କୋରାପୁଟ ୦୯।୦୩; ଦକ୍ଷିଣ ଓଡ଼ିଶା ମୁହାଁ ହୋଇଛି ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରି । ଜଣଙ୍କ ପରେ ଜଣେ ସିନେ ନିର୍ମାତା ଫିଲ୍ମ ସୁଟିଂ ପାଇଁ ରାଜ୍ୟର ଭୂସ୍ୱର୍ଗ କୋରାପୁଟ ଜିଲ୍ଲାକୁ ବାଛୁଛନ୍ତି । ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ତାଙ୍କର ଆଗାମୀ ଫିଲ୍ମ ‘ଏସ୍ଏସ୍ଏମ୍ବି୨୯’ର ସୁଟିଂ ମାର୍ଚ୍ଚ ୭ରୁ ଦେଓମାଳିରେ ଆରମ୍ଭ କରିଛନ୍ତି । ସୁଟିଂ କରିବାକୁ ଜିଲ୍ଲାର ଦେଓମାଳି ସମେତ ତଳମାଳି, ସେମିଳିଗୁଡ଼ା, ଲମତାପୁଟ ଓ ଜୟପୁର ଭଳି ସ୍ଥାନକୁ ଚୟନ କରାଯାଇଛି ।
ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ସହ ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ଅଭିନୟ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟୁନ ୫୦୦ କୋଟି ଟଙ୍କା ବଜେଟ୍ରେ ଏହି ତେଲୁଗୁ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି୨୯’ ନିର୍ମାଣ ହେଉଛି । ଚଳଚ୍ଚିତ୍ରର କାହାଣୀ ସେନାବାହିନୀ, ବ୍ରିଟିଶ୍ରାଜ, ଆଫ୍ରିକୀୟଙ୍କ ଉପରେ ପର୍ଯ୍ୟବେସିତ । ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅନୁମତି ପରେ ନିର୍ଦ୍ଦେଶକ ରାଜାମୌଲି ନିଜ ଟିମ୍ ନେଇ ସେମିଳିଗୁଡ଼ାରେ ପହଞ୍ଚିଛନ୍ତି । ନାୟକ ମହେଶ ବାବୁ, ନାୟିକା ପ୍ରିୟଙ୍କାଙ୍କ ସମେତ ଅନ୍ୟତମ ତେଲୁଗୁ ସୁପରଷ୍ଟାର୍ ପୃଥ୍ୱୀରାଜ ସୁକୁମାରନ ମଧ୍ୟ ଏଠାରେ ପହଞ୍ଚିଛନ୍ତି ।
ମାର୍ଚ୍ଚ ପହିଲାରୁ ଏଠାରେ ସୁଟିଂ ଟିମ୍ ପହଞ୍ଚିଥିବାବେଳେ ୭ ତାରିଖରୁ ସୁଟିଂ ଆରମ୍ଭ ହୋଇଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍ର ଦେଓମାଳି, ତଳମାଳି ଏବଂ କୋଟିଆ ଅଞ୍ଚଳରେ ଫିଲ୍ମର ବିଭିନ୍ନ ଦୃଶ୍ୟ ସୁଟିଂ ହେବ । ଏଥିଲାଗି ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନିର୍ଦ୍ଦେଶକ, ନାୟକ, ନାୟିକା, ପ୍ରଡକ୍ସନ୍ ମ୍ୟାନେଜରଙ୍କଠାରୁ ଆରମ୍ଭ କରି ଟିମ୍ର ଅନ୍ୟମାନେ ସେମିଳିଗୁଡ଼ାର ଏକ ହୋଟେଲରେ ରହୁଛନ୍ତି । ସୁଟିଂ ପୂର୍ବରୁ ସ୍ଥାନ ଚୟନ ପାଇଁ ରାଜାମୌଲି କୋରାପୁଟ ଆସିଥିଲେ।