ନୂଆଦିଲ୍ଲୀ: ଆଇସିସିର ସଦ୍ୟତମ ଟେଷ୍ଟ ରାଙ୍କିଂରେ ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକ୍ ନମ୍ୱର ୱାନ୍ ବ୍ୟାଟର ହୋଇଛନ୍ତି । ସେ ନିଜର ଟିମ୍ମେଟ୍ ଜୋ ରୁଟ୍ଙ୍କୁ ହଟାଇ ଏହି ସ୍ଥାନ ହାସଲ କରିଛନ୍ତି । ବ୍ରୁକ୍ ଏଜବାଷ୍ଟନ ଟେଷ୍ଟରେ ଭାରତ ବିପକ୍ଷରେ ପ୍ରଥମ ଇନିଂସରେ ୧୫୮ ରନ୍ କରିଥିଲେ । ନୂଆ ରାଙ୍କିଂରେ ଜୋ ରୁଟ୍ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ସେ ବ୍ରୁକ୍ଙ୍କଠାରୁ ୧୮ ରେଟିଂ ପଏଣ୍ଟ ପଛରେ ଅଛନ୍ତି । ତାଙ୍କ ବ୍ୟତୀତ ଭାରତୀୟ ଟେଷ୍ଟ କ୍ୟାପ୍ଟେନ ଶୁଭମନ୍ ଗିଲ୍ ଓ ଇଂଲଣ୍ଡ ବ୍ୟାଟର ଜେମି ସ୍ମିଥଙ୍କ ରାଙ୍କିଂରେ ସୁଧାର ଆସିଛି । ଗିଲ୍ ୧୫ ସ୍ଥାନ ଉପରକୁ ଉଠି କ୍ୟାରିୟରର ବେଷ୍ଟ ରାଙ୍କିଂ ପଏଣ୍ଟ ହାସଲ କରିଛନ୍ତି । ସେ ବ୍ୟାଟିଂ ରାଙ୍କିଂରେ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପଟେ ସ୍ମିଥ୍ ମଧ୍ୟ ଶୀର୍ଷ ୧୦ରେ ପହଞ୍ଚିଛନ୍ତି ।
ଗିଲ୍ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ ଓ ୧୬୧ ରନ୍ କରିଥିଲେ । ଏହା ବଳରେ ଇଂଲଣ୍ଡକୁ ୩୩୬ ରନରେ ପରାସ୍ତ କରି ଭାରତ ସିରିଜର ପ୍ରଥମ ବିଜୟ ହାସଲ କରିଥିଲା । ଟେଷ୍ଟ ରାଙ୍କିଂରେ ବ୍ରୁକଙ୍କ ପରେ ରୁଟ୍ (ଦ୍ୱିତୀୟ), କେନ୍ ୱିଲିୟମସନ (ତୃତୀୟ), ଯଶସ୍ୱୀ ଜୟସ୍ୱାଲ (ଚତୁର୍ଥ) ଓ ଷ୍ଟିଭ୍ ସ୍ମିଥ୍ (ପଞ୍ଚମ) ନମ୍ୱରରେ ଅଛନ୍ତି । ଶୀର୍ଷ ୧୦ରେ ଗିଲ୍ ଓ ଜୟସ୍ୱାଲଙ୍କ ସହ ରିଷଭ ପନ୍ତ ବି ଅଛନ୍ତି । ରିଷଭ ପନ୍ତ ଅଷ୍ଟମ ସ୍ଥାନରେ ଅଛନ୍ତି । ସପ୍ତମ ସ୍ଥାନରେ ଦ.ଆଫ୍ରିକାର ତେମ୍ୱା ବଭୁମା, ନବମ ସ୍ଥାନରେ କାମିନ୍ଦୁ ମେଣ୍ଡିସ୍ ଓ ଦଶମ ସ୍ଥାନରେ ଇଂଲଣ୍ଡର ଜେମି ସ୍ମିଥ୍ ଅଛନ୍ତି ।
ଭାରତର ଅନୁଭବୀ ଖେଳାଳି ରବିନ୍ଦ୍ର ଜାଡେଜା ଟେଷ୍ଟ ଅଲରାଉଣ୍ଡର୍ସ ସୂଚୀରେ ଶୀର୍ଷ ସ୍ଥାନରେ ଅଛନ୍ତି । ଅନ୍ୟପଟେ ଜଶପ୍ରିତ ବୁମରା ମଧ୍ୟ ଟେଷ୍ଟ ବୋଲର ରାଙ୍କିଂରେ ଏକ ନମ୍ୱର ସ୍ଥାନ ବଜାୟ ରଖିଛନ୍ତି । ସେହିପରି ମହମ୍ମଦ ସିରାଜଙ୍କୁ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ ଫାଇଦା ହୋଇଛି । ସଦ୍ୟ ରାଙ୍କିଂରେ ସେ ୬ ସ୍ଥାନ ଉପରକୁ ଉଠି ୨୨ତମ ସ୍ଥାନରେ ଅଛନ୍ତି ।