ଦେଶରେ ମଙ୍କିପକ୍ସର ଦ୍ୱିତୀୟ ମାମଲା, ୟୁଏଇରୁ ଫେରିଥିବା ବ୍ୟକ୍ତି ପଜିଟିଭ ଚିହ୍ନଟ

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ: ଦେଶର ମଙ୍କିପକ୍ସର ଦ୍ୱିତୀୟ ମାମଲା ସାମନାକୁ ଆସିଛି । କେରଳ ସରକାର ବୁଧବାର ଏହା ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ ୟୁଏଇରୁ ନିକଟରେ ଫେରିଥିବା ୩୮ ବର୍ଷୀୟ ଜଣେ ବ୍ୟକ୍ତି ଏହି ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ମଲପ୍ପୁରମର ୩୮ ବର୍ଷୀୟ ବ୍ୟକ୍ତି ୟୁଏଇରୁ ଫେରିବା ପରେ ନମୂନା ଯାଞ୍ଚ କରିଥିଲେ । ଏବେ ତାହା ପରିଟିଭ ଆସିଛି । ଫେସବୁକ୍ ପୋଷ୍ଟରେ ବୀଣା ଜର୍ଜ ଲୋକଙ୍କୁ ଚିକିତ୍ସା ଏବଂ ରୋଗ ସମ୍ୱନ୍ଧିତ କୌଣସି ଲକ୍ଷଣ ସାମନାକୁ ଆସିଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବା ପାଇଁ ନିବେଦନ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଜର୍ଜ କହିଛନ୍ତି ଯେ ମଙ୍କିପକ୍ସ ରୋଗୀଙ୍କୁ ଆଇସୋଲେଟ୍ କରାଯାଇଛି ଏବଂ ମେଡିକାଲ୍ ପ୍ରୋଟୋକଲ୍ ଅନୁସାରେ ତାଙ୍କର ଚିକିତ୍ସା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ୯ ଦିନ ପୂର୍ବେ ଦେଶର ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିଲା । ସଂକ୍ରମିତ ବ୍ୟକ୍ତି ଦକ୍ଷିଣ ଆଫ୍ରିକା ଯାତ୍ରା କରି ଫେରିଥିଲେ । ଦିଲ୍ଲୀରୁ ଏହି ମାମଲା ଚିହ୍ନଟ ହୋଇଥିବା ବେଳେ ତାଙ୍କ ଘର ହରିୟାଣାର ହିସାର ବୋଲି ଜଣାପଡ଼ିଥିଲା ।  

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ମାସରେ ଆଫ୍ରିକାର ଅନେକ ଦେଶରେ ସଂକ୍ରମଣର ବୃଦ୍ଧି ଦେଖି ଦ୍ୱିତୀୟ ଥର ପାଇଁ ମଙ୍କିପକ୍ସକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରିଥିଲା । ମଙ୍କିପକ୍ସ ସଂକ୍ରମଣ ସାଧାରଣତଃ କେବଳ ପୀଡ଼ିତ ଯାଏ ସୀମିତ ରହିଥାଏ । ଏହା ଦୁଇରୁ ଚାରି ସପ୍ତାହ ଯାଏ ରହିଥାଏ ଏବଂ ଚିକିତ୍ସା ପରେ ସୁସ୍ଥ ହୋଇଥାନ୍ତି । ଏହି ସଂକ୍ରମଣ ଦୀର୍ଘ ସମୟ ଯାଏ ଏବଂ ଅତି ନିକଟରୁ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.