ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ପାଇଁ ଘୋଷଣା ହୋଇ ସାରିଛି ୧୫ ଜଣିଆ ଭାରତୀୟ ଦଳ। ସୂର୍ଯ୍ୟକୁମାର ଯାଦବଙ୍କ କାନ୍ଧରେ ଅଧିନାୟକ ଭାର ଥିବା ବେଳେ ଶୁଭମନ ଗିଲ୍ଙ୍କୁ ଦିଆଯାଇଛି ଉପଅଧିନାୟକ ଦାୟିତ୍ଵ। ଏସିଆ କପ୍ ଚୟନରେ ସବୁଠୁ ଆଶ୍ଚର୍ଯ୍ୟ କରିଛି ଶ୍ରେୟସ ଆୟରଙ୍କ ଦଳରେ ଚୟନ ନ ହେବା। ଚୟନକର୍ତ୍ତା ଏବଂ ଦଳ ପ୍ରବନ୍ଧକଙ୍କ ଏକ୍ସପେରିମେଣ୍ଟ ଚକ୍କରରେ ବଳି ପଡ଼ି ଯାଇଛନ୍ତି ଶ୍ରେୟସ। କେବଳ ଶ୍ରେୟସ ନୁହନ୍ତି ଯଶସ୍ଵୀ ଜୟସ୍ଵାଲଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ଖରାପ ଫର୍ମରେ ଥିବା ଅନେକ ଖେଳାଳିଙ୍କୁ ଦଳରେ ମିଳିଛି ସୁଯୋଗ। ଏସିଆ କପ୍ ପୂର୍ବରୁ ବିସିସିଆଇ ଏମିତି କିଛି ଏକ୍ସପେରିମେଣ୍ଟ କରିଛି, ଯାହା ଟୁର୍ଣ୍ଣାମେଣ୍ଟରେ ଦଳ ପାଇଁ ଶକ୍ତି ପାଲଟିପାରେ କିମ୍ବା ଦଳକୁ ଡୁବାଇ ପାରେ। ତେବେ ଚାଲନ୍ତୁ ଜାଣିବା ସେହି ଏକ୍ସପେରିମେଣ୍ଟ ବିଷୟରେ ...
ପ୍ରଥମ ଏକ୍ସପେରିମେଣ୍ଟ ହେଉଛି ଶୁଭମନଙ୍କୁ ଉପଅଧିନାୟକ କରିବା କେତେ ଦୂର ଠିକ୍ ?
ଟିମ୍ ଇଣ୍ଡିଆର ଦଳ ଘୋଷଣାରେ ସବୁଠୁ ବଡ଼ ଚକିତକର କଥା ଶୁଭମନ ଗିଲ୍ଙ୍କୁ ଉପ ଅଧିନାୟକ କରାଯିବା। ଏହି ଦାୟିତ୍ଵ ପ୍ରଥମେ ବରିଷ୍ଠ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଉପରେ ଥିଲା। ଏହି ବାମହାତୀ ଅଲରାଉଣ୍ଡର ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ନିଜର ଦାୟିତ୍ଵ ସଠିକ୍ ଭାବେ ନିଭାଇ ଆସୁଥିଲେ। ତେବେ ଗିଲ୍ଙ୍କୁ ଟି-୨୦ ଦଳରେ ସାମିଲ୍ କରାଯିବାର ଅର୍ଥ ଏବେ ତାଙ୍କୁ ସବୁ ଫର୍ମାଟ୍ ପାଇଁ ପ୍ରସ୍ତୁତି କରାଇବାକୁ ଚାହୁଁଛି ବିସିସିଆଇ। ଇଂଲଣ୍ଡ ଗସ୍ତରେ ଟେଷ୍ଟ ଅଧିନାୟକ ଭାବେ ଦମଦାର ପ୍ରଦର୍ଶନ କରିଥିଲେ ଗିଲ୍। ୫ଟି ଟେଷ୍ଟ ମ୍ୟାଚ୍ରେ ସେ ୭୫୪ ରନ କରିଥିଲେ। ବିସିସିଆଇ ଶୁଭମନଙ୍କୁ ଉପଅଧିନାୟକ କରିବା ନିଷ୍ପତ୍ତି ଭୁଲ ବି ସାବ୍ୟସ୍ତ ହୋଇପାରେ। କାରଣ ୨୦୨୩ରେ ଡେବ୍ୟୁ ପରଠୁ ଏ ପର୍ଯ୍ୟନ୍ତ ଟି-୨୦ କ୍ରିକେଟ୍ରେ ଗିଲ୍ଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୨୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୩୦.୪୨ ହାରରେ ସେ କରିଛନ୍ତି ୫୮୭ ରନ।
ଦ୍ଵିତୀୟ ଏକ୍ସପେରିମେଣ୍ଟ ଜୟସ୍ଵାଲଙ୍କୁ ଷ୍ଟାଣ୍ଡ ବାଇରେ ରଖିବା କେତେ ଯୁକ୍ତିଯୁକ୍ତ ?
