ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି, ଗାଲାକ୍ସି ଆପାର୍ଟମେଣ୍ଟରେ ଅନୁପ୍ରବେଶ କରି ମହିଳାଙ୍କ ସମେତ ୨ ଗିରଫ

Published By : Prameya-News7 Bureau | May 22, 2025 IST

News7

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପଶିଲେ ଜଣେ ଅପରିଚିତ ମହିଳାଙ୍କ ସମେତ ୨ ଜଣ ବ୍ୟକ୍ତି । ଅବଶ୍ୟ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ବେଆଇନ ଅନୁପ୍ରବେଶ ନେଇ ମାମଲା ରୁଜୁ କରାଯାଇଛି। ମହିଳାଙ୍କ ନାମ ଇଶା ଛାବ୍ରା। ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମ ଜିତେନ୍ଦ୍ର କୁମାର ସିଂହ ବୋଲି ଜଣାପଡ଼ିଛି।

ସୂଚନାଥାଉକି, ଏହା ସଲମାନ ଖାନଙ୍କ ସୁରକ୍ଷାରେ ଉଲ୍ଲଂଘନର ଦ୍ୱିତୀୟ ଘଟଣା। ତାଙ୍କ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି। ହେଲେ ଏଭଳି ସ୍ଥିତିରେ ସଲମାନଙ୍କ ଘରେ ଜଣେ ଅଜଣା ମହିଳା ପହଞ୍ଚିବା ଚିନ୍ତାର ବିଷୟ। ପୋଲିସ ଏହି ଅନୁପ୍ରବେଶକାରୀଙ୍କ ଉଦ୍ଦେଶ୍ୟ ଜାଣିବାକୁ ତଦନ୍ତ କରୁଛି। 

ସଲମାନ ଖାନଙ୍କୁ ପୂର୍ବରୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଅନେକ ଧମକ ମିଳିଛି। ତାଙ୍କ ଘର ଉପରକୁ ଗୁଳି ଚଳାଇବାର ଘଟଣା ମଧ୍ୟ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି, ମହାରାଷ୍ଟ୍ରର ଗୃହ ରାଷ୍ଟ୍ରମନ୍ତ୍ରୀ ଯୋଗେଶ କଦମ ସଲମାନ ଖାନଙ୍କ ଘରେ ଅନୁପ୍ରବେଶ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ "ସଲମାନ ଖାନଙ୍କୁ ଏପର୍ଯ୍ୟନ୍ତ ମିଳିଥିବା ଧମକ ଯୋଗୁଁ ତାଙ୍କୁ ସୁରକ୍ଷା ଦିଆଯାଇଛି। ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। ସଲମାନଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ।"

ଏହା ପୂର୍ବରୁ ମଧ୍ୟ ଜିତେନ୍ଦ୍ର କୁମାର ସିଂହ ଜଣେ ବ୍ୟକ୍ତି ଘର ଗାଲାକ୍ସି ଆପାର୍ଟମେଣ୍ଟରେ ବେଆଇନ ଭାବରେ ପ୍ରବେଶ କରିଥିଲେ। ସୂଚନା ଅନୁଯାୟୀ, ଏହି ଘଟଣାଟି ମେ ୨୦ ତାରିଖ ସନ୍ଧ୍ୟା ୭:୧୫ ସମୟରେ ଘଟିଥିଲା। ଏହି ମାମଲାରେ ଜିତେନ୍ଦ୍ର କୁମାର ସିଂହଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଜିତେନ୍ଦ୍ର କୁମାର ଛତିଶଗଡ଼ର ଜଣେ ବାସିନ୍ଦା।

ପୋଲିସ ସୂତ୍ରରୁ ଜଣାପଡିଛି ଯେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା 329(1) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ସଲମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୋଲିସ ଅଧିକାରୀ ବାନ୍ଦ୍ରା ପୋଲିସକୁ ଦେଇଥିବା ତାଙ୍କ ବୟାନରେ କହିଛନ୍ତି ଯେ ୨୦ ମେ ସକାଳ ପ୍ରାୟ ୦୯:୪୫ ସମୟରେ, ଜଣେ ଅଜଣା ବ୍ୟକ୍ତି ଗାଲାକ୍ସି ଆପାର୍ଟମେଣ୍ଟରେ ବୁଲୁଥିବାର ଦେଖାଯାଇଥିଲା। ତା’ପରେ ଅଧିକାରୀ ଜଣକ ତାଙ୍କୁ ବୁଝାଇ ସେଠାରୁ ଚାଲିଯିବାକୁ କହିଲେ। ଏଥିରେ ବ୍ୟକ୍ତି ଜଣକ ରାଗି ଯାଇ ତାଙ୍କ ମୋବାଇଲକୁ ତଳେ ଫୋପାଡ଼ି ଭାଙ୍ଗି ଦେଇଥିଲେ।

ଏହା ପରେ, ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ, ସେହି ବ୍ୟକ୍ତି ପୁଣି ଥରେ ଗାଲାକ୍ସି ଆପାର୍ଟମେଣ୍ଟର ମୁଖ୍ୟ ଫାଟକ ନିକଟକୁ ଆସିଥିଲେ। କାର ମାଧ୍ୟମରେ ଭିତରକୁ ପ୍ରବେଶ କରିଥିଲେ। ସେହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କନଷ୍ଟେବଳମାନେ ତାଙ୍କୁ ତୁରନ୍ତ ହେପାଜତକୁ ନେଇ ବାନ୍ଦ୍ରା ପୋଲିସକୁ ହସ୍ତାନ୍ତର କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.