀ ଯୋଜନାକୁ ସାମିଲ୍ କରାଯାଇଛି । ଏଥିରେ ରହିଛି 'ମେକ୍ ଇନ୍ ଇଣ୍ଡିଆ', 'ବେଟି ବଚାଓ, ବେଟି ପଢ଼ାଓ' ଏବଂ 'ଅଟଳ ସୁଡ଼ଙ୍ଗ' ବିଷୟରେ ବହିରେ ଉଲ୍ଲେଖ କରାଯାଇଛି । ୨୦୦୪ରେ ସୁପ୍ରିମକୋର୍ଟ ଜାତୀୟ ପତାକା ଉତ୍ତୋଳନକୁ ନାଗରିକଙ୍କ ମୌଳିକ ଅଧିକାରରେ ସାମିଲ୍ କରିଥିଲେ, ଏହାକୁ ମଧ୍ୟ ଭାରତୀୟ ସମ୍ବିଧାନ ଅଧ୍ୟାୟରେ ରଖା ସାମିଲ୍ କରାଯାଇଛି ।
ପାଠ୍ୟକ୍ରମରେ ହୋଇଥିବା ପରିବର୍ତ୍ତନକୁ ବିରୋଧ ଦଳମାନେ ବିରୋଧ କରୁଛନ୍ତି । ପୁସ୍ତକକୁ 'ଭଗୁଆକରଣ' କରାଯାଇଥିବା ଅଭିଯୋଗ କରାଯାଉଛି ।NCERT ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକଲାନି ଗତ ବର୍ଷ ଏକ ସାକ୍ଷାତକାରରେ କହିଥିଲେ, ଦଙ୍ଗା ବିଷୟରେ ଶିକ୍ଷା ଦେବା ଛାତ୍ରଛାତ୍ରୀଙ୍କ ଉପରେ ନକରାତ୍ମକ ପ୍ରଭାବ ପଡ଼ୁଛି । ତେଣୁ ଦିଲ୍ଲୀ NCERTର ନୂଆ ପାଠ୍ୟପୁସ୍ତକ ସପ୍ତମ ଶ୍ରେଣୀକେ କିଛି ବିଷୟକୁ ପରିବର୍ତ୍ତନ କରାଯାଇଛି । ...