ନୂଆଦିଲ୍ଲୀ ୨୮/୦୩: ଭାରତରେ ଏବେ ଧନୀଙ୍କ ଅଭାବ ନାହିଁ । ଅମ୍ୱାନୀ-ଆଦାନୀ, ମିତ୍ତଲଙ୍କ ଭଳି ଅନେକ ଦାବିଦାର । ପାଖରେ ବି ଅଛି ପ୍ରାଇଭେଟ୍ ଜେଟ୍ ଠାରୁ ଚାର୍ଟର୍ଡ ପ୍ଲେନ୍ । ହେଲେ କେବେ ଶୁଣିଛନ୍ତି ପାଖରେ ଅଛି କି ଟ୍ରେନ୍ । ଶୁଣିନଥିବେ କାରଣ, ଭାରତ ସରକାରଙ୍କ ଅଧିନରେ ରହିଛି ଇଣ୍ଡିଆନ ରେଲଓ୍ୱେ । ନିଜ ଇଚ୍ଛା ଅନୁସାରେ ପରିଚାଳନା କରନ୍ତି କେନ୍ଦ୍ର ସରକାର ।
ତଥାପି ଜଣେ କୃଷକ ବନିଗଲେ ଟ୍ରେନ୍ ମାଲିକ । ସ୍ୱର୍ଣ୍ଣ ଶତାବ୍ଦୀ ଏକ୍ସପ୍ରେସର ଓନର ହୋଇଗଲେ ଜଣେ ଭାରତୀୟ ଚଷା ପୁଅ । ରେଲଓ୍ୱେର ବଡ ଭୁଲ୍ ପାଇଁ ଏକ୍ସପ୍ରେସ ମାଲିକ ହୋଇଗଲେ ସେ । ଆଉ ଘରକୁ ଆସିଥିଲା ରୋଜଗାର । ଆସନ୍ତୁ ଜାଣିବା କଣ ଥିଲା ପୁରା ଘଟଣା ।
ନା ତାଙ୍କର ସଂପୂରନ ସିଂହ । ପଞ୍ଜାବର ଲୁଧିଆନାର କଟାନା ଗାଁର ଜଣେ ସାଧାରଣ ଚାଷୀ । ୨୦୦୭ରେ, ରେଳବାଇ ଲୁଧିଆନା-ଚଣ୍ଡୀଗଡ଼ ରେଳ ଲାଇନ ବିଛାଇବା ପାଇଁ ଚାଷୀଙ୍କଠାରୁ କିଣିଥିଲା ଜମି । ସେତେବେଳେ, ସଂପୂରନ ସିଂହଙ୍କ ଜମି ରେଳ ଲାଇନର ମଝିରେ ଥିଲା ଅବସ୍ଥିତ ।
ତେଣୁ ରେଳବାଇ ଏହାକୁ ଏକର ପ୍ରତି ୨୫ ଲକ୍ଷ ଟଙ୍କା ଦରରେ ଅଧିଗ୍ରହଣ କରିଥିଲା। ସବୁକିଛି ଠିକ୍ ଠାକ୍ ଚାଲିଥିଲା । ହଠାତ୍ ସଂପୂରନ ସିଂହ ଜାଣିବାକୁ ପାଇଥିଲେ ଯେ, ପାଖ ଗାଁରେ ସମାନ ଜମି ପାଇଁ ଏକର ମିଛା ମିଳିଛି ୭୧ ଲକ୍ଷ । ଏହା ଜାଣିବା ପରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ସଂପୂରନ ସିଂହ । ନ୍ୟାୟ ଆଶାରେ ପହଞ୍ଚିଥିଲେ ବିଚାରପତିଙ୍କ ଦରବାର ।
ଶୁଣାଣି ସମୟରେ, କୋର୍ଟ କ୍ଷତିପୂରଣ ରାଶିକୁ ୨୫ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରିବାକୁ ଦେଇଥିଲେ ନିର୍ଦ୍ଦେଶ । କିନ୍ତୁ ପରେ ଏହାକୁ ଆହୁରି ବଢାଯାଇ ୧.୪୭ କୋଟି ଟଙ୍କା କରାଯାଇଥିଲା। ୨୦୧୫ ସୁଦ୍ଧା ଫୁଲ୍ ପେମେଣ୍ଟ ଦେବାକୁ ରେଳବାଇକୁ କଡାକଡି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ କେବଳ ୪୨ ଲକ୍ଷ ଦେଇ ବାକି ଦେଢ କୋଟି ଦେଇ ପାରିନଥିଲେ ରେଲଓ୍ୱେ ।
ପରେ ଜିଲ୍ଲା ଓ ସେସନ୍ସ ଜଜ୍ ଜସ୍ପାଲ୍ ବର୍ମା ଲୁଧିଆନା ଷ୍ଟେସନରେ ଟ୍ରେନ୍କୁ କବ୍ଜାକୁ ନେବାକୁ ଦେଇଥିଲେ ନିର୍ଦ୍ଦେଶ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅମୃତସର ସ୍ୱର୍ଣ୍ଣ ଶତାବ୍ଦୀ ଏକ୍ସପ୍ରେସକୁ ନିଜ ଅଧିନକୁ ନେଇ ସଂପୁରନ ସିଂହ ହୋଇଗଲେ ଟ୍ରେନ୍ ମାଲିକ । ତଥାପି ଟ୍ରେନ ଇଞ୍ଜିନିୟର କୋର୍ଟ ଆଦେଶ ଜରିଆରେ ଟ୍ରେନଟିକୁ ଆଣିଥିଲେ ମୁକୁଳାଇ ।
ଘଟଣାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ଆଲୋଡନ । ଭାରତୀୟ ରେଳବାଇର ବଡ଼ ଭୁଲର ପରିଣାମ ଥିଲା ବୋଲି କହୁଥିଲେ ଲୋକେ । ରିପୋର୍ଟ ଅନୁସାରେ, ମାମଲାଟି ଏବେ ବି କୋର୍ଟରେ ବିଚାରାଧୀନ । ରେଳବାଇ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବି ଜାରି । ଆଉ ଏହି ଘଟଣାରୁ ଜଣାପଡିଥିଲା ଆମ ନ୍ୟାୟ ବ୍ୟବସ୍ଥା କେତ୍ ସୁଦୃଢ୍ । ଡେରିରେ ହେଉ ପଛେ ମିଳୁଛି ନ୍ୟାୟ । ଭୁଲ ଥିଲେ ବି ମିଳୁଛି ଦଣ୍ଡ । ସେ ସରକାରୀ ବିଭାଗ ହେଉ ବା ଦୋଷୀ ।