ଭୁବନେଶ୍ବର ୬।୫: ବିଜେଡି ନୂଆ ଟିମ୍କୁ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା । ନୂଆ ଟିମ୍ ଶତ ପ୍ରତିଶତ ଠିକ୍ ନହୋଇପାରିଲେ ବି ସେଇଭଳିଆ ବୋଲି କହିଲେ ଗଣେଶ୍ବର । ସେ କହିଛନ୍ତି, ସମାଲୋଚକ ମାନେ ତ କହିବେ । କିନ୍ତୁ ବରିଷ୍ଠ ଲୋକଙ୍କୁ ଗୁରୁଦାୟିତ୍ଵ ଦିଆଯାଇ ନଥିବା କଥା ସତ ନୁହେଁ । ପଲିଟିକାଲ ଆଫେୟାର୍ସ କମିଟିରେ କେବଳ ବରିଷ୍ଠ ନୁହଁନ୍ତି ଅତି ବରିଷ୍ଠ ନେତା ବି ଅଛନ୍ତି । ବରିଷ୍ଠଙ୍କୁ ବାଦ୍ ଦିଆଯିବା କିମ୍ବା ଅଣଦେଖା କରିବା କଥା କହିବା ଠିକ୍ ନୁହେଁ । ଦଳ ପାଇଁ ଦାୟିତ୍ବ ଅନେକ । ପରବର୍ତ୍ତୀ ଅବସ୍ଥାରେ ତାଙ୍କ କଥା ନିଶ୍ଚିତ ବିଚାର କରିବେ ସଭାପତି । ସଭାପତିଙ୍କ ସଂକଳ୍ପ ଯେ ଯେଉଁ ନେତାଙ୍କର ଆଗ୍ରହ, ନିଷ୍ଠା ଓ ଦକ୍ଷତା ଅଛି ତାଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା । ପଲିଟିକାଲ ଆଫେୟାର୍ସ କମିଟିରେ ସ୍ଥାନ ପାଇ ନଥିବା ଅନେକ ବରିଷ୍ଠ ନେତାଙ୍କୁ ଅନ୍ୟ ଦାୟିତ୍ଵ ଦିଆଯାଇଛି । ସମସ୍ତଙ୍କୁ ଦିଆଯାଇନାହିଁ କି ଦିଆଯାଇପାରିବା ସମ୍ଭବ ନୁହେଁ । ଆଜି ସମ୍ଭବ ହୋଇନି କାଲି ହେବ । ଅନେକ ବିଚାର ବିମର୍ଶ କରି ଦାୟିତ୍ଵ ଦିଆଯାଇଛି । ତାଙ୍କଠୁ ଦଳ ଅନେକ ଆଶା କରୁଛି । ସେମାନେ କରିପାରିବେ, ଫେଲ୍ ହେବେ ନାହିଁ । ସବୁ ନେତାଙ୍କୁ ଧର୍ଯ୍ୟ ଓ ବିଶ୍ୱାସ ରଖିବା ଦରକାର । ଯେଉଁମାନେ ଗୁରୁତ୍ଵପୂର୍ଣ୍ଣ ପଦବୀରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଅଣଦେଖା କରାଯାଇନାହିଁ । ତାଙ୍କ ପାଇଁ ଭିନ୍ନ ଯୋଜନା ଅଛି । ପାର୍ଟି ବିରୁଦ୍ଧରେ ଅନେକ ନେତା ମୁହଁ ଖୋଲିଥିଲେ ତଥାପି ତାଙ୍କୁ ନୂଆ ଟିମ୍ରେ ସ୍ଥାନ ମିଳିଛି । ସମସ୍ତେ ନବୀନଙ୍କ ଅନୁଗତ । ଭଲ ଟିମ୍ ଭଳି ଦେଖାଯାଉଛି । ଶତ ପ୍ରତିଶତ ଠିକ୍ ହୋଇ ନପାରେ କିନ୍ତୁ ସବୁଠୁ ଭଲ ଟିମ୍ ଗଠନ ହୋଇଛି ବୋଲି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସୋମବାର ବିଜୁ ଜନତା ଦଳର ନୂଆ ସାଂଗଠନିକ ଟିମ୍ ଗଠନ ହୋଇଛି । ଦଳରେ ୧୫ ଉପସଭାପତି, ୨୦ ବରିଷ୍ଠ ସାଧାରଣ ସଂପାଦକ ଓ ୩୫ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି । ସୁବାସ ସିଂଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି । ଏସବୁ ପଦରେ ନେତାମାନଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । ପ୍ରଥମ ଥର ବିଜେଡିରେ ସଂଗଠନ ସଂପାଦକ ପଦବୀ କଟାଯାଇଛି । ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ନିଯୁକ୍ତ କରାଯାଇଛି । ବରିଷ୍ଠ ଉପସଭାପତି ଭାବେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ଵ ମିଳିଛି । ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ଵ ଦିଆଯାଇଛି । ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବି ନାରାୟଣ ନନ୍ଦ, ଅଶ୍ଵିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଓ ସାରଦା ନାୟକଙ୍କ ନାଁ ସାମିଲ ।
ବିଜେଡିର ବିଭିନ୍ନ ସେଲ୍ରେ ବରିଷ୍ଠ ନେତାଙ୍କୁ ଦାୟିତ୍ଵ
୨୦ ବରିଷ୍ଠ ସାଧାରଣ ସଂପାଦକ ଭାବେ କଳିକେଶ ନାରାୟଣ ସିଂ ଦେଓ, ପ୍ରୀତିରଞ୍ଜନ ଘଡ଼େଇ, ଟୁକୁନୀ ସାହୁ, ଦିବ୍ୟଶଙ୍କର ମିଶ୍ର, ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ବ୍ୟୋମକେଶ ରାୟ, ମାନସ ମଙ୍ଗରାଜ, ରାଜଶ୍ରୀ ମଲ୍ଲିକଙ୍କୁ ସ୍ଥାନ ମିଳିଛି । ୩୫ ସାଧାରଣ ସଂପାଦକ ତାଲିକାରେ ତୁଷାରକାନ୍ତି ବେହେରା, ସୌଭିକ ବିଶ୍ଵାଳ, ସାରଦା ଜେନା, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ଦୀପାଳି ଦାସ, ମନ୍ମଥ ରାଉତରାୟ ଆଦିଙ୍କୁ ସ୍ଥାନ ମିଳିଛି ।
You Can Read:
ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା : ୯ ତାରିଖକୁ ଘୁଞ୍ଚିଲା ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