ପେଜର ବିସ୍ଫୋରଣ ପରେ ଲେବାନନରେ ପୁଣି ସିରିୟଲ ବ୍ଲାଷ୍ଟ, ୩ ମୃତ

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ: ପୁଣି ଥରେ ଦୋହଲିଛି ଲେବାନନର ରାଜଧାନୀ ବେରୁଟ। ହିଜବୁଲ୍ଲା ସଦସ୍ୟଙ୍କ ପେଜରରେ ବ୍ଲାଷ୍ଟ ପରେ ବୁଧବାର ପୁଣି ଥରେ ଧମାକା ହୋଇଛି। ଏଥର ଓ୍ଵାକି ଟକି(ହାତରେ ଧରା ଯାଉଥିବା ରେଡିଓ ସେଟ୍‌)କୁ ଟାର୍ଗେଟ୍ କରାଯାଇଛି। ଏହି ବ୍ଲାଷ୍ଟରେ ଅନ୍ୟୁନ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ଶତାଧିକ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ହିଜବୁଲ୍ଲାଙ୍କ ଦ୍ଵାରା ବ୍ୟବହାର ଓ୍ଵାକି ଟକି ବେରୁଟର ଦକ୍ଷିଣ ଭାଗରେ ବିସ୍ଫୋରଣ ଘଟିଥିଲା।

ଗୋଟିଏ ବ୍ଲାଷ୍ଟ ସେହି ସମୟରେ ହୋଇଥିଲା ଯେବେ ପେଜର ବ୍ଲାଷ୍ଟରେ ପ୍ରାଣ ହରାଇଥିବା ଲୋକଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା। ଅନ୍ତିମ ସଂସ୍କାରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା। ବିଶେଷ କରି ଲେବାନନର ଦକ୍ଷିଣ ଓ ରାଜଧାନୀ ବେରୁଟର ଦକ୍ଷିଣ ଉପନଗରରେ ଏହି ବ୍ଲାଷ୍ଟ ହୋଇଛି। ରୟଟର୍ସର ରିପୋର୍ଟ ମୁତାବକ ହିଜବୁଲ୍ଲା ପାଞ୍ଚ ମାସ ପୂର୍ବେ ଏହି ରେଡିଓ କିଣିଥିଲା। ଆଉ ସେହି ସମାନ ସମୟରେ ପେଜର ମଧ୍ୟ କିଣା ଯାଇଥିଲା। 

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବେ ଲେବାନନର ଅନେକ ସ୍ଥାନରେ ହିଜବୁଲ୍ଲା ଆତଙ୍କୀ ସଂଗଠନର ସଦସ୍ୟଙ୍କ ଦ୍ଵାରା ବ୍ୟବହୃତ ପାଖାପାଖି ୧୦୦୦ ପେଜର ଅଚାନକ ବିସ୍ଫୋରଣ ଘଟିଥିଲା। ଏଥିରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପଛରେ ଇସ୍ରାଏଲ  ହାତ ରହିଥିବା ଆଶଙ୍କା କରାଯାଉଛି। ତେବେ ଅଦ୍ୟାବଧି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନି କି ଇସ୍ରାଏଲୀ ସେନା ପକ୍ଷରୁ କୌଣସି ଟିପ୍ପଣୀ କରିଛି। 

ଅନ୍ୟପଟେ ହିଜବୁଲ୍ଲା ବୁଧବାର ଲେବାନନର ଦକ୍ଷିଣ ଭାଗରୁ ଇସ୍ରାଏଲର ତୋପଖାନା ଆଡ୍ଡା ଉପରେ ଘନ ଘନ ରକେଟ୍ ଆକ୍ରମଣ କରିଛି। ପେଜର ଆକ୍ରମଣ ପରେ ଲେବାନନର ଇସ୍ରାଏଲ ଉପରେ ଏହା ସିଧା ଆକ୍ରମଣ ଥିଲା।ତେବେ ପେଜର ବିସ୍ଫୋରଣ ପରେ ଲେବାନନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.