ଟିମ୍ ଇଣ୍ଡିଆର ଯୁବ ଓପନର ଭାବେ ଆର୍ବିଭାବ ହୋଇଥିବା ଯଶସ୍ଵୀ ଜୟସ୍ଵାଲଙ୍କୁ ୧୫ ଜଣିଆ ଦଳରେ ବି ସାମିଲ୍ କରାଯାଇନି। ତାଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ମିଳିଛି ସ୍ଥାନ। ଜୟସ୍ଵାଲଙ୍କ ଟି-୨୦ କ୍ୟାରିୟର ଦମଦାର ରହିଛି। ୨୦୨୩ରେ ଡେବ୍ୟୁ ପରଠୁ ଏ ପର୍ଯ୍ୟନ୍ତ ସେ ୨୩ଟି ମ୍ୟାଚ୍ ଖେଳି ୩୬.୧୫ ହାରରେ ୭୨୩ ରନ କରିଛନ୍ତି। ୨୦୨୪ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଶେଷ ଅନ୍ତର୍ଜାତୀୟ ଟି-୨୦ ଖେଳିଥିଲେ ଜୟସ୍ଵାଲ। ତାଙ୍କୁ ଦଳରେ ସାମିଲ୍ ନ କରାଯିବା ଉପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ଏହା ଦୁର୍ଭାଗ୍ୟପୂର୍ଣ୍ଣ କଥା। ଅଭିଷେକ ଗତ ଏକ ବର୍ଷ ଧରି ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ସଭିଙ୍କ ସାମ୍ନାରେ। ସେ ବୋଲିଂର ବିକଳ୍ପ ମଧ୍ୟ ଦେଉଛନ୍ତି।
ତୃତୀୟ ଏକ୍ସପେରିମେଣ୍ଟ ଶ୍ରେୟସ ଆୟରଙ୍କୁ ଅଣଦେଖା କରିବା କେତେ ଉଚିତ୍ ?
ଦିନିକିଆ କ୍ରିକେଟ୍ର ଟିମ୍ ଇଣ୍ଡିଆର ମିଡିଲ୍ ଅର୍ଡରର ମଜବୁତ ସ୍ତମ୍ଭ ହେଉଛନ୍ତି ଶ୍ରେୟସ ଆୟର। ତାଙ୍କୁ ଏସିଆ କପ୍ ଦଳରେ ସ୍ଥାନ ନ ଦେଇ ବୋଧହୁଏ ଚୟନକର୍ତ୍ତା ବଡ଼ ଭୁଲ୍ କରି ଦେଇଛନ୍ତି। ଗତ କିଛି ବର୍ଷ ଧରି ଫ୍ଲପ୍ ମଧ୍ୟକ୍ରମ କାରଣରୁ ଦଳକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ହେଲେ ୨୦୨୩ ବିଶ୍ଵକପ୍ ଏବଂ ଚାମ୍ପିଅନ୍ସ ଟ୍ରଫିରେ ଶ୍ରେୟସଙ୍କ ଧମାକାଦାର ପ୍ରଦର୍ଶନ ଏହି ସମସ୍ୟାର ସମାଧାନ କରିଥିଲା। ଆୟର ଆଇପିଏଲ୍ ୨୦୨୫ରେ ସେ ୧୭ଟି ମ୍ୟାଚ୍ରେ ୫୦.୩୩ ହାରରେ ଓ ୧୭୫ର ଜବରଦସ୍ତ ଷ୍ଟ୍ରାଇକ ରେଟ୍ରେ ୬୦୪ ରନ କରିଥିଲେ। ଏଥିରେ ୬ ଅର୍ଦ୍ଧଶତକ ସାମିଲ୍। ତାଙ୍କ ନେତୃତ୍ଵରେ ପଞ୍ଜାବ କିଙ୍ଗ୍ସ ୧୧ ବର୍ଷ ପରେ ଫାଇନାଲ୍ରେ ପହଞ୍ଚିଥିଲା।ଆୟରଙ୍କ ଚୟନ ନ ହେବା ନେଇ ଅଗରକର କହିଛନ୍ତି ନା ତାଙ୍କର କୌଣସି ଭୁଲ୍, ନା ଏଥିରେ ଆମର କୌଣସି ଭୁଲ୍। ତାଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ।
ଚତୁର୍ଥ ଏକ୍ସପେରିମେଣ୍ଟ ଖରାପ ଫର୍ମରେ ଥିବା ରିଙ୍କୁ ସିଂଙ୍କୁ ମିଳିଲା ସ୍ଥାନ
ରିଙ୍କୁ ସିଂ ଗତ କିଛି ଅନ୍ତର୍ଜାତୀୟ କ୍ରିକେଟ୍ ଏବଂ ଆଇପିଏଲ୍ ଉଭୟରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ଲୟର ଅର୍ଡରକୁ ମଜବୁତି ଦେଉଥିବା ରିଙ୍କୁ ସିଂଙ୍କ ବ୍ୟାଟ୍ ଗତ କିଛି ସମୟ ହେବ ନିରବ ରହିଛି। ଗତ ୭ଟି ଟି-୨୦ ଅନ୍ତର୍ଜାତୀୟରେ ସେ ମାତ୍ର ୬୭ ରନ କରିଛନ୍ତି। ପୁଣି ଆଇପିଏଲ୍ର ଗତ ଦୁଇଟି ସିଜିନରେ ରିଙ୍କୁ ପ୍ରଦର୍ଶନ ବହୁତ ଖରାପ ରହିଛି। ସେ ଆଇପିଏଲ୍ ୨୦୨୪ର ୧୫ଟି ମ୍ୟାଚ୍ର ୧୧ଟି ଇନିଂସରେ ୧୮.୬୬ ହାରରେ କେବଳ ୧୬୮ ରନ କରିଥିଲେ। ୨୦୨୫ରେ ୧୩ଟି ମ୍ୟାଚ୍ର ୧୧ଟି ଇନିଂସରେ ୨୯.୪୩ ହାରରେ ମାତ୍ର ୨୦୬ ରନ କରିଥିଲେ ରିଙ୍କୁ ସିଂ। ଖରାପ ଫର୍ମରେ ଥାଇ ବି ରିଙ୍କୁଙ୍କୁ ଦଳରେ ସ୍ଥାନ ଦେଇ ଚୟନକର୍ତ୍ତା ବଡ଼ ରିସ୍କ ଉଠାଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ଟିମ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତାଙ୍କ ଏମିତି ଏକ୍ସପେରିମେଣ୍ଟ ଦଳକୁ ଚାମ୍ପିଅନ କରାଉଛି ନା ମହଙ୍ଗା ପଡୁଛି ତାହା ଦେଖିବା ବାକି ରହିଲା।