ଢେଙ୍କାନାଳ ୧୫।୩: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥର ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ଢେଙ୍କାନାଳ ସହରର ମହିଷାପାଟ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଗତ ରାତି ସାଢ଼େ ଗୋଟାଏରୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ଜାରି ରଖିଛନ୍ତି । ଦୀର୍ଘ ୭ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଏନ୍ଏଚ୍ ୫୫ରେ ଯାତାୟାତ ଠପ୍ ହୋଇଯାଇଛି । ଫଳରେ କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ସମୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ଜାତୀୟ ରାଜପଥରେ ଦୁର୍ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଟ୍ରକ୍ ଯାତ୍ରୀବାହୀ ବସ୍ ସହିତ ଗାଡିମଟର ଠିଆ ହୋଇରହିଛନ୍ତି । ଇତି ମଧ୍ୟରେ ୭ ଘଣ୍ଟା ସମୟ ଅତିକ୍ରାନ୍ତ କରିସାରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପହଞ୍ଚି ନଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାରୁ ଯାତ୍ରୀ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ସଦର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମର ମୁରଲୀଧର ନାୟକ ମହିଷାପାଟ ଇଡ଼କୋ ଟାୱାର ପାଖରେ ରାସ୍ତାପାର ହେଉଥିଲେ । ତେବେ ଦ୍ରୁତ ବେଗରେ ଯାଉଥିବା ଏକ ହାଇୱା ତାଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ମୁରଲିଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ହାଇୱାଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଗାଡିକୁ ଗୋଡ଼ାଇ କାବୁ କରିଥିବା ଜଣାପଡିଛି । ହାଇୱା ଗାଡି ଡ୍ରାଇଭର ମଦ୍ୟପାନ, ବେପରୁଆ ଓ ଦ୍ରୁତ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଅଭିଯୋଗ ହେଉଛି ।
ତେବେ ମୃତକ ପରିବାର ଲୋକେ କ୍ଷତିପୂରଣ ଓ ବାରମ୍ବାର ଦୁର୍ଘଟଣା ଯୋଗୁଁ ମହିଷାପାଟ ଛକରେ ଓଭରବ୍ରିଜ ନିର୍ମାଣ ଦାବିରେ ଦୁର୍ଘଟଣା ପର ଠାରୁ ରାତି ସାଢ଼େ ଗୋଟାଏରୁ ରାସ୍ତା ଅବରୋଧ କରି ଅଡି ବସିଛନ୍ତି । ତେବେ ଟାଉନ ପୋଲିସ ପହଞ୍ଚି ବୁଝାସୁଝା ଜାରି ରଖିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।
You Can Read:
ଶିକାର କରିବାକୁ ଯାଇ ଶିକାରୀ ମୃତ, ନିଜ ବନ୍ଧୁକରୁ ଗୁଳି ଫୁଟି ଗଲା ଜୀବନ