ଅଗଷ୍ଟରେ ଖସିଲା ଖୁଚୁରା ମୁଦ୍ରାସ୍ଫୀତି, ପନିପରିବା ମୂଲ୍ୟରେ ହ୍ରାସର ପ୍ରଭାବ

Published By : Prameya-News7 Bureau | September 12, 2023 IST

ନୂଆଦିଲ୍ଲୀ: ଅଗଷ୍ଟରେ କମିଲା ଖୁଚୁରା ମୁଦ୍ରାସ୍ଫୀତି। ପରିବା ତଥା ଅନ୍ୟ ଖାଦ୍ୟ ସାମଗ୍ରୀ ଦାମ୍‌ କମିବା କାରଣରୁ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ୬.୮୩%କୁ ଖସିଛି। ଅବଶ୍ୟ ଏବେବି ଏହା ଆରବିଆଇର ନିର୍ଦ୍ଧାରିତ ସୀମା ବାହାରେ ରହିଛି। ଏହା ପୂର୍ବରୁ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତ ରହିଥିଲା। ଯେତେବେଳେକି ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୧ ପ୍ରତିଶତ ଥିଲା।

ମଙ୍ଗଳବାର, ପରିସଂଖ୍ୟାନ ମନ୍ତ୍ରାଳୟ ତରଫରୁ ଜାରି ତଥ୍ୟ ଅନୁଯାୟୀ, ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଇ ୯.୯୪ ପ୍ରତିଶତ ରହିଛି, ଯାହା ଜୁଲାଇରେ ୧୧.୫୧ ପ୍ରତିଶତ ଥିଲା। ସେହିଭଳି ଗ୍ରାମାଞ୍ଚଳ ଦରବୃଦ୍ଧି ହାର ୭.୬୩ ପ୍ରତିଶତରୁ ଖସି ୭.୦୨ ପ୍ରତିଶତ ଏବଂ ସହରାଞ୍ଚଳ ଦରବୃଦ୍ଧି ୭.୨୦ ପ୍ରତିଶତରୁ ଖସି ୬.୫୯ ପ୍ରତିଶତକୁ ଆସିଛି।

ଆହୁରି ପଢ଼ନ୍ତୁ: ଚଳିତ ତ୍ରୈମାସିକରେ ୬ ପ୍ରତିଶତ ଉପରେ ରହିପାରେ ମୁଦ୍ରାସ୍ଫୀତି: ଆରବିଆଇ ବୁଲେଟିନ୍‌

ସୂଚନାଥାଉକି, ଆରବିଆଇ ଦରବୃଦ୍ଧିକୁ ବେଶ୍‌ ଗୁରୁତର ସହ ନେଇଛି। ରିଜର୍ଭ ବ୍ୟାଙ୍କ୍‌ ଦରବୃଦ୍ଧିକୁ ୪%କୁ ଆଣିବା ପାଇଁ ଯୋଜନା ରଖିଛି। ନିକଟରେ ଆରବିଆଇ ଗଭର୍ଣ୍ଣର କହିଥିଲେ ଯେ, ପରିବା ଦାମ୍‌ କମ୍‌ ହେଉଛି। ଏହା ମୁଦ୍ରାସ୍ଫୀତିକୁ କମ୍‌ କରିବାରେ ସହାୟକ ହେବ। ଉଲ୍ଲେଖଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୫.୪ % ରହିବା ନେଇ ଅନୁମାନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.