ବ୍ରହ୍ମପୁର ୨୨।୦୧ : ଟ୍ରେନ୍ରୁ ନୌସେନା ଅଫିସର ନିଖୋଜ । କେରଳର କୋଚି ଆଇଏନ୍ଏସ୍ ଗରୁଡ଼ାରେ ଯୋଗ ଦେବା ପୂର୍ବରୁ ସୌରଭ କୁମାର ପାତ୍ର ନିଖୋଜ ଅଛନ୍ତି । ତାଙ୍କୁ କେହି ଅପହରଣ କରିଥିବା ସନ୍ଦେହ କରି ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି ନିଖୋଜଙ୍କ ମାଆ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବ୍ରହ୍ମପୁର ଗେଟ୍ବଜାରରେ ସୌରଭଙ୍କ ଘର । ୨୦୧୯ରୁ ସେ ନୌସେନାରେ ନିଯୁକ୍ତି ପାଇଥିଲେ । କେରଳରେ ଆଇଏନ୍ଏସ୍ ଗରୁଡାରେ ତାଙ୍କର ନିଯୁକ୍ତି ଥିଲା । ୨୦୨୪ ଡିସେମ୍ବର ୨୮ ତାରିଖରେ ସେ ଘରକୁ ଛୁଟିରେ ଆସିଥିଲେ । ଜାନୁଆରୀ ୧୯ ତାରିଖରେ ତାଙ୍କର କୋଚି ଫେରିବାର ଥିଲା । ବ୍ରହ୍ମପୁରରୁ ଟ୍ରେନ୍ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ବିମାନ ଯୋଗେ ଯାଇଥାନ୍ତି । ୧୯ ତାରିଖ ଭୋର ୩ଟାରେ ବ୍ରହ୍ମପୁର ରେଳ ଷ୍ଟେସନ୍ରୁ ସୌରଭଙ୍କୁ ଟ୍ରେନ୍ରେ ବସାଇଥିଲେ ପରିବାର ଲୋକ । ଅପରାହ୍ନରେ ତାଙ୍କର କୋଚିକୁ ଫ୍ଲାଇଟ୍ ଥିଲା । ହେଲେ ବ୍ରହ୍ମପୁର ଛାଡିବା ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଛି । ପରିବାର ଲୋକ ବାରମ୍ବାର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫୋନ୍ ସୁଇଚ୍ ଅଫ ଥିଲା । ବିଶାଖାପାଟଣା ରେଲଓ୍ୱେ ଷ୍ଟେସନ୍ ଏବଂ ଏୟାରପୋର୍ଟରେ ସୌରଭଙ୍କ ବିଷୟରେ ସନ୍ଧାନ କରିଥିଲେ । କିନ୍ତୁ ସେଠାରେ ସେ ଚେକ୍ଇନ୍ କରିନଥିବା ଜଣାପଡିଛି । ଶେଷରେ ପରିବାର ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ କରାଯାଇଛି । ଏହାସହିତ କୋଚି ଆଇଏନ୍ଏସ୍ ଗରୁଡ଼ାର ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକ । ସେଠାରୁ ବି ନିରାଶ ହୋଇଥିଲେ ପରିବାର ଲୋକ । ସୌରଭ ସେଠାରେ ଯୋଗ ଦେଇନଥିବା କହିଛନ୍ତି ଅଧିକାରୀ । ଏପଟେ ପୋଲିସ ମଧ୍ୟ ସୌରଭଙ୍କ ମୋବାଇଲ୍ ଲୋକେସନ ଯାଞ୍ଚ କରିଥିଲା । କିନ୍ତୁ ଇଚ୍ଛାପୁରମ୍ ତାଙ୍କର ଶେଷ ମୋବାଇଲ୍ ଲୋକେସନ୍ ଥିବା ଜଣାପଡିଛି ।
ତେବେ ସୌରଭଙ୍କୁ ଅପହରଣ କରାଯାଇଛି, ନା ସେ କେଉଁଆଡେ ଚାଲିଯାଇଛନ୍ତି ତାହା ଏବେ ତଦନ୍ତ କରୁଛି ପୁଲିସ। ଟାଉନ୍ ଥାନା ଆଇଆଇସି ସୌଭାଗ୍ୟ ସ୍ବାଇଁ କହିଛନ୍ତି, ଅଭିଯୋଗ ପରେ ସୌରଭଙ୍କୁ ଖୋଜାଖୋଜି କରାଯାଉଛି। ବିଶାଖାପାଟଣା ଏୟାରପୋର୍ଟ ଅଧିକାରୀଙ୍କ ସହ ଯୋଗାଯୋଗ ସହ ବିଭିନ୍ନ ଥାନାକୁ ସୌରଭଙ୍କ ଫଟୋ ପଠାଯାଇଛି ବୋଲି ସେ କହିଛନ୍ତି ।
ନିର୍ବାଚନ ପାଇଁ ରାଜଧାନୀରେ ୪ ଦିନ ଡ୍ରାଏ ଡେ, ଲେଖିରଖନ୍ତୁ ଡେଟ୍