ମୁଣ୍ଡରେ ହାତେ ଲମ୍ବାର ଓଢ଼ଣା, ମହିଳା ସରପଞ୍ଚଙ୍କ ଇଂଲିସ୍, ଫ୍ୟାନ ହୋଇଗଲେ ଆଇଏଏସ୍‌ ଟିନା ଡାବି

Published By : Prameya-News7 Bureau | September 17, 2024 IST

News7

ନୂଆଦିଲ୍ଲୀ: ଦେଶର ଅନେକ ଜଣାଶୁଣା ଆଇଏଏସଙ୍କ ମଧ୍ୟରେ ଟିନା ଡାବି ଅନ୍ୟତମ ପରିଚିତ ଚେହେରା। ରାଜସ୍ଥାନର IAS ତଥା UPSC ଟପ୍ପର ଟିନା ଡାବି। ତାଙ୍କ ସହ ଜଡିତ ପ୍ରତିଟି ପ୍ରସଙ୍ଗ ସୋସିଆଲ ମିଡିଆରେ ବେଶ ଭାଇରାଲ ହୁଏ| ଟିନା ଡାବି ବର୍ତ୍ତମାନ ବାରମର୍ କଲେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି। ଯେଉଁଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଦେଖାଯାଏ। ଏହିପରି ଏକ କାର୍ଯ୍ୟକ୍ରମରେ ରାଜପୁତି ପୋଷାକରେ ଜଣେ ମୁହଁରେ ଓଢଣା ପକାଇଥିବା ମହିଳା ସରପଞ୍ଚଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଟିନା ଡାବି।

ଏକ ନିପଟ ମଫସଲ ଗାଁର ମହିଳା ସରପଞ୍ଚଙ୍କ ମୁହଁରୁ ବାହାରୁଥିଲା ଅନର୍ଗଳ ଇଂରାଜୀ। ତାଙ୍କର କଥା ଶୁଣି ଟିନା ଡାବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସରପଞ୍ଚଙ୍କୁ ଉତ୍ସାହିତ କରିବା ପାଇଁ ସେମାନେ ମଧ୍ୟ କରତାଳି ଦେଇଥିଲେ। ତେବେ ମହିଳା ସରପଞ୍ଚଙ୍କ କିଏ, ଯାହାଙ୍କ ପ୍ରଶଂସକ ଟିନା ଡାବି। 

ମହିଳା ସରପଞ୍ଚଙ୍କ ନାମ ସୋନୁ କାନୱାର। ସେ ବାରମର ଜଲିପା ଗାଁର ସରପଞ୍ଚ। ଏହି ଗାଁରେ ଏକ କୋଇଲା ଖଣି ମଧ୍ୟ ଅଛି। ଯେଉଁଥିରେ JSW ବାରମର୍ ପାୱାର ଷ୍ଟେସନକୁ ଲିଗନାଇଟ୍ ଯୋଗାଏ। ଜଲିପା-କାପୁରାଡି ଥର୍ମାଲ୍ ପାୱାର୍ ପ୍ରୋଜେକ୍ଟ JSW ବାରମର୍ ପାୱାର ଷ୍ଟେସନ୍ ଭାବରେ ମଧ୍ୟ ପରିଚିତ। 

ସୋନୁ କାନୱାର ପ୍ରାୟତଃ ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରୁଥିବା ଦେଖାଯାଏ। ସୋନୁ କାନୱାର କହିଛନ୍ତି- ମୋ ବାପା ତାମିଲନାଡୁର କୋଏମ୍ବାଟୁରରେ ରୁହନ୍ତି। ସେ ସେଠାରେ ୪୦ ବର୍ଷ ଧରି ପୋଷାକ ବ୍ୟବସାୟ କରିଆସୁଛନ୍ତି। କୋଏମ୍ବାଟୁରରେ ସେ ଅଧ୍ୟୟନ କରିଥିଲେ। ସେଠାରୁ B.Com କରିଛନ୍ତି। ଯେଉଁଠି ପାଠ ପଢୁଥିଲେ, ସେଠାରେ ଇଂରାଜୀ ବାଧ୍ୟତାମୂଳକ ଥିଲା। ସେଥିପାଇଁ ସମସ୍ତ ଶିକ୍ଷା କେବଳ ଇଂରାଜୀ ଭାଷାରେ ଥିଲା। ତେଣୁ ଇଂରାଜୀକୁ ଭଲ ଭାବରେ ବୁଝିବା ଓ କହିବା ତାଙ୍କର ଅସୁବିଧା ନାହିଁ। 2016 ରେ ଜଲିପାରେ ବିବାହ କରିବା ପରେ ସେ ଇନ୍ଦିରା ଗାନ୍ଧୀ ଓପନ୍ ୟୁନିଭରସିଟିରୁ ବିଏ କରିସାରିଥିଲେ।

୨୦୨୦ରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ ଅନେକ ବଡ କାର୍ଯ୍ୟକ୍ରମରେ କ୍ରମାଗତ ଭାବରେ ଅଂଶଗ୍ରହଣ କରିଆସୁଥିଲେ। ଯେଉଁଥିପାଇଁ ତାଙ୍କର ଆତ୍ମବିଶ୍ୱାସ ବଢିଥିଲା। ଟିନା ଡାବିଙ୍କ ସହ କଥାବାର୍ତ୍ତା ବେଳେ ସେ ଉକ୍ତ ଅଞ୍ଚଳର ଜଳ ପ୍ରସଙ୍ଗ ଉଠାଇଥିଲେ। ମ୍ୟାଡାମଙ୍କୁ ଭେଟିବା ଭଲ ଲାଗିଲା ବୋଲି ସେ କହିଛନ୍ତି। ମୁହଁକୁ ଘୋଡ଼ାଇ ରଖିବା ଏହା କୌଣସି ପ୍ରତିବନ୍ଧକ ନୁହେଁ ବରଂ ଏହା ପରମ୍ପରା। ସେ ପରମ୍ପରା ଓ ସ୍ୱାଧୀନତାକୁ ଯଥେଷ୍ଟ ସମ୍ମାନ ଦିଅନ୍ତି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.