ସର୍ଜିଓ ଗୋର ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେବାରେ ପ୍ରତିକ୍ରିୟା ରଖିଲେ ଶଶି ଥରୁର, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | August 23, 2025 IST

ନୂଆଦିଲ୍ଲୀ ୨୩।୮: ଆମେରିକା ଓ ଭାରତ କୂଟନୈତିକ ସମ୍ପର୍କରେ ନୂଆ ପ୍ରାରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ସବୁଠୁ ନିର୍ଭରଯୋଗ୍ୟ ସହଯୋଗୀଙ୍କ ମଧ୍ୟରୁ ଜଣେ ସର୍ଜିଓ ଗୋରଙ୍କୁ ଭାରତର ନୂଆ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ଗୋର ଏବେ ହ୍ୱାଇଟହାଉସ୍ ପ୍ରେସିଡେନ୍ସିଆଲ ପର୍ସନେଲ ଅଫିସରେ ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ ଦକ୍ଷିଣ ଓ ମଧ୍ୟ ଏସିୟା ବ୍ୟାପାର ବିଶେଷ ଦୂତର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ଶଶି ଥରୁର ଏହି ନିଯୁକ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି। 

ସେ କହିଛନ୍ତି ଯେ ଏହା ଭଲ କଥା ଭାରତରେ ଆମେରିକାର ରାଜଦୂତ ନିଯୁକ୍ତ ହୋଇଛନ୍ତି। ଥରୁର ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ‘ଯେ କୌଣସି ପରିସ୍ଥିତିରେ ବି ଏହା ଏକ ଭଲ ଖବର, ଏବେ ଭାରତରେ ଆମେରିକା ରାଜଦୂତ ଉପସ୍ଥିତ ରହିବେ’। ଥରୁର ଏହା ବି କହିଛନ୍ତି ଯେ ଯଦି ଦକ୍ଷିଣ ଏସିୟା ବ୍ୟାପାର ନିମନ୍ତେ ସହାୟକ ବିଦେଶ ସଚିବଙ୍କ ନିଯୁକ୍ତି ଶୀଘ୍ର ହୁଏ ଦୁଇ ଦେଶଙ୍କ ମଧ୍ୟରେ ବାର୍ତ୍ତା ଆହୁରି ଅଧିକ ସ୍ଥିର ହୋଇ ପାରିବ। 

ଏଥିରେ ମୂଳ ଭାରତୀୟ ଭେଞ୍ଚର କ୍ୟାପିଟାଲିଷ୍ଟ ଆଶା ଜାଡେଜା ମୋଟୱାନୀ ଏକ ପୋଷ୍ଟ କରିଥିବା ବେଳେ ଲେଖିଛନ୍ତି ‘ଟ୍ରମ୍ପ ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀଙ୍କୁ ଭାରତର ରାଜଦୂତ କରି ଏକ ମଜଭୁତ ସଂକେତ ଦେଇଛନ୍ତି’। ମୋଟୱାନୀଙ୍କ ଅନୁସାରେ ଏବେ ଭାରତକୁ ସିଧା ହ୍ୱାଇଟ୍ ହାଉସ୍ ପହଞ୍ଚ ମିଳିବ ଓ ସେ ସ୍ପଷ୍ଟ ରାୟ ଦେଇ ପାରିବେ ଯେ କେଉଁ ପ୍ରସଙ୍ଗକୁ ଆଗକୁ ବଢାଯିବା ଜରୁରି। 

ତେବେ ଗୋରଙ୍କ ନିଯୁକ୍ତିକୁ ଭାରତୀୟ କୂଟନୀତିଜ୍ଞ ଏକ ସକରାତ୍ମକ ପଦକ୍ଷେପ ମନେ କରୁଛନ୍ତି। କୁହାଯାଉଛି ଏହି ନିଷ୍ପତ୍ତି ଯୋଗୁ ଦୁଇ ଗଣତାନ୍ତ୍ରିକ ଦେଶଙ୍କ ସମ୍ପର୍କ ଆହୁରି ଦୃଢ ହେବ ଓ ସଞ୍ଚାରକୁ ନୂଆ ଦିଗଦର୍ଶନ ମିଳିବ। ଗୌରଙ୍କ ନିଯୁକ୍ତି ଏପରି ଏକ ସମୟରେ ହୋଇଛି ଯେତେବେଳେ ଭାରତ-ଆମେରିକା ସମ୍ପର୍କ ମଧୂରତା ହରାଇଛି। ନିକଟରେ ଆମେରିକା ଭାରତୀୟ ଉତ୍ପାଦ ଉପରେ ୫୦% ଟାରିଫ ଲଗାଇ ଦେଇଛି। ଏଥିରେ ଋଷିଆରୁ ତୈଳ ଆମଦାନୀ ଯୋଗୁ ଅତିରିକ୍ତ ୨୫% ଟାରିଫ ଲଗାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.