ନୂଆଦିଲ୍ଲୀ: ଆମେରିକାର ଟାରିଫ ମାଡ଼ ପରେ ଭାରତ ଏବେ ୩୦ରୁ ଅଧିକ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବାକୁ ଚିନ୍ତା କରୁଛି। ଯେଉଁଥିରେ ଆମେରିକୀୟ ଅଟୋମୋବାଇଲ୍ ସେକ୍ଟର ରହିଛି। ଶୁଳ୍କ ଛାଡ଼ କରିବା ସମ୍ଭାବନା ଥିବା ବେଳେ ଏଲନ ମସ୍କଙ୍କ କମ୍ପାନୀ ଟେସ୍ଲା ଇଙ୍କ୍ ଭାରତରେ ଏଣ୍ଟ୍ରି ମାରିବାକୁ ଉଦ୍ୟମ ଆରମ୍ଭ କଲାଣି। ଏଥିପାଇଁ କମ୍ପାନୀ ଭାରତରେ କିଛି କର୍ମଚାରୀ ନିଯୁକ୍ତି ଦେଇଛି।
ଯାହା ସୂଚାଇ ଦେଉଛି ଯେ ଟେସଲା ଖୁବ୍ ଶୀଘ୍ର ଭାରତରେ ପ୍ରବେଶ କରିପାରେ। ଫେବୃଆରୀ ୧୭ ତାରିଖରେ, କମ୍ପାନୀ ଲିଙ୍କଡିନ୍ରେ ଘୋଷଣା କରିଥିଲା ଯେ ଟେସଲା ୧୩ ଜଣଙ୍କୁ ନିଯୁକ୍ତି ଦେଇଛି। ଗ୍ରାହକ ସେବା ଏବଂ ପ୍ରଚ୍ଛଦପଟ ପରିଚାଳନା ସହିତ ଜଡ଼ିତ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ ବେଳେ ଟେସ୍ଲା ସିଇଓ ଏଲନ ମସ୍କଙ୍କୁ ଭେଟିଥିଲେ। ଏବେ ଟେସ୍ଲାର ନିଯୁକ୍ତି ପରେ ଏନେଇ ନାନା ପ୍ରଶ୍ନ ଉଠିଛି।
ଲିଙ୍କଡିନ୍ରେ ଥିବା ନିଯୁକ୍ତି ନେଇ ଦିଆଯାଇଥିବା ସୂଚନା ଅନୁଯାୟୀ, କମ୍ପାନୀ ଗ୍ରାହକ ସେବା, ଯାନବାହାନ ରକ୍ଷଣାବେକ୍ଷଣ, ବିକ୍ରୟ, ବ୍ୟବସାୟିକ ପରିଚାଳନା ଏବଂ ମାର୍କେଟିଂ ଆଦିରେ ନିଯୁକ୍ତି ଦେଇଛି। ୧୩ଟି ପଦବୀ ମଧ୍ୟରୁ ୧୨ଟି ପୂର୍ଣ୍ଣକାଳୀନ, ଯେତେବେଳେ ଗୋଟିଏ ପାର୍ଟ ଟାଇମ। ସମସ୍ତ ଚାକିରି ପାଇଁ କର୍ମଚାରୀମାନଙ୍କୁ ସାଇଟରେ କାମ କରିବାକୁ ପଡିବ, ଅର୍ଥାତ୍ ପ୍ରାର୍ଥୀମାନଙ୍କୁ ମୁମ୍ବାଇ କିମ୍ବା ଦିଲ୍ଲୀରେ ଥିବା ଟେସଲାର ସ୍ଥାନଗୁଡ଼ିକରେ ଶାରୀରିକ ଭାବରେ ଉପସ୍ଥିତ ରହିବାକୁ ପଡିବ।
ଭାରତରେ ଏଣ୍ଟ୍ରି ମାରିବାକୁ ଟେସଲା ଅନେକ ବର୍ଷ ହେବ ଚେଷ୍ଟା ଜାରି ରଖିଛି। ଶୁଲ୍କ କମାଇବା ପାଇଁ କମ୍ପାନୀ ଅନେକ ଥର ଭାରତ ସରକାରଙ୍କ ସହିତ ମୁଲଚାଲ କରିଛି। ହେଲେ ଫଳ ଶୂନ ହେବା ପରେ କମ୍ପାନୀ ବି ନିଜ ଜିଦ୍ରେ ଅଟଳ ରହି ଭାରତରୁ ଦୂରେଇ ରହିଛି। ତଥାପି, ଭାରତ ଏବେ ୪୦,୦୦୦ ଡଲାର (ପ୍ରାୟ ୩୫ ଲକ୍ଷ ଟଙ୍କା)ରୁ ଅଧିକ ମୂଲ୍ୟର କାର ଉପରେ ଆମଦାନୀ ଶୁଳ୍କ ୧୧୦% ରୁ ୭୦% କୁ ହ୍ରାସ କରିଛି।
ପଢନ୍ତୁ- ଆମେରିକା ମଦ ଉପରେ ସୀମା ଶୁଳ୍କ ହ୍ରାସକୁ ଭାରତୀୟ ବ୍ୟବସାୟୀଙ୍କ ବିରୋଧ !
ଭାରତରେ କାରଖାନା ପାଇଁ ଜାଗା ଖୋଜୁଛି ଟେସଲା
ମିଡିଆ ରିପୋର୍ଟ ଅନୁଯାୟୀ, ଟେସଲା ଭାରତରେ ମଧ୍ୟ ଏହାର କାରଖାନା ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ କମ୍ପାନୀ ଜମି ଖୋଜିବାରେ ଲାଗି ପଡ଼ିଛି। କମ୍ପାନୀ ଅଟୋମୋଟିଭ୍ ହବ୍ ଅଞ୍ଚଳଗୁଡ଼ିକରେ ପ୍ଲାଣ୍ଟ ସ୍ଥାପନ କରିବାକୁ ଚେଷ୍ଟା କରୁଛି। ତେଣୁ ମହାରାଷ୍ଟ୍ର, ଗୁଜରାଟ ଏବଂ ତାମିଲନାଡୁ ପ୍ରାଥମିକତା ଦେଉଥିବା ସୂଚନା ମିଳିଛି।