ଝାରସୁଗୁଡ଼ା ୨୨।୩: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ସାନି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଗତ ୫ ଦିନ ଧରି ତନାଘନାରେ ୧୦ରୁ ଅଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ କଲାଣି କ୍ରାଇମବ୍ରାଞ୍ଚ । ଦିନ ଗଡ଼ିବା ସାଙ୍ଗକୁ ଏବେ ନୂଆ ଟ୍ଵିଷ୍ଟ ଆସିବା ସମ୍ଭାବନା ବଢ଼ିବାରେ ଲାଗିଛି । ପଞ୍ଚମ ଦିନରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବ୍ରଜରାଜନଗର, ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରିଛି । ନବ ଦାସଙ୍କୁ ଗୁଳିକାଣ୍ଡ ବେଳେ ଗୁଳି ବାଜିଥିବା ଜୀବନ ନାଏକଙ୍କ ବୟାନ ରେକର୍ଡ ହୋଇଛି । ପ୍ରାୟ ୧ ଘଣ୍ଟା ଧରି ପଚରାଉଚରା କଲା କ୍ରାଇମବ୍ରାଞ୍ଚ l ଘଟଣା ଦିନର ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଲେ ଜୀବନ l ସେ ନବ ଦାସଙ୍କ ପାଦ ଛୁଉଁଥିବା ବେଳେ ତାଙ୍କ ବେକରେ ଗୁଳି ଘଷି ହୋଇଯିବା ସହ ନବ ଦାସଙ୍କ ଦେହରେ ବାଜିଥିବା ଜୀବନ କହିଛନ୍ତି l
ସେପଟେ, ମାମଲା ନେଇପାରେ ନୂଆ ମୋଡ଼ । ECG ରିପୋର୍ଟକୁ ନେଇ ତଥ୍ୟ ଆସିବା ପରେ ଏଭଳି ଆଶା ସଞ୍ଚାର ହୋଇଛି । ନବ ଦାସଙ୍କ ହତ୍ୟା ସମୟରେ ଗୁରୁତର ଅବସ୍ଥାରେ କରାଯାଇଥିବା ECG ରିପୋର୍ଟ ଭାଇରାଲ୍ ହେଉଛି । ୨୦୨୩ ଜାନୁଆରୀ ୨୯ ଦିନ ଗୋଟାଏ ୨୯ ମିନିଟରେ ଏହି ECG କରାଯାଇଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ତେବେ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ ଦାଖଲ କରିଥିବା ୫୬୧ ପୃଷ୍ଠା ଚାର୍ଜସିଟରେ ECG ରିପୋର୍ଟ ସଂପର୍କରେ କିଛି ଉଲ୍ଲେଖ କରାଯାଇନଥିଲା । ଏପରିକି କୋର୍ଟରେ ଶୁଣାଣି ପ୍ରକ୍ରିୟାରେ ନବଙ୍କୁ ଚିକିତ୍ସା କରିଥିବା ଡାକ୍ତର ମଧ୍ୟ ସାକ୍ଷ୍ୟଗ୍ରହଣ ସମୟରେ ତଥ୍ୟ ରଖିନଥିଲେ । କିନ୍ତୁ ପୁନଃ ତଦନ୍ତ ବେଳେ ବିଭିନ୍ନ ବ୍ୟକ୍ତିଙ୍କ ବୟାନ ରେକର୍ଡ ସମୟରେ ECG କରିଥିବା ରେଡିଓଲୋଜିଷ୍ଟ ଟେକ୍ନିସିଆନ ସସ୍ମିତା ବାଗଙ୍କ ବୟାନ ରେକର୍ଡ କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ସେହି ସମୟରେ ସେ ନିଜେ ECG କରିଥିବା ସ୍ବୀକାର କରିଛନ୍ତି ।
କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ଝାରସୁଗୁଡା ଓ ବ୍ରଜରାଜନଗରର ବିଭିନ୍ନ ସ୍ଥାନରେ ପହଞ୍ଚି ହତ୍ୟାକାଣ୍ଡ ସମୟରେ ଉପସ୍ଥିତ କିଛି ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛନ୍ତି । ଗୁଳିକାଣ୍ଡ ବେଳେ, ଗୁଳି ବାଜିଥିବା ଜୀବନ ନାଏକଙ୍କ ବୟାନ ରେକର୍ଡ ହୋଇଛି । ସେହିପରି ବ୍ରଜରାଜନଗର ଥାନାରେ ସରୋଜ ସା’ଙ୍କର ଅଢେଇ ଘଣ୍ଟା ଧରି କରାଯାଇଛି ବୟାନ ରେକର୍ଡ । ଗୁଳିକାଣ୍ଡ ପରେ ତତ୍କାଳୀନ ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କ ବନ୍ଧୁକ ଛଡାଇ ବନ୍ଧୁକକୁ ଉପରକୁ ଟେକିଥିବା ଯୁବକ ହେଉଛନ୍ତି ସରୋଜ ସା’ । ନବ ଦାସ ଗାନ୍ଧୀଛକରେ ପହଞ୍ଚିଥିବା ପରେ ତାଙ୍କୁ ପ୍ରଥମେ ଫୁଳମାଲ ପିନ୍ଧାଇଥିଲେ ସରୋଜ । ତେବେ ସେ କେଉଁ ପରିସ୍ଥିତିରେ ଓ କାହିଁକି ବନ୍ଧୁକ ଛଡାଇଲେ ତନାଘନା କରିଛି କ୍ରାଇମବ୍ରାଞ୍ଚ । ଏଭଳି ଏକ ସ୍ପର୍ଶକାତାର ଘଟଣାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ମଧ୍ୟ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନାହିଁ କି ସରୋଜଙ୍କ ନାଁରେ ପୋଲିସ କୌଣସି ଏତଲା ମଧ୍ୟ ଦେଇନଥିଲା ।
You Can Read:
ଓଲଟିଲା ‘ସିଲ୍କ ସିଟି’ ନାମକ ଯାତ୍ରୀବାହୀ ବସ୍, ଅନେକ ଯାତ୍ରୀ ଆହତ ସୂଚନା