ସୁନ୍ଦରଗଡ୦୭/୪: ବର୍ଷ ବର୍ଷ ଧରି ସୁନ୍ଦରଗଡରେ ଚାଲିଛି କଳା ହୀରାର କଳା କାରବାର । ଦିନରାତି ବେଧଡକ କୋଇଲା ବୋହି ନେଉଛନ୍ତି ମାଫିଆ । ଏଥିରେ କିଛି ସରକାରୀ ବାବୁଙ୍କ ହାତ ଥିବା ନେଇ ଆସିଛି ସଂଗୀନ ଅଭିଯୋଗ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ମାଫିଆଙ୍କ ବିରୋଧରେ କଡା ଆକ୍ସନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ସୁନ୍ଦରଗଡର ପୂର୍ବତନ ବିଧାୟିକା ତଥା ବିଜେପିର ବରିଷ୍ଠ ନେତ୍ରୀ କୁସୁମ ଟେଟେ ।
ସୁନ୍ଦରଗଡରେ ଖଣି ଚୋରି ମାମଲାର ଅଭିଯୋଗ ପହଞ୍ଚିଯାଇଛି ମୁଖ୍ୟମନ୍ତ୍ରୀଙ୍କ ପାଖରେ । ଅନେକ ବର୍ଷ ଧରି ଜିଲ୍ଲାରେ ବେଧଡକ କୋଇଲା ଚୋରି ଚାଲିଥିବାବେଳେ ବନବିଭାଗ କି ପ୍ରଶାସନ କେମିତି ଜାଣିପାରିଲାନି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ହେମଗିରି ଥାନା ଗୋପାଳପୁର ତେଲେନଡିହି ରିଜର୍ଭ ଫରେଷ୍ଟ ଜଙ୍ଗଲ ସ୍ଥିତ ଚୋରା କୋଇଲା ଖଣିରୁ କୋଇଲା ପରିବହନ ନେଇ ଆସିଥିଲା ଅଭିଯୋଗ । ଖଣି ବିଭାଗ ୨୭ ଟନ୍ କୋଇଲା ଜବତ କରିବା ସହ ଚୋରା କୋଇଲା ଖଣିକୁ ସିଲ୍ କରିଥିଲା । ରବିବାର ଏ ସଂପର୍କରେ ହେମଗିରି ଥାନାରେ ଏତଲା ଦେଇଥିଲା ଖଣି ବିଭାଗ । ଅଭିଯୋଗ ଆଧାରରେ ପୋଲିସ ମାଫିଆଙ୍କୁ ଧରିବାକୁ ତନାଘନା ଚଳାଇଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ବିଧାୟିକା ।