ଭୁବନେଶ୍ବର ୨୬।୮: ରାଜସ୍ବ ଅମଲା ସଙ୍ଘଙ୍କୁ ଚେତାବନୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ସରକାର ଅମଲା ସଙ୍ଘକୁ ନାଲିଆଖି ଦେଖାଇ ନାହିଁ, ସେମାନଙ୍କୁ ନିବେଦନ କରିଛୁ । ଯେଉଁମାନଙ୍କ ସେବାରେ ନିଯୁକ୍ତି ପାଇଛ ସେମାନଙ୍କ ସେବା ପାଇଁ କାମ କର । ସେମାନଙ୍କୁ ହଇରାଣ କରିବା ପାଇଁ ଆନ୍ଦୋଳନ କରିବା ଠିକ୍ ନୁହେଁ । ସାମୁହିକ ଛୁଟି ନେବା ଠିକ୍ ନୁହେଁ । ଅମଲା ମାନେ ଆମେ ପରିବାର ଲୋକ, ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ସେମାନଙ୍କ ପ୍ରତି ମୋର ପୂର୍ଣ୍ଣ ସହାନୁଭୂତି ଅଛି । ସୋମବାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ଏହାପରେ ସେମାନେ କାମ ଆରମ୍ଭ କରିଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ୧୫ ଦିନ ହେଲେ ରାଜସ୍ୱ ଅମଲା କର୍ମଚାରୀ ଆନ୍ଦୋଳନରେ ବସିଥିଲେ । ଫଳ ସ୍ବରୂପ ରାଜସ୍ବ କାର୍ଯ୍ୟାଳୟରେ କାମ ଠପ୍ ହୋଇ ରହିଥିଲା । ରାଜସ୍ୱ କାର୍ଯ୍ୟାଳୟରେ ଅଚଳାବସ୍ଥା ଜାରି ରହିଥିଲା । ବାରମ୍ବାର ଅନୁରୋଧ ପରେ ନାଲି ଆଖି ଦେଖାଇଥିଲେ ସରକାର । ସୋମବାର ପର୍ଯ୍ୟନ୍ତ ଅଲ୍ଟିମେଟମ୍ ଦେଇଥିଲେ ରାଜସ୍ବ ମନ୍ତ୍ରୀ । କାମ ଛାଡ଼ି ଆନ୍ଦୋଳନରେ ମାତିଥିବା ରାଜସ୍ୱ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ତାଗିଦ କରାଯାଇଥିଲା । ଏ ନେଇ ସୋମବାର ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା । ଜିଦ୍ ଛାଡ଼ି ରାଜସ୍ୱ କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଥିଲା ।
ତେବେ ଦରମା ବୃଦ୍ଧି ଓ କ୍ୟାଡର ପୁନର୍ଗଠନ ଭଳି ୧୦ ଦଫା ଦାବିରେ ଧାରଣା ଦେଇଥିଲା ରାଜସ୍ବ ଅମଲା ସଂଘ । ଏହାର ସମାଧାନ ପାଇଁ ସରକାରଙ୍କ ସହ ସଂଘର ବାରମ୍ୱାର ବୈଠକ ବସୁଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରୁନଥିଲା । ଏମିତିକି ଆନ୍ଦୋଳନରୁ ଓହରି ଯିବାକୁ ସରକାରଙ୍କ ତରଫରୁ ଚାପ ପଡୁଥିଲା । ରାଜ୍ୟ ସରକାରଙ୍କ ସହ ଅମଲା ସଂଘର ଆଲୋଚନା ପରେ ଶେଷରେ ସମାଧାନ ବାଟ ବାହାରିଛି । ରାଜସ୍ବ କର୍ମଚାରୀଙ୍କ ଦାବି ପୂରଣ କରିବାକୁ ସରକାରଙ୍କ ପ୍ରତିଶ୍ରୁତି ପରେ ଜିଦ୍ ଛାଡ଼ି ୧୫ ଦିନ ପରେ କାର୍ଯ୍ୟରେ ଯୋଗଦେବାକୁ ସଂଘ ନିଷ୍ପତ୍ତି ନେଇଛି ।
You Can Read:
ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ବ ଅମଲା ସଂଘ, ସରକାରଙ୍କ ପ୍ରତିଶ୍ରୁତି ପରେ ଏଭଳି ନିଷ୍ପତ୍ତି