ନୂଆଦିଲ୍ଲୀ ୨୦।୦୩: ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ । ନାସା ଓ ସ୍ପେସ୍ଏକ୍ସର ମହାକାଶଯାନ ଡ୍ରାଗନ୍ କ୍ୟାପ୍ସୁଲରେ ବୁଧବାର ଫେରିଛନ୍ତି ସୁନୀତା । କିନ୍ତୁ ପୃଥିବୀପୃଷ୍ଠରେ ପହଞ୍ଚିବାବେଳକୁ ବଦଳି ଯାଇଥିଲା ଧଳା କ୍ୟାପ୍ସୁଲର ରଙ୍ଗ । କଳା ପଡିଯାଇଥିଲା ଡ୍ରାଗନ । ତେବେ କ୍ୟାପ୍ସୁଲର ଏଭଳି ଅବସ୍ଥା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ ସମୟରେ ହୋଇଥିବା ଅନୁମାନ କରାଯାଉଛି । ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ ସମୟରେ ଅତ୍ୟଧିକ ତାପମାତ୍ରାର ସାମ୍ନା କରିଥାଏ କ୍ୟାପ୍ସୁଲ ।
ବାୟୁମଣ୍ଡଳରେ ଥିବା ସୂକ୍ଷ୍ମ କଣିକା, ଗ୍ୟାସ୍ ଆଦି ସହ ଘର୍ଷଣ ଯୋଗୁ ଭିତରେ ବସିଥିବା ଯାତ୍ରୀଙ୍କୁ ଏହା ଏକ ଲାଲ୍ ପିଣ୍ଡୁଳା ଭଳି ଦିଶେ । ଏହି କାରଣରୁ ହିଁ ୭-୧୦ ମିନିଟ୍ ଧରି ମହାକାଶ ଗବେଷଣା ଏଜେନ୍ସି ସହ ସଂପର୍କ ଛିନ୍ନ ହୋଇଥାଏ । ଡ୍ରାଗନ୍ କ୍ୟାପ୍ସୁଲ କ୍ଷେତ୍ରରେ ଘର୍ଷଣ ଯୋଗୁ ଅନେକ ସ୍ଥାନ ଜଳିଯାଇ କଳା ପଡି଼ଯାଇଥିଲା । ତେବେ ସ୍ୱତନ୍ତ୍ର ଧାତୁରେ ତିଆରି ହୋଇଥିବାରୁ କ୍ୟାପ୍ସୁଲ ମଧ୍ୟକୁ ଅତ୍ୟଧିକ ତାପମାତ୍ରା ପହଞ୍ଚି ପାରିନଥିଲା । ଏହା ସୁରକ୍ଷା କବଚ ଭଳି କାର୍ଯ୍ୟ କରିଥିଲା ।
ସୂଚନାଥାଉକି, ଡ୍ରାଗନ୍ କ୍ୟାପ୍ସୁଲକୁ ବିଭିନ୍ନ ଧାତୁରେ ପ୍ରସ୍ତୁତ କରାଯାଇଛି । ଏହାର ପ୍ରାଥମିକ ସଂରଚନା ବା ଢାଞ୍ଚା ସିଏଫ୍ଆରପିରେ ତିଆରି । ଏଥିରେ ଓଜନ ଅନୁସାରେ ଅସାଧାରଣ ଶକ୍ତି ଥାଏ । ଇରୋଜନ୍ ରୋକିବାର କ୍ଷମତା ରହିଥାଏ । ଏହା ମଧ୍ୟ କ୍ୟାପ୍ସୁଲକୁ ସ୍ଥାୟିତ୍ୱ ପ୍ରଦାନ କରେ । ସେହିଭଳି କ୍ୟାପ୍ସୁଲର କିଛି ଅଂଶ ଉଚ୍ଚ କ୍ଷମତାସଂପନ୍ନ ଆଲୁମିନିୟମ୍ ମିଶ୍ର ଧାତୁରେ ତିଆରି । ଡ୍ରାଗନ୍ର ହିଟ୍ ସିଲ୍ଡ ପିଆଇସିଏ-ଏକ୍ସ ନାମକ ଏକ ଏଭଳି ମ୍ୟାଟେରିଆଲରେ ପ୍ରସ୍ତୁତ ହାଇଛି ଯାହାକି ମହାକାଶଯାନ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିବା ସମୟରେ ଅଗ୍ନି ପିଣ୍ଡୁଳାରେ ପରିଣତ ହେବା ସତ୍ତେ୍ୱ ତାକୁ ଥର୍ମାଲ ସୁରକ୍ଷା ପ୍ରଦାନ କରେ ।