ଗାଈ ଚରାଳୀରୁ ହେଲେ କୋଟିପତି; ମାସିକ ଆୟ ୮୦ ଟଙ୍କାରୁ ଏବେ ବାର୍ଷିକ ରୋଜଗାର ୮କୋଟି

Published By : Prameya-News7 Bureau | September 12, 2024 IST

ନୂଆଦିଲ୍ଲୀ ୧୨।୦୯: କମ୍‌ ବୟସରେ ସମ୍ଭାଳିଥିଲେ ପରିବାରର ଦାୟିତ୍ବ । ଆର୍ଥିକ ଅନଟନର କରିଥିଲେ ସାମ୍ନା । ସଂଘର୍ଷ ମଧ୍ୟରେ ଶିଖିଛନ୍ତି ବଞ୍ଚିବା । ଜୀବନର ଉତ୍ଥାନପତ୍ତନରେ ମଧ୍ୟ ମାନନାହାନ୍ତି ହାର । ଅନେକଥର ଝୁଣ୍ଟିଛନ୍ତି କିନ୍ତୁ ପୁଣି ଉଠିଛନ୍ତି ଆଉ ଆଗକୁ ବଢିଛନ୍ତି । ଦିନେ ଗାଇ ଚରାଇ ମାସିକ ୮୦ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଏବେ ଜଣେ ସଫଳ ଡାଏରୀ ବ୍ୟବସାୟୀ । ବର୍ତ୍ତମାନ ବାର୍ଷିକ ରୋଜଗାର ତାଙ୍କର ୮ କୋଟିରୁ ଅଧିକ । 

ରମେଶ ରୂପରେଲିଆ । ଗୁଜୁରାଟର ଏକ ଛୋଟ ଗାଁର ବାସିନ୍ଦା । ସପ୍ତମ ଯାଏଁ ପଢିଛନ୍ତି ପାଠ । ୧୯୯୦ ମସିହା ପର୍ଯ୍ୟନ୍ତ ତାଙ୍କ ପରିବାର ଦିନ ମଜୁରିଆ ଭାବେ ପେଟ ପୋଷୁଥିଲେ । କମ୍ ବୟସରେ ସେ ଅନ୍ୟ ଲୋକଙ୍କ ଗାଈ ଚରାଇବା କାମ କରୁଥିଲେ ।  ଏଥିପାଇଁ ତାଙ୍କୁ ମାସିକ ମିଳୁଥିଲା ମାତ୍ର ୮୦ ଟଙ୍କା । ସମୟ ସହିତ ସେ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କର ନିଜର ଜମି ନଥିଲା । ତେଣୁ ସେ ଏକ ଜମି ଭଡା ନେଇ ଆରମ୍ଭ କରିଥିଲେ ଚାଷ କରିବା । 

କିନ୍ତୁ ଚାଷ ପାଇଁ ରାସାୟନିକ ସାର କିଣିବା ପାଇଁ ତାଙ୍କ ପାଖରେ ନଥିଲା ଟଙ୍କା । ତେଣୁ ସେ ଗାଁରେ ଗୋବର ଖତ ସଂଗ୍ରହ କରି ଚାଷ ଜମିରେ ବ୍ୟବହାର କରିଥିଲେ । କ୍ରମାଗତ ଜୈବିକ ଖତ ଯୋଗୁଁ ଚାଷ ଜମି ହୋଇଥିଲା ଉର୍ବର । ଏଥିରୁ ମିଳିଥିବା ଲାଭରୁ ସେ ନିଜର ଜମି କିଣିଥିଲେ । ଏହାପରେ ସେ ନିଜର ପିଲାଦିନର ଗୌଶାଳା କରିବା ଇଚ୍ଛା ପୂରଣ କରିଥିଲେ । ରମେଶ ଧୀରେ ଧୀରେ ଗୌଶାଳା ଆରମ୍ଭ କରିବା ସହ ଚାଷ କାମ ମଧ୍ୟ ଜାରି ରଖିଥିଲେ । ରମେଶଙ୍କୁ ପିଲାଦିନରୁ ଗାଈଙ୍କ ପ୍ରତି ଥିଲା ଦୁର୍ବଳତା । 

ଚାଷରେ ସଫଳତା ରମେଶଙ୍କୁ ଗାଈଙ୍କ ପ୍ରତି ଥିବା ଆଗ୍ରହକୁ ଆହୁରି ବଢାଇ ଦେଇଥିଲା । ସେ ବୁଲା ଗାଈଙ୍କର ଯତ୍ନ ନେବା ଆରମ୍ଭ କଲେ । ଏହାପରେ ସେ ଗିର୍ ଗାଈ କିଣିଥିଲେ । ଆଉ ଏହି ଗାଈଙ୍କ ଠାରୁ ଆସୁଥିବା ଦୁଗ୍ଧରୁ ଆରମ୍ଭ କରିଥିଲେ ବ୍ୟବସାୟ । ବର୍ତ୍ତମାନ ସେ ‘ଶ୍ରୀ ଗିର ଗୌ କୃଷି ଜତନ ସଂସ୍ଥା’ ନାମକ ଏକ ଗୌଶାଳା ଚଳାଉଛନ୍ତି । ସେ ଗିର ଗାଈ କ୍ଷୀରରୁ ନିର୍ମିତ ଅର୍ଗାନିକ ଘିଅ ବିକ୍ରି କରି ରୋଜଗାର କରୁଛନ୍ତି କୋଟିକୋଟି ଟଙ୍କା । 

ପ୍ରାରମ୍ଭରେ ଘିଅକୁ ସାଇକେଲରେ ଆଖପାଖର ଗାଁ ଓ ସହରରେ ବିକ୍ରି କରିଥିଲେ । ଗ୍ରାହକଙ୍କୁ ଏହା ବହୁତ ପସନ୍ଦ ଆସିଥିଲା । ସମୟ ସହିତ ସେ ଡିଜିଟାଲ ମାର୍କେଟିଂ ବିଷୟରେ ବୁଝିପାରିଥିଲେ । ଆଉ ନିଜର ଏକ ଓ୍ବେବସାଇଟ୍‌ ଖୋଲି ଡିଜିଟାଲ୍ ମାର୍କେଟିଂଙ୍ଗ କରିଥିଲେ । ଏହାପରେ ଦେଶବିଦେଶରେ ତାଙ୍କ କମ୍ପାନୀର ଘିଅ ଲୋକପ୍ରିୟ ହୋଇଥିଲା । ରମେଶ ଗିର ଗାଈଙ୍କ ଔଷଧୀୟ ଘିଅ ତିଆରି କରିଥାନ୍ତି । ଯାହା ଖୁବ୍‌ ଲୋକପ୍ରିୟ । 

ଏହାପରେ ତାଙ୍କ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲା । ବର୍ତ୍ତମାନ ତାଙ୍କର ଘିଅ ରପ୍ତାନି ୧୨୩ଟି ଦେଶକୁ ହେଉଛି । ଅଳ୍ପ କିଛି ଗାଈଙ୍କ ଠାରୁ ଆରମ୍ଭ କରିଥିବା ରମେଶଙ୍କ ପାଖରେ ବର୍ତ୍ତମାନ ୨୫୦ ଗାଈ ଅଛନ୍ତି । ସେ ପ୍ରତିଦିନ ୩୨୫ରୁ ୩୫୦ ଲିଟର କ୍ଷୀର ପାଇଥାନ୍ତି ।  ତାଙ୍କ କମ୍ପାନୀ ଘିଅର ଦାମ୍‌ ୬୦୦ରୁ ଆରମ୍ଭ ହୋଇ ୧୫ ହଜାର ଯାଏଁ ରହିଛି । ସେ ବାର୍ଷିକ ରୋଜଗାର କରୁଛନ୍ତି ପ୍ରାୟ ୮ କୋଟି ଟଙ୍କା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.