ଭୁବନେଶ୍ୱର ୨୧/୦୭: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍ସ୍ରେ ନିଶା ଦ୍ରବ୍ୟ ଦେଇ ଏକ ହୋଟେଲରେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଉଦିତ । ଏନେଇ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ FIR ଦେଇଛନ୍ତି ।
ଏତଲା ମୁତାବକ, ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ତାଙ୍କୁ ଥଣ୍ଡା ପାନୀୟରେ ମଦ ମିଶାଇ ପିଇବାକୁ ଦେଇଥିଲେ । ଏହାପରେ ତାଙ୍କ ସହ ଏକ ହୋଟେଲ ରୁମ୍ରେ ଦୁଷ୍କର୍ମ କରିଛନ୍ତି । ଏହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତ ଉଦିତ ପ୍ରଧାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ଉଦିତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଆଧାରରେ ୫ଟି ଗମ୍ଭୀର ଦଫା ଲାଗିଛି ।
ଦଫାଗୁଡିକ ହେଲା:- ଦଫା ୬୪(୧) – ବଳପୂର୍ବକ ସମ୍ମତି ନେବା, ଦଫା ୧୨୩ – ଦୁଷ୍କର୍ମ, ଦଫା ୨୯୬ – ନିଶା ଦ୍ରବ୍ୟ ପ୍ରୟୋଗ କରି ଦୁଷ୍କର୍ମ କରିବା, ଦଫା ୭୪ – ଅପରାଧ ଲୁଚାଇବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବା, ଦଫା ୩୫୧(୨) – ମହିଳା ହିଂସା ଏବଂ ଅମାନବିକ ଅପରାଧ ଭଳି ସଂଗୀନ ଦଫା ଲାଗିଛି ।
ସେପଟେ ରାତି ଅଧିଆ ଗିରଫ ହୋଇଥିବା ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ମେଡିକାଲ ଟେଷ୍ଟ ସକାଳୁ କରାଯିବା ସହ ନମୁନା ସଂଗ୍ରହ କରାଯିବା ନେଇ ସୂଚନା ମିଳିଛି । ଏପଟେ ରାଜ୍ୟରେ ନାରୀ ନିର୍ଯାତନା ନେଇ ବିଜେପି ସରକାରଙ୍କୁ ପ୍ରଦେଶ କଂଗ୍ରେସ ଘେରୁଥିବା ବେଳେ ଛାତ୍ର କଂଗ୍ରେସ ସଭାପତିଙ୍କ ନାଁରେ ଆସିଥିବା ଦୁଷ୍କର୍ମ ମାମଲା ଖୋଦ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଛି ।